ଆସନ୍ତାକାଲି ଠାରୁ ୩ ଦିନିଆ ପ୍ରଚାରରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ପୃଥ୍ୱୀରାଜ ହରିଚନ୍ଦନ

ପଦମପୁର/ଭୁବନେଶ୍ୱର, ତା.୨୮/୧୧: ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ୩ ଦିନିଆ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ପଦମପୁରରେ ପ୍ରଚାର କରିବା ସହ ଆସନ୍ତା ୩ ତାରିଖରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୧୧.୩୦ରୁ ମାଣ୍ଡୋସିଲଠାରେ ଏକ ଜନସଭା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଚାର ଆରମ୍ଭ କରିବେ । ମିଠାପାଲି, ପାଇକମାଳ, ହିରାପୁର, ନୂଆ ଗାଁ, ଝାରମୁଣ୍ଡାରେ ରୋଡ ସୋ, ପଦଯାତ୍ରା କରିବେ । ଅପରାହ୍ନ ୪.୩୦ରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଦ୍ଧିତ କରିବେ । ଏହାପରେ ମାଲଦା, ପଲସଦା ଓ ଖଇରାରେ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲିର ଶେଷ କାର୍ଯ୍ୟକ୍ରମ ଭାବରେ ସନ୍ଧ୍ୟା ୬.୩୦ରେ ବିଜାଡିହରେ ଏକ ସାଧାରଣ ଜନସଭାରେ ଶ୍ରୀ ପ୍ରଧାନ ଯୋଗ ଦେବେ ।
ସେହିଭଳି ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ପଦମପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ସ୍ଥାନମାନଙ୍କରେ ସେ ପ୍ରଚାର କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଆଜି ପଦମପୁର ଅଂଚଳରେ ଆୟକର ବିଭାଗର ଚଢାଉକୁ ନେଇ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଆଇନକୁ ଭାଙ୍ଗିଥିବେ, ବେଆଇନ ଭାବରେ କଳାଟଙ୍କା ରଖିଥିବାର ପ୍ରମାଣ ଆୟକର ବିଭାଗ ପାଖରେ ଥିବ ତେବେ ଯାଇ ସେମାନେ ଚଢାଉ କରିଥିବେ । ବିଜୁ ଜନତା ଦଳର ମୁଖିଆ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି । ଆୟକର ଚଢାଉ ମଧ୍ୟ ଆଇନ ଆଧାରରେ ହେଉଛି । ବିଜୁ ଜନତା ଦଳ ଏହାକୁ କାହିଁକି ବିରୋଧ କରୁଛି । କଣ ନିର୍ବାଚନ ଅଛି ବୋଲି ଦୁର୍ନୀତିଗ୍ରସ୍ତ ଓ ଅପରାଧୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଣାନ ନକରାଯାଇ ସେମାନଙ୍କୁ ଛାଡି ଦିଆଯିବ କି ?

Spread the love