୨୦୨୬ରେ ୫ ରାଜ୍ୟରେ ନିର୍ବାଚନ; ୩ଟି ରାଜ୍ୟରେ ବିଜେପି ଜିିତିନାହିଁ

ନୂଆଦିଲ୍ଲୀ,୩ ।୧(): ଏବର୍ଷ ଅର୍ଥାତ ୨୦୨୬ରେ ଦେଶରେ ୫ଟି ରାଜ୍ୟରେ ନିର୍ବାଚନ ଆୟୋଜନ ହେବ । ଦେଶର ୧୭ ପ୍ରତିଶତ ଜନସଂଖ୍ୟା ନିଜ ପାଇଁ ନୂଆ ସରକାର ଚୟନ କରିବେ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ହେବ । ଏଥିମଧ୍ୟରୁ ବିଜେପି ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ କେବିବି ଜିତିବାକୁ ସକ୍ଷମ ହୋଇନାହିଁ । ସେହିପରି ବାଂଲାଦେଶ, ନେପାଳ, ନ୍ୟୁଜିଲାଣ୍ଡ ସମେତ ବିଶ୍ୱର ୩୬ଟି ଦେଶରେ ମଧ୍ୟ ଏହି ବର୍ଷ ନିର୍ବାଚନ ହେବ । ଦୁଇବର୍ଷ ହେବା ଗାଜା- ପାଲେଷ୍ଟାଇନ୍ ଯୁଦ୍ଧରେ ଫସି ରହିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ମଧ୍ୟ ଏହି ବର୍ଷ ଭାଗ୍ୟ ପରୀକ୍ଷା ହେବ ।
ପଶ୍ଚିମବଙ୍ଗ: ଚତୁର୍ଥଥର ମୁଖ୍ୟମନ୍ତ୍ରୀ ହେଲେ ମମତା ରେକର୍ଡ କରିବେ
ଗତ ୧୪ ବର୍ଷ ଧରି ଏହି ରାଜ୍ୟରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ଏଥର ତାଙ୍କ ସମ୍ମୁଖରେ ବିଜେପି ମୁଖ୍ୟ ପ୍ରତିଦ୍ୱଦ୍ୱୀ ଭାବେ ଉଭା ହୋଇଛି । ଏଥର ଜିତିଲେ ମମତା କ୍ରମାଗତ ଚତୁର୍ଥଥର ମୁଖ୍ୟମନ୍ତ୍ରୀ ହୋଇ ମହିଳା ଭାବେ ରେକର୍ଡ ସୃଷ୍ଟି କରିବେ । ପୂର୍ବରୁ ଜୟଲଳିତା ତାମିଲନାଡୁରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ୧୯୯୧ରୁ ୨୦୨୬ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟକାଳରେ (ଲଗାତର ନୁହେଁ) ମୁଖ୍ୟମନ୍ତ୍ରୀ ପଦରେ ଅଧୀଷ୍ଠିତ ହୋଇଥିଲେ । ପଶ୍ଚିମବଙ୍ଗରେ ୨୯୪ ସିଟ୍‌ରେ ନିର୍ବାଚନ ହେବ ।
ଆସାମ: ବିଜେପି ବିରୋଧରେ ୮ଟି ପାର୍ଟି ସହ କଂଗ୍ରେସର ମେଣ୍ଟ
ଆସାମରେ ଗତ ୧୦ ବର୍ଷ ହେବା ବିଜେପି ସରକାର ରହିଛି । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ୬ ମାସ ମଧ୍ୟରେ ୩ ଥର ଆସାମ ଗସ୍ତ କରିଛନ୍ତି । ୧୨୬ ଆସନରୁ ବିଜେପି ଏଥର ୧୦୦ରୁ ଅଧିକ ଆସନ ହାସଲ କରିବା ଲକ୍ଷ୍ୟରେ ରହିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ହେବ । ବାଂଲାଂଦେଶ ଅନୁପ୍ରବେଶକାରୀ ଓ ଏସ୍‌ଆଇଆର ମାମଲା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ।
ତାମିଲନାଡ଼ୁ: ୬୦ ବର୍ଷ ହେବ କଂଗ୍ରେସ, ବିଜେପିର କ୍ଷମତାରେ ନାହାନ୍ତି
ଦେଶର ତାମିଲନାଡୁ ଏକମାତ୍ର ରାଜ୍ୟ, ଯେଉଁଠାରେ ଗତ ୬୦ ବର୍ଷ ହେବ ଦୁଇ ବଡ଼ ଜାତୀୟ ପାର୍ଟି କଂଗ୍ରେସ କିମ୍ବା ବିଜେପି ସରକାରରେ ନାହାନ୍ତିି । ଏଥର ବିଜେପି ଜୟଲଳିତାଙ୍କ ପାର୍ଟି ଏଆଇଏଡିଏମ୍‌କେ ପାର୍ଟି ସହ ମେଣ୍ଟ କରିପାରେ । ତାମିଲ ସୁପରଷ୍ଟାର ବିଜୟଙ୍କ ପାର୍ଟି ଟିଭିକେ ମଧ୍ୟ ନିର୍ବାଚନ ଲଢିବ । ତାମିଲନାଡୁର ୨୩୪ଟି ବିଧାନସଭା ଆସନରେ ନିର୍ବାଚନ ହେବ । ତେଣୁ ଏଥର ନିର୍ବାଚନ ରୋଚକ ହେବ ବୋଲି ଆଶା କରାଯାଉଛି ।
କେରଳ: ଏକମାତ୍ର ରାଜ୍ୟ ଯେଉଁଠାରେ ବାମପନ୍ଥୀ ପାର୍ଟି କ୍ଷମତାରେ ଅଛି
କେରଳ ଦେଶର ଏକମାତ୍ର ରାଜ୍ୟ କେରଳ, ଯେଉଁଠାରେ ବାମପନ୍ଥୀ ପାର୍ଟି କ୍ଷମତାରେ ଅଛି । ଏଠାରେ ପ୍ରତି ୫ ବର୍ଷରେ କ୍ଷମତାରେ ପରିବର୍ତ୍ତନ ହେବାର ପରମ୍ପରା ରହିଆସିଛି । କିନ୍ତୁ ୨୦୨୧ରେ ବାମ ମୋର୍ଚ୍ଚ ଏଲ୍‌ଡିଏଫ୍ ଏହି ପରମ୍ପରାକୁ ଭାଙ୍ଗି କ୍ରମାଗତ ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିଛି । ଏଥର କଂଗ୍ରେସ ମେଣ୍ଟ ବିରୋଧ ହାୱାକୁ ପାଥେୟ କରି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି । ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ଭାଗ୍ୟ ପରୀକ୍ଷା ଏଥର ହେବ । କେରଳରେ ୧୪୦ ଆସନରେ ନିର୍ବାଚନ ହେବ ।
ପୁଡୁଚେରୀ; ଦେଶର ସବୁଠାରୁ କମ୍ ଆସନ ବିଶିଷ୍ଟ ବିଧାନସଭା
ପୁଡୁଚେରୀରେ ବିଧାନସଭା ଆସନ ସଂଖ୍ୟା ହେଉଛି ମାତ୍ର ୩୦ । ୨୦୨୧ରେ କଂଗ୍ରେସ ସରକାରର ପତନ ହେବା ପରେ ଏହି ରାଜ୍ୟରେ ଏଆଇଏନ୍‌ଆରସି- ବିଜେପି ମେଣ୍ଟ କ୍ଷମତାରେ ଅଛି । ଆରଏନ୍ ରଙ୍ଗାସ୍ୱାମୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ଏଥର କଂଗ୍ରେସ ଡିଏମ୍‌କେ ସହିତ ମେଣ୍ଟ କରି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି । ବିରୋଧୀ ହାୱା ଏଥର କାମ ଦେବ ବୋଲି କଂଗ୍ରେସ ଆଶା ରଖିଛି ।

Spread the love