ସମାନ ଘଟଣା ପାଇଁ ପ୍ରଶାସନର ଦୋମୁହାଁ ନୀତି କାହିଁକି : ବିଜେପି
ଭୁବନେଶ୍ୱର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟବ୍ୟାପୀ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ କରିଥିବାବେଳେ ଶାସକ ବିଜେଡି ଦଳ ଜାଣିଶୁଣି ଏହି ନିୟମ ଉଲ୍ଲଂଘନ କରୁଛି । ବିଶେଷ ଭାବେ କରୋନା ସଂକ୍ରମଣଜନିତ ସମସ୍ତ କଟକଣାକୁ ଜଳାଞ୍ଜଳୀ ଦେଇଚାଲିଛି । ଗହଳି କରିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହା ସତ୍ୱେ ଶାସକ ବିଜେଡି ତରଫରୁ ଗହଳି କରାଯାଇ ଆଚରଣ ବିଧି ଉଲ୍ଲଂଘନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଇନ ବିରୁଦ୍ଧ । ପ୍ରଶାସନ ସାମ୍ନାରେ ଏବଂ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଶାସକ ବିଜେଡି ଦଳବାରମ୍ବାର ଆଇନ ଉଲ୍ଲଂଘନ କରୁଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଅନ୍ୟ ପକ୍ଷରେ ବିରୋଧୀ ଦଳଙ୍କ ପ୍ରତି ଜିଲ୍ଲା ପ୍ରଶାସନ ତରଫରୁ ଆକ୍ରୋଶମୂଳକ ବ୍ୟବହାର ପ୍ରଦର୍ଶନ କରାଯାଇ ହଇରାଣ କରାଯାଉଛି । ସମାନ
ଘଟଣା ପାଇଁ ପ୍ରଶାସନର ଦୋମୁହାଁ ନୀତି କାହିଁକି ? ରାଜ୍ୟ ନିର୍ବାଚନ କମିଶନ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି । ଗଞ୍ଜାମ ଜିଲ୍ଲାରେ ଧରାକୋଟ ବ୍ଲକ ପଂଚାୟତ ସମିତି ସଦସ୍ୟ ଭାବେ ଶାସକ ବିଜେଡି ପ୍ରାର୍ଥୀନି ଶ୍ରୀମତି ସୁଲକ୍ଷଣା ଗୀତାଞ୍ଜଳୀ କୋଭିଡ କଟକଣାକୁ ଅମାନ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ପୂରଣ କରିବା ପାଇଁ ଯାଇଥିଲେ । ଯଦିଓ ଏହି ଘଟଣା ଜିଲ୍ଲା ପ୍ରଶାସନ ସମ୍ମୁଖରେ ଘଟିଥିଲା, ତଥାପି ସେମାନଙ୍କ ବିରୋଧରେ
କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଘଟଣା ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣ ( ଭିଡିଓ ସିଡି) ପ୍ରଦାନ କରାଯାଇଛି ଏବଂ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ଏହି ଘଟଣାର ସମୀକ୍ଷା କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ
ଦାବୀ କରାଯାଇଛି । ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରବିଶଂକର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।