“ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ କାଟି ମିଛ ବିଜ୍ଞାପନ ଦେଇ ସଙ୍ଘୀୟ ବ୍ୟବସ୍ଥାକୁ ଉଲଙ୍ଘନ କରୁଛନ୍ତି ରାଜ୍ୟସରକାର”

ରାଜ୍ୟସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁ  କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହାର ପ୍ରତିବାଦ କରି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅବଗତ କରାଇଛନ୍ତି । ହୀନ ରାଜନୀତିରୁ ନିବୃତି ରଖି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା‛ ଲେଖିବା ସହ ନିର୍ମାଣ ହେଉଥିବା ପକ୍କାଘରରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା‛ ବୋଲି ଲେଖନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି ।  ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଚଂଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଛି l ଚିରାଚରିତ ଢଙ୍ଗରେ ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ନାହିଁ । ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତାର ପରିଚୟ । ପୁର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦଦେଇ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ବିଜ୍ଞପ୍ତିରେ କେବଳ ପକ୍କା ଘର କହି ଲୋକମାନଙ୍କୁ ରାଜ୍ୟସରକାରଙ୍କ ଯୋଜନା ବୋଲି କହି ଭ୍ରମିତ କରିବା ରାଜ୍ୟସରକାରଙ୍କ ପୁରୁଣା ରୋଗ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ  ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି ।

ଏହି ଯୋଜନାରେ ସିଂହ ଭାଗ ଘର ନିର୍ମାଣ ହେବାପରେ ବି ରାଜ୍ୟସରକାର କାହିଁକି ପ୍ରଧାନମନ୍ତ୍ରୀଙ୍କ ନାଁ ନେଉନାହାଁନ୍ତି କି ଧନ୍ୟବାଦ ଦେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଆଜିବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ । ୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କାଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ୨୦୧୭-୧୮ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ବି ବ୍ୟୟବରାଦ କରିନଥିବା ବେଳେ କେନ୍ଦ୍ରସରକାର ୨୦୧୭- ୧୮ରେ ୩ ହଜାର ୧୦୦ କୋଟି, ୨୦୧୮-୧୯ରେ ୩ହଜାର ୬୦୦ କୋଟି, ୨୦୧୯-୨୦ରେ ୪ ହଜାର ୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଶ୍ରୀ ମହାନ୍ତି କହିଛନ୍ତି ।

ସେହିପରି ଅନ୍ୟ ଏକ ବିଜ୍ଞାପନରେ ‘ରୁରାଲ ହାଉସିଂଙ୍ଗ ଫର ଅଲ’ ରେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । କେନ୍ଦ୍ର ସରକାରଙ୍କ ପଇସାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ । କେନ୍ଦ୍ରସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ । ସେହିପରି ଗରୀବ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟସରକାର କରିଆସିଛନ୍ତି । ରାଜ୍ୟସରକାର ପର ଘର ତିଅଣରେ ଅତିଥୀ ସକ୍ରାର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧୀ ଦଳରେ ପୂର୍ବତନ ବିଧାୟକ ଦଳ ନେତା  କେ.ଭି    ସିଂହଦେଓ, ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଜୟନ୍ତ ଷଡଙ୍ଗୀ, ରାଜ୍ୟ ସଂପାଦକ ଡ. ଯତୀନ ମହାନ୍ତି ଓ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Spread the love