ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଓଡିଶା ସରକାର ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଅଣଦେଖା କରିଛନ୍ତି । ଆଜିର ପବିତ୍ର ଉତ୍କଳ ଦିବସ ଅବସରରେ ଯୁବକମାନେ ଓଡିଆ ଭାଷାକୁ ଗୁରୁତ୍ୱ ଦେବା, ଆତ୍ମନିର୍ଭର ହେବା, ଭୋକାଲ ଫର ଲୋକାଲ ହେବା, ମହାପୁରୁଷଙ୍କ ବାଣୀକୁ ଅନୁସରଣ କରି ନୂତନ ଓଡିଶା ଗଠନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୁବକମାନଙ୍କ ଆହ୍ୱାନ ଦେଇଛନ୍ତି । ଆଜି ଅନୁଷ୍ଠିତ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ରାଜ୍ୟରେ ବେରୋଜଗାର, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ନହେବା, ଶିକ୍ଷିତ ଯୁବକଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନମିଳିବା, କରୋନା ସମୟରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକ ଭାଇ ଭଉଣୀମାନଙ୍କର ଦକ୍ଷତା ମ୍ୟାପିଂ ନକରି ନିଯୁକ୍ତି ନଦେବା, ଯୁବ ପ୍ରତିଭାଙ୍କୁ ଅଣଦେଖା କରିବର ଆଦି ପ୍ରସଙ୍ଗ ରାଜ୍ୟ ପଦାଧିକାରୀ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଯୁବତୀମାନଙ୍କ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି ା ଦେଶର ଯୁବକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ, ମେକ ଇନ ଇଣ୍ଡିଆ ଆଦି ଲାଗୁ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୁବ କଲ୍ୟାଣ ନୀତି ଏବଂ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା । ଦୀର୍ଘ ୨୧ ବର୍ଷ ଧରି ବିଜେଡି ସରକାର ଓଡିଶାର ଯୁବକ ଯୁବତୀମାନଙ୍କୁ ଅଣଦେଖା କରିଚାଲିଛି । ଗତ ସାଧାରଣ ନିର୍ବାଚନରେ ବିଜୁଯୁବ ବାହିନୀ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରଗଲା । ଆଉ ଏବେ ଏହାକୁ ବନ୍ଦ କରି ଓଡିଶାର ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ବର୍ବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ ଖଣିଜ ସଂପଦ, ବିସ୍ତୁତ ବେଳାଭୂମି, ବ୍ୟାପକ ଜଙ୍ଗଲ ଓ ଜଳ ସଂପଦ ଥିବା ସତ୍ୱେ ଓଡିଶାର ଯୁବକମାନେ ଆଜି ବି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଅପରପଟେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତର ବିକାଶ ଓଡିଶାରୁ ଆରମ୍ଭ ହୋଇଛି । ମୋଦି ସରକାର ଓଡିଶାର ଯୁବକଯୁବତୀମାନଙ୍କ ବିକାଶ ପାଇଁ ପ୍ରତିଶୃତିବଦ୍ଧ । ଓଡିଶାର ଯୁବକମାନେ କିଭଳି ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ ହେବେ ସେ ନେଇ ବ୍ୟାପକ ଭାବେ ଆଲୋଚନା ହୋଇଥିଲା । ଭୋକାଲ ଫର ଲୋକାଲକୁ ଯୁବକମାନେ ଗୁରୁତ୍ୱ ଦେବା ନେଇ ବିସ୍ତୁତ ଭାବେ ଆଲୋଚନା ହେବା ସହ ଆଗାମୀ ଦିନରେ ଦୁର୍ନୀତିଗ୍ରସ୍ତ ଓ ଭଷ୍ଟ୍ର ସରକାରକୁ ହଟାଇବା ପାଇଁ ଯୁବକମାନେ ସଂକଳ୍ପ ନିଅନ୍ତୁ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି ।ଓଡିଶାର ଯୁବକମାନେ ନିଜ ପ୍ରତିଭା ବଳରେ ଦେଶ ବିଦେଶରେ ଅନେକ ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ସେମାନଙ୍କ ପ୍ରତିଭାକୁ ସମ୍ମାନିତ କରୁନାହାଁନ୍ତି ବୋଲି ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ଶାସକ ଦଳର ଦୋଷ ଦୁର୍ବଳତାକୁ ଲୋଚଲୋଚନକୁ ଆଣିବା ପାଇଁ ଯୁବକ ଯୁବତୀମାନଙ୍କୁ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ । ତୃଣମୂଳସ୍ତରରେ ଲୋକମାନଙ୍କର ସେବା କରିବା ସହ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଫୋରମରେ ସାହାଯ୍ୟ କରିବାକୁ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଆହ୍ୱାନ ଦେଇଛନ୍ତି । ସାଂଗଠନିକ ବିଷୟ ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି କାର୍ଯ୍ୟକାରିଣୀକୁ ଅବଗତ କରାଇଥିଲେ । ୨ଟି ପର୍ଯ୍ୟାୟରେ ଆଗତ ରାଜନୈତିକ ଚିଠାର ପ୍ରଥମ ପ୍ରସ୍ତାବ “ସମର୍ଥ ଯୁବ – ଅପାର ସମ୍ଭାବନା, ଦୂରଦୃଷ୍ଟିହୀନ ରାଜ୍ୟ ସରକାର”କୁ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର ଆଗତ କରିଥିଲେ । ଯୁବମୋର୍ଚ୍ଚା ସଂଯୋଜକ ଭକ୍ତ ବତ୍ସଳ ବସ୍ତିଆ ଓ ସଂପାଦକ ପ୍ରିତେଶ ଭୋଇଦର ସମର୍ଥନ ଜଣାଇଥିଲେ । ଏହି ପ୍ରସ୍ତାବ ଉପରେ କାର୍ଯ୍ୟକାରିଣୀରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ସଂକଳନ କରିଥିଲେ । ୨ୟ ରାଜନୈତିକ ପ୍ରସ୍ତାବ “ଆତ୍ମନିର୍ଭର ଭାରତରେ ମୋଦି ସରକାରଙ୍କ କେନ୍ଦ୍ର ବିନ୍ଦୁରେ ଓଡିଆ ଯୁବକ”କୁ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ ଆଗତ କରିଥିଲେ ଓ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାର୍ଥ ଗଙ୍ଗଦେବ ଓ ସଂଯୋଜକ ସୂରଜ ସୂର୍ଯ୍ୟବଂଶୀ ସମର୍ଥନ କରିଥିଲେ । ଏହି ଅବସରରେ ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଷଡଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡିଶାର ଯୁବକମାନଙ୍କୁ ରାଜ୍ୟ ସରକାର ରୋଜଗାର ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟ ବଜେଟରେ କେନ୍ଦ୍ର ସରକାରଙ୍କ ଭାଗ ବଢି ବଢି ଚାଲିଥିବାବାଳେ ରାଜ୍ୟର ଅଂଶ କମୁଛି । ୨୦୧୪-୧୫ରୁ କ୍ରମାଗତ ଭାବେ ରାଜ୍ୟ ବଜେଟରେ କେନ୍ଦ୍ର ସରକାରଙ୍କ ଅଂଶ ୪୬ ପ୍ରତିଶତରୁ ବୃଦ୍ଧି ପାଇ ୫୦ ପ୍ରତିଶତରେ ପହଂଚିଲାଣି । ଅନ୍ୟପଟେ ରାଜ୍ୟର ନିଜସ୍ୱ ରୋଜଗାର କମୁଥିବାବେଳେ ଋଣ ଭାର ମୁଣ୍ଡପିଛା ୨୩,୫୨୪ ଟଙ୍କା ରହିଛି । ଓଡିଶାରେ ବାଣିଜ୍ୟିକ ଖନନ, ଉତ୍ପାଦନ ଏବଂ ଶିଳ୍ପାୟନକୁ ରାଜ୍ୟ ସରକାର ଅବହେଳା କରିଚାଲିଛନ୍ତି ା ବାଲେଶ୍ୱରର ବିର୍ଲା ଟାୟାର୍ସ, ଇସ୍ପାତ ଆଲେଜ, ଇମାମି ପେପର ମିଲର୍ସ ଏବେ ଏକ ପ୍ରକାର ବନ୍ଦ ହୋଇ ପଡିଛି । ରାଜ୍ୟରେ ମେକ ଇନ ଓଡିଶା ଫେଲ୍ ମାରିଛି । ୨୮୬ ଟି ପ୍ରସ୍ତାବ ମଧ୍ୟରୁ ଏବେ ସୁଦ୍ଧା ମାତ୍ର ୧୧ ଟି ପ୍ରକଳ୍ପ ଆରମ୍ଭ କରାଯାଇଛି । ୨୦୧୬, ଜୁନ୍ ୧୭ ରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ପ୍ରତିଷ୍ଠା ସମୟରେ ୩ ବର୍ଷରେ ୮ ଲକ୍ଷ ମାନବ ସମ୍ଭଳ ତିଆରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ ଅନୁଯାୟୀ ମାନବ ସମ୍ବଳର ସବୋର୍ଚ୍ଚ ନିଯୁକ୍ତି ଯୋଗ୍ୟ ଶୀର୍ଷ ୧୦ ରାଜ୍ୟର ତାଲିକା ମଧ୍ୟରେ ଓଡିଶାର ନାଁ ନାହିଁ । ଓଡିଶାରେ ୬୮ ପ୍ରତିଶତରୁ ଅଧିକ ମାନବ ସମ୍ବଳ ଚାକିରୀ ପାଇବାକୁ ଅଯୋଗ୍ୟ । ନିର୍ବାଚନ ଜିତିବା ପାଇଁ ହୋଇଥିବା ବିଜୁ ଯୁବ ବାହିନୀର ଏବେ ଅସ୍ତୀତ୍ୱ ନାହିଁ । ସେହିପରି ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ଅନ୍ତ ଘଟିଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଶାର ପୁରପଲ୍ଲୀରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ପ୍ରଶଂସା କରିବା ସହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଓଡିଶାର ପ୍ରତିଭାଙ୍କୁ ଚିହ୍ନିପାରୁ ନାହାଁନ୍ତି । ଅପପୃଷ୍ଟି ଜାତୀୟ ହର ୩୪.୭ ପ୍ରତିଶତ ଥିବାବାଳେ ଓଡିଶାରେ ଏହା ୨୯.୧ ପ୍ରତିଶତ ରହିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ରାଜ୍ୟ ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ଅନୁଯାୟୀ ଓଡିଶାରେ ପ୍ରତ୍ୟେକ ଦିନ ୮ଟି ବଳାତ୍କାର ଓ ୪ଟି ହତ୍ୟା ମାମଲା ରୁଜୁ ହେଉଛି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବ୍ୟାପକ ଅର୍ଥ ମଂଜୁର କରାଯାଇଛି । ଓଡିଆ ଯୁବକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡିଶାରେ ୩୬ ଲକ୍ଷ ହିତାଧିକାରୀଙ୍କୁ ମୁଦ୍ରା ଶିଶୁ ଋଣ ଦିଆଯାଇଛି । ଆଜିର ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ପଦାଧିକାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଯୁବମୋର୍ଚ୍ଚାର ନୂତନ କମିଟିର ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ବୈଠକରେ ବରିଷ୍ଠ ନେତା ରଂଜନ ପଟେଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର ଓ ଦୀପକ ଗୋଚ୍ଛାୟତଙ୍କ ସମେତ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love