ଚଳିତ ଋତୁରେ ୧୦୦ଟଙ୍କା ବୋନସ ଦିଅନ୍ତୁ ରାଜ୍ୟ ସରକାର : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୨୪/୧୧ : ଶାସକ ଦଳର ମୁଖ୍ୟମନ୍ତ୍ରୀ ଲମ୍ବା ସମୟ ଧରି ମିଥ୍ୟା କହିବା ସହ ଶାସନରେ ରହି ଗୋଧି ଓ କୁମ୍ଭୀର ଚମଡାରେ ପରିବୃତ ହୋଇଯାଇଛନ୍ତି । ରାଜ୍ୟ ସରକାରଙ୍କୁ ଚାଷୀଙ୍କ ଦୁଃଖ ଦେଖାଯାଉନି । ଏମ୍‌ଏସ୍‌ପି ବାଦ୍ ରାଜ୍ୟ ସରକାର ଘୋଷଣା କରିଥିବା ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କାର ବୋନସ ଓ କାଳିଆ ଯୋଜନାରେ ଚାଷୀଙ୍କୁ ୧୦ହଜାର ଟଙ୍କା ଯଥାଶୀଘ୍ର ପ୍ରଦାନ କରନ୍ତୁ । ଯଦି ଏହି ଦୁଇ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ପଦକ୍ଷେପ ନନିଅନ୍ତି ତାହାଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଓଡ଼ିଶାରେ ପାଦ ଥାପିବାକୁ ଚାଷୀକୂଳ ଦେବେ ନାହିଁ ବୋଲି ପ୍ରେସ ବାର୍ତା ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଭାରତୀୟ ଜନତା ପାର୍ଟି ଚାଷୀଙ୍କ ଲାଗି ଆଜିକୁ ୭ଦିନ ଧରି ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ସତ୍ୟାଗ୍ରହରେ ଆଜି କଟକ ଜିଲ୍ଲାର ଚୈଦ୍ୱାର, କଟକ ସଦର ଓ କଟକ ବାରବାଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚାଷୀ ଓ କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କୁ ଘେରିଥିଲେ ।
ଓଡ଼ିଶାର ଜନସାଧାରଣ ଓ ଚାଷୀ ବହୁତ ସରଳ ବିଶ୍ୱାସୀ ହୋଇଥିବାରୁ ରାଜ୍ୟ ସରକାରଙ୍କ କୁମ୍ଭୀର କାନ୍ଦଣାକୁ ସହଜରେ ବିଶ୍ୱାସ କରୁଛନ୍ତି । ୨୦୧୬ମସିହାରେ ମୁଖ୍ୟମନ୍ତ୍ରୀ ସୋହେଲାରେ କହିଥିଲେ ଚାଷୀଙ୍କୁ ଏମ୍‌ଏସ୍‌ପି ଉପରେ ୧୦୦ଟଙ୍କା ବୋନସ ଦେବେ । କିନ୍ତୁ ଆଜିକୁ ୬ବର୍ଷ ବିତିଯାଇଥିଲେ ବି ଜଣେ ଚାଷୀ ବୋନସ ପାଇନାହାନ୍ତି ବରଂ ଅନ୍ୟ ରାଜ୍ୟର ଚାଷୀମାନେ ବୋନସ ପାଉଛନ୍ତି । ଚଳିତ ଋତୁରେ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ୧୦୦ଟଙ୍କା ବୋନସ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ୨୦୧୮ମସିହାରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଘୋଷଣା କରି ୧୦ହଜାର ଟଙ୍କା ଦେବା ଘୋଷଣା କରିଥିଲେ । ୨୦୧୯ମସିହାର ନିର୍ବାଚନ ବୈତରଣୀ ପାର ହୋଇ ଚାଷୀଙ୍କୁ ଭୂଆଁ ବୁଲାଇ ସମସ୍ତ ଘୋଷଣା ଭୁଲି ଯାଇଥିଲେ । ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କ ଚାଷୀଙ୍କ କଥା ମନେ ପକାଇ କାଳିଆ ଯୋଜନାର ୧୦ହଜାର ଟଙ୍କାରୁ ୪୦୦୦ଟଙ୍କା ଚାଷୀଙ୍କୁ ଚକଲେଟ୍ ଖାଇବା ଲାଗି ନବୀନ ଦେଇଥାନ୍ତି । ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏହି ହୀନ ପ୍ରୟାସ ଚଳିବ ନାହିଁ ଓ ଯଥାଶୀଘ୍ର ଚାଷୀଙ୍କର ୨ଟି ଦାବିକୁ ରାଜ୍ୟ ସରକାର ପାଳନ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଶାରଦା ପ୍ରଧାନ, ବିନୋଦ ଦାଶ, କଟକନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ଆର୍ଶ୍ରିତ ପଟ୍ଟନାୟକ, ସୁଶାନ୍ତ ମଲ୍ଲିକ, ଦୁର୍ଯ୍ୟୋଧନ ଲେଙ୍କା, ହୃଷିକେଶ ଜେନା, ଗୌତମ ରାୟ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍‌, ଶ୍ରୀତମ ଦାସ, ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ପ୍ରଭଞ୍ଜନ ମହାପାତ୍ର, ପ୍ରବିଣା ମହାପାତ୍ର, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love