ସରକାରଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ବ୍ଲକ ସାମ୍ନାରେ ଦୃଢ ପ୍ରତିବାଦ ଏବଂ ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର, ୨୯/୧୨ : ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି । ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ । କିନ୍ତୁ ଏଯାବତ୍ ସେ ପ୍ରତିଶୃତି ପୂରଣ ହୋଇ ପାରିଲା ନାହିଁ । ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରୁଛନ୍ତି ଏବଂ ତଳେ ବିଜୁ
ବାବୁଙ୍କ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖାଯାଉଛି । ଅନ୍ୟପଟେ କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି ଦର୍ଶାଇ ହିତାଧିକାରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ବିରୁଦ୍ଧରେ ଆଜି ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀଙ୍କ ପ୍ରବଚଂନା ପୂର୍ଣ୍ଣ ଚିଠିକୁ ଚିରି ସେଥିରେ ନିଆଁ ଲଗାଇବା ସହ ସରକାରଙ୍କ ନାଁରେ ବିଭିନ୍ନ ଥାନାରେ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବହୁମୁଖୀ ଯୋଜନା । ଏହି ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ରସରକାର ରାଜ୍ୟକୁ ପଠାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ଶାସକ ଦଳର ନେତାମାନଙ୍କୁ ୨୦ ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । କିନ୍ତୁ ରାଜ୍ୟସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ଷଡଯନ୍ତ୍ର ଚଲାଇଛନ୍ତି । ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା କହି ବ୍ରାଣ୍ଡିଂ କରିଥିବା ରାଜ୍ୟସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା । ୨୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ । ୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ । ସେହିପରି ଘର ନିର୍ମାଣ ହୋଇଥିବା ସମସ୍ତ ଗରିବ ଲୋକଙ୍କର ସୂଚନା ସଂଗ୍ରହ କରାଯାଉଛି । ଏହି ଫର୍ମରେ ଘର ଠିକଣା ଠୁ ଆରମ୍ଭ କରି ବ୍ୟାଙ୍କ ଆକାଉଂଟ ନମ୍ବର, ଆଇଏଫଏସସି କୋର୍ଡ ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇ କୁହାଯାଉଛି ଯେ, ପଂଚାୟତ ନିର୍ବାଚନ ପୂର୍ବରୁ ତୁମ ଘର ମରାମତି ପାଇଁ ନବୀନ ବାବୁ ୧୦ ହଜାର ଟଙ୍କା ପଠାଇବେ । ଏପରି ଲୋକଙ୍କୁ ଭୂଆଁ ବୁଲାଇ ଆଗାମୀ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିବା ବିରୁଦ୍ଧରେ ଓଡିଶାର ଜନତା ଜବାବ ଦେବେ । ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ । ହିତାଧିକାରୀଙ୍କୁ ଘର ନମିଳିବା ପର୍ଯ୍ୟନ୍ତ ଷ୍ଟିକର ମରା ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟାଙ୍କ ଆକାଉଂଟ ସୂଚନା ସଂଗ୍ରାହକ ଲୋକମାନଙ୍କୁ ଗାଁରେ ପୂରାଇ ନଦେବାକୁ ଦଳ ତରଫରୁ ଆହ୍ୱାନ ଦିଆଯାଇଛି । ଭୁବନେଶ୍ୱର କ୍ୟାପଟାଲ ଥାନାରେ ସରକାରଙ୍କ ନାଁରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦିଆଯିବା ସହ ଖୋର୍ଦ୍ଧା ଜିଲ୍ଲାର ଚିଲିକା, ବାଣପୁର, ଗଂଜାମ ଜିଲ୍ଲାର ହିଂଜିଳି, ବୁଗୁଡା, କଟକ ଜିଲ୍ଲାର କଟକ ସଦର, ବାଙ୍କୀ, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତ କୋଇଲି, ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା, ନୂଆଗାଁ, ବିସ୍ରା, ଲାଠିଖଟା, ଝାରସୁଗୁଡା ଜିଲ୍ଲାର ଲଇକେରା, କିରମିରା, ଲଖନପୁର, ବଲାଙ୍ଗିର ଜିଲ୍ଲାର ଲୋଇସିଂହା, କେନ୍ଦ୍ରପଡା ଜିଲ୍ଲାର ବଡଚଣା, ଆଳି, ରାଜନଗର, ମାର୍ଶାଘାଇ, ଗରଦପୁର, ଡେରାବିସି ବ୍ଲକ ସମେତ ରାଜ୍ୟର ଯାଜପୁର, ଭଦ୍ର, ରାୟଗଡା, ସମ୍ବଲପୁର, ସୋନପୁର, କେଉଁଝର ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ନାରେ ଦୃଢ ପ୍ରତିବାଦ କରିବା ସହ ଥାନାରେ ଏତଲା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ନେତୃବୃନ୍ଦ, ବିଜେପି ବିଧାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love