ସଂଘୀୟ ବ୍ୟବସ୍ଥାରେ ରୁଗଣ୍ ମାନସିକତାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ :ବିଜେପି

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠାତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତ ସିଂହାର କହିଛନ୍ତି ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗ୍ରାମାଚଂଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ କରିଛନ୍ତି । ଚିରାଚରିତ ଢଙ୍ଗରେ ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହା କରି ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ନାହିଁ । ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ ବିଜୁ ପକ୍କାଘର ବୋଲି ବିଜ୍ଞାପନ ଦେଉଛନ୍ତି । ପୁର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ବିଜ୍ଞପ୍ତିରେ କେବଳ ପକ୍କା ଘର କହି ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ବୋଲି କହି ଭ୍ରମିତ କରିବା ରାଜ୍ୟ ସରକାରଙ୍କ ପୁରୁଣା ରୋଗ । ରାଜ୍ୟ ସରକାରଙ୍କ ପକ୍କା ଘର ସର୍ଭେ ବିଜ୍ଞାପନରେ ଚିତ୍ରିତ ହୋଇଥିବା ଘରେ ବିଜୁ ପକ୍କା ଘର ଲୋଗୋ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ଏହି ଯୋଜନାରେ ସିଂହ ଭାଗ ଘର ନିର୍ମାଣ ହେବା ପରେ ବି ରାଜ୍ୟ ସରକାର କାହିଁକି ପ୍ରଧାନମନ୍ତ୍ରୀଙ୍କ ନାଁ ନେଉ ନାହାଁନ୍ତି କି ଧନ୍ୟବାଦ ଦେଉନାହାଁନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି ।

ବିଜୁ ପକ୍କାଘର ପାଇଁ ରାଜ୍ୟ ସରକାର ତାଙ୍କ ବଜେଟରେ ଟଙ୍କା ଟିଏ ବି ଅନୁମୋଦନ ଦେଇ ନାହାଁନ୍ତି । ୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟ ସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘରରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ୨୦ ଲକ୍ଷ ପକ୍କାଘରରୁ ୨୦୧୭-୨୦ ପର୍ଯ୍ୟନ୍ତ ରାଜ୍ୟ ସରକାର ଟଙ୍କା ଟିଏ ବ୍ୟୟବରାଦ କରିନଥିବା ବେଳେ କେନ୍ଦ୍ର ସରକାର ୨୦୧୭-୧୮ରେ ୩ ହଜାର ୧୦୦ କୋଟି, ୨୦୧୮-୧୯ରେ ୩ହଜାର ୬୦୦ କୋଟି, ୨୦୧୯-୨୦ରେ ୪ ହଜାର ୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଡ.ସାମନ୍ତସିଂହାର କହିଛନ୍ତି । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି ପ୍ରତିଶୃତି ଦେଇଥିଲା କି, ଯାହାର ପକ୍କା ଘର ନାହିଁ ତାକୁ ପକ୍କା ଘର ଦିଆଯିବ ଏବଂ ଯାହାର ଘର ଢିଅ ନାହିଁ ତାଙ୍କୁ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଦିଆଯିବ । କିନ୍ତୁ ପ୍ରତିଶୃତିକୁ ରାଜ୍ୟ ସରକାର ପାଳନ କଲେ ନାହିଁ । ଆଜି ବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ । ସେହିପରି ଅନ୍ୟ ଏକ ବିଜ୍ଞାପନରେ ‘ରୁରାଲ ହାଉସିଂଙ୍ଗ ଫର ଅଲ’ ରେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । କେନ୍ଦ୍ର ସରକାରଙ୍କ ପଇସାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ ।

କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ । ସେହିପରି ଗରୀବ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟ ସରକାର କରିଆସିଛନ୍ତି । ରାଜ୍ୟସରକାର ପର ଘର ତିଅଣରେ ଅତିଥୀ ସକ୍ରାର କରୁଛନ୍ତି । ହୀନ ରାଜନୀତିରୁ ନିବୃତି ରଖି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ଧନ୍ୟବାଦ ଦେବା ଆରମ୍ଭ କରନ୍ତୁ ବୋଲି ଡ.ସାମନ୍ତସିଂହାର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Spread the love