ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି: ବିଜେପି

ଭୁବନେଶ୍ୱର: ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି । ରାଜ୍ୟରେ ପ୍ରତି ୩ ଜଣରେ ୧ ଗରୀବ । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଏବଂ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ପଦାରେ ପକାଇଛି । ଦୀର୍ଘ ୨୨ ବର୍ଷ ବିଜେଡି ଶାସନ ପରେ ମଧ୍ୟ ରାଜ୍ୟରେ ଗରୀବି ନହଟିବା ଅତ୍ୟନ୍ତ ଲଜ୍ଜାଜନକ । ବିଶେଷ ଭାବେ ରାଜ୍ୟର ଆଦିବାସୀବହୁଳ ଜିଲ୍ଲା ମାନଙ୍କରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ନବରଙ୍ଗପୁର ଜିଲ୍ଲାରେ ୫୯.୩୨ ପ୍ରତିଶତ; ମାଲକାନଗିରି ଜିଲ୍ଲାରେ ୫୮.୭୧ପ୍ରତିଶତ; କୋରାପୁଟ ଜିଲ୍ଲାରେ ୫୧.୧୪ ପ୍ରତିଶତ; ରାୟଗଡା ଜିଲ୍ଲାରେ ୪୮.୧୪ ପ୍ରତିଶତ; କଳାହାଣ୍ଡି ଜିଲ୍ଲାରେ ୪୭.୨୮ ପ୍ରତିଶତ; ମୟୁରଭଞ୍ଜ ଜିଲ୍ଲାରେ ୪୪.୯ ପ୍ରତିଶତ; କନ୍ଧମାଳ ଜିଲ୍ଲାରେ ୪୪.୭ ପ୍ରତିଶତ ଜନତା ଗରିବୀ ସୀମା ରେଖାତଳେ ବାସ କରୁଥିବାର ନୀତି ଆୟୋଗ ରିପୋର୍ଟରେ ଖୁଲାସା ହୋଇଛି । ଆଜି ବି ରାଜ୍ୟର ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷାର ମୈାଳିକ ଭିତିଭୁମିର ଘୋର ଅଭାବ ରହିଛି । ଆବଶ୍ୟକୀୟ ଶିକ୍ଷକ ଓ ଡାକ୍ତରୀ ପଦବୀ ବହୁ ସଂଖ୍ୟାରେ ଖାଲି ପଡିଛି । ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର କେବଳ ମିଛ ପ୍ରଚାର କରି ସରଳ ଓ ନୀରିହ ଆଦାବାସୀମାନଙ୍କୁ ପ୍ରତାରଣା କରୁଛି । ଏହା ବିରୁଦ୍ଧରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ରାଜ୍ୟରେ ପ୍ରାୟ ୧ କୋଟି ୧୦ ଲକ୍ଷ ଆଦିବାସୀ ବାସ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଆଦିବାସୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରିବା ସହିତ ସେମାନଙ୍କୁ ତାଙ୍କ ମୈାଳିକ ହକ୍ ପ୍ରଦାନରୁ ବଂଚିତ କରୁଛନ୍ତି । ଆଦିବାସୀମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଏବଂ କେନ୍ଦ୍ରୀୟ ଅନୁଦାନର ବାଟମାରଣ କାରଣରୁ ରାଜ୍ୟର ଆଦିବାସୀବହୁଳ ଜିଲ୍ଲାଗୁଡିକର ବିକାଶ ହୋଇପାରୁନାହିଁ । ଶାସକ ବିଜେଡିର ୨୨ ବର୍ଷ ଶାସନ ପରେ ବି ଆଜି ରାଜ୍ୟର ଆଦିବାସୀ ଭୋକ ଉପାସରେ ଶୋଉଛନ୍ତି । ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଗତ ୪ ବର୍ଷରେ ୪୭୨୨୯କୋଟି ଟଙ୍କା କେନ୍ଦ୍ରରୁ
ଆସିଥିବାବେଳେ ୫୫୨ କୋଟିରୁ ଉର୍ଦ୍ଧ ଟଙ୍କାର ୟୁସି ରାଜ୍ୟ ସରକାର ଦେଇନାହାନ୍ତି । ସେହିପରି ଅନ୍ୟ ଏକ ଯୋଜନାରେ ଗତ ୩ବର୍ଷରେ କେନ୍ଦ୍ରୀୟ ଅନୁଦାନ ୪୨୮୬୪ କୋଟି ଟଙ୍କାରୁ ୭୦୯୬ କୋଟି ଟଙ୍କାର ୟୁସି ଦେଇନାହାନ୍ତି ରାଜ୍ୟ ସରକାର । ଏହା ରାଜ୍ୟ ସରକାରଙ୍କ ଅବହେଳାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ତଥା ପୁର୍ବତନ ବିଧାୟକ ଶ୍ରୀ ରବି ନାଏକ କହିଛନ୍ତି ।

Spread the love