ବାଜି ମାରିନେଲା ବିଜେପି; ଚଣ୍ଡିଗଡ଼ର ମେୟର ନିର୍ବାଚିତ ହେଲେ ବିଜେପିର ସରବଜୀତ କୌର

ଚଣ୍ଡିଗଡ ୦୮/୦୧: ବାଜି ମାରିନେଲା ବିଜେପି । ଚଣ୍ଡିଗଡ଼ ମ୍ୟୁନିସିପାଲଟି କର୍ପୋରେସନର ମେୟର ନିର୍ବାଚିତ ହୋଇଛନ୍ତି ବିଜେପିର ସରବଜୀତ କୌର । ସରବଜୀତ ଆମ ଆଦମୀ ପାର୍ଟିର ଅଞ୍ଜୁ କାତ୍ୟାଲଙ୍କୁ ଗୋଟିଏ ଭୋଟରେ ପରାସ୍ତ କରି ଚଣ୍ଡିଗଡ ମ୍ୟୁନସିପାଲଟିର ନୂତନ ମେୟର ହୋଇଛନ୍ତି।

ଶନିବାର ହୋଇଥିବା ମେୟର ନିର୍ବାଚନରେ ମୋଟ ୩୬ଟି ଭୋଟରୁ କେବଳ ୨୮ଟି ଭୋଟ ହୋଇଥିଲା। କଂଗ୍ରେସର ୭ ଜଣ ଏବଂ ଶିରୋମଣି ଅକଳୀ ଦଳର ଏକ ମାତ୍ର କାଉନସିଲର ଭୋଟିଂରେ ଅନୁପସ୍ଥିତ ରହିଥିଲେ । ୨୮ଟି ଭୋଟ ମଧ୍ୟରୁ ସରବଜୀତଙ୍କୁ ୧୪ ଖଣ୍ଡ ଭୋଟ ମିଳିଥିବା ବେଳେ ଆମ ଆଦମୀ ପାର୍ଟିର କାତ୍ୟାଲଙ୍କୁ ୧୩ ଖଣ୍ଡ ଭୋଟ ମିଳିଥିଲା ଏବଂ ଗୋଟିଏ ଭୋଟ ଅବୈଧ ଘୋଷଣା ହୋଇଥିଲା।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆମ ଆଦମୀ ପାର୍ଟିର କାଉନସିଲରମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ମୁତୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୭ରେ ଘୋଷଣା ହୋଇଥିବା ଚଣ୍ଡିଗଡ଼ ମ୍ୟୁନିସିପାଲଟି କର୍ପୋରେସନ ନିର୍ବାଚନ ଫଳାଫଳରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନଥିଲା । ନିର୍ବାଚନରେ ଆମ ଆଦମୀ ପାର୍ଟି ୧୪ ଏବଂ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିଲେ । କଂଗ୍ରେସକୁ ୮ ଏବଂ ଶିରୋମଣି ଅକାଳୀ ଦଳରୁ ଗୋଟିଏ ଆସନ ମିଳିଥିଲା ।   

କଂଗ୍ରେସର କାଉନସିଲର ହରପ୍ରୀତ କୌର ନିର୍ବାଚନ ଫଳାଫଳ ଘୋଷଣାର କିଛି ଦିନ ପରେ ବିଜେପିରେ ସାମିଲ ହୋଇଥିଲେ । ୩୫ କାଉନସିଲରଙ୍କ ବ୍ୟତିତ ଚଣ୍ଡିଗଡ଼ର ସାଂସଦଙ୍କୁ ଏହି ନିର୍ବାଚନରେ ମତଦାନର ଅଧିକାର ରହିଛି । ବିଜେପିର ବିଜୟ ପରେ ସରବଜୀତ କୌରଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ବିଟ କରି ସରବଜୀତ କୌରଙ୍କୁ ଶୁଭେଚ୍ଛା ଜଣାଇଛବା ସହ ଚଣ୍ଡିଗଡ଼ରେ ବିକାଶର କାର୍ଯ୍ୟକୁ ଆଗେଇ ନେବାକୁ କହିଛନ୍ତି । 

Spread the love