ଓଡିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି : ବିଜେପି

ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ଉପସଭାପତି ଓ ରାଷ୍ଟ୍ରୀୟ ସ୍ୱୟଂ  ସେବକ ସଂଘ ପ୍ରଚାରକ ତଥା ବଂଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତା ସ୍ୱର୍ଗତଃ ସୁବାଷ ଚୈାହାନଙ୍କ ଅକାଳ ବିୟୋଗରେ  ରାଜ୍ୟ ବିଜେପି ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।  ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ  ପ୍ରଭାରୀ ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା,  ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ, ଉପ ନେତା ବିଷ୍ନୁ ସେଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା କେ.ଭି.ସିଂହଦେଓ, ମନମୋହନ ସାମଲ, ସୁରମା ପାଢୀଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀ  ଉପସ୍ଥିତ ରହି ସ୍ୱର୍ଗତଃ ଆତ୍ମାର ସଦ୍‌ଗତି କାମନା କରିଥିଲେ ।  ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରଂଜନ ପଟେଲ ଭିଡିଓ କନଫରେନ୍ସ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ  କରିବା ସହ ସ୍ୱର୍ଗତଃ ଚୈାହାନଙ୍କ ସ୍ମୃତିଚାରଣ କରିଥିଲେ । ପଶ୍ଚିମ ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ତଥା  ଉଦାର, ମେଳାପି ଏବଂ ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ ସ୍ୱର୍ଗତଃ ଚୈାହାନଙ୍କ ଅକାଳ ବିୟୋଗ ରାଜ୍ୟର ରାଜନୈତିକ ଓ
ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି ବୋଲି ଉପସ୍ଥିତ ସମସ୍ତ ନେତୃବୃନ୍ଦ ଶୋକ ବ୍ୟକ୍ତ କରିଥିଲେ । ଏଭଳି  ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇ ଅସୀମ  ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ  ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଜଣାଇଛନ୍ତି

Spread the love