ସାନି ନିର୍ବାଚନ ନ ନେଲେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବୁ : ପୃଥ୍ୱୀରାଜ କୁଅଁର

କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ୭ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଣ୍ଡାସାହି, ମସିଣାଯୋଡି ଗ୍ରାମର ୭,୮ ଓ ୯ ନମ୍ବର ବୁଥ୍‌ରେ ଗତ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେଡି ତରଫରୁ ବ୍ୟାପକ ଭାବେ ବୁଥ୍ ରିଗିଂ ହୋଇଥିଲା । ଏହି ବୁଥ୍ ଦଖଲ ସମୟର ସମସ୍ତ ଘଟଣାର ଫଟୋ, ଭିଡିଓକୁ ସ୍ଥାନୀୟ ଘଟଗାଁ ବିଡିଓ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ବିହୀତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବୀ କରାଯିବା ସହିତ ଗତ ୧୮ ତାରିଖ ଦିନ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଘଟଣା ସଂପର୍କରେ ବିଧିବଦ୍ଧ ଭାବେ ଅବଗତ କରାଯାଇ ସାନି ନିର୍ବାଚନ ପାଇଁ ବିଜେପି ତରଫରୁ ଦାବୀ କରାଯାଇଥିଲା ।
ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ନିର୍ବାଚନ କମିଶନ ଆଜି ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପୁଣି ଥରେ ତଥ୍ୟ ପ୍ରମାଣ ସହ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ରିଗିଂ ହୋଇଥିବା ବୁଥ୍‌ମାନଙ୍କରେ ସାନି ମତଦାନ ପାଇଁ ଦାବୀ କରିଛନ୍ତି ।
ଘଷିପୁରା ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ବିଜେପି ପ୍ରାର୍ଥୀମାନେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି । ସାନି ନିର୍ବାଚନ ପାଇଁ କମିଶନ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନକଲେ ବାଧ୍ୟ ହୋଇ ନ୍ୟାୟାଳୟର ଆଶ୍ରୟ ନେବୁ ବୋଲି ଶ୍ରୀ କୁଅଁର କହିଛନ୍ତି ।

Spread the love