୨୪ ଘଂଟା ପରେ ମଧ୍ୟ ଏତଲା ରୁଜୁ ନହେବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ : ଅର୍ପିତା ବଡଜେନା

ଭୁବନେଶ୍ୱର, ତା.୦୧/୦୩: ଭାରତୀୟ ଜନତା ପାର୍ଟୀ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଗତ କାଲି ପୋଲିସର ଅମାନବୀୟ ମାଡ, ନିର୍ଦ୍ଦୋଶ କାର୍ଯ୍ୟକର୍ତାଙ୍କୁ ଆକ୍ରୋଶମୁଳକ ଭାବେ ଗିରଫ କରି ସଂଗୀନ ମାମଲାରେ ଜେଲକୁ ପଠାଇବା ବିରୋଧରେ ଗତ କାଲି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ୨୪ ଘଂଟା ବିତିବାକୁ ଗଲାଣି, କିନ୍ତୁ ବର୍ତମାନ ସୁଦ୍ଧା ଏତଲା ରୁଜୁ କରାଯାଇନାହିଁ । ଗୋଟିଏ ରାଷ୍ଟ୍ରୀୟ ଦଳର ଅଭିଯୋଗକୁ ପୋଲିସ ଗ୍ରହଣ ନକରିବା ପ୍ରସଙ୍ଗ ହିଁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ ବୟାନ କରୁଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରିବର୍ତେ ପୋଲିସକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର କରାଯିବା ଗଣତନ୍ତ୍ର ପ୍ରତି ଆଦୈା ଶୁଭଙ୍କର ନୁହେଁ । ବିକ୍ଷୋଭ, ପ୍ରତିବାଦ ଓ ଧାରଣା ଦେବା ପ୍ରତ୍ୟେକ ଲୋକଙ୍କର ଗଣତାନ୍ତ୍ରୀକ ଅଧିକାର । କିନ୍ତୁ, ଓଡିଶାରେ ବିଜେଡି ସରକାର ପୋଲିସ ଓ ପ୍ରଶାସନକୁ ଦଳୀୟ ସ୍ୱାର୍ଥରେ ଅପବ୍ୟବହାର କରି ଲୋକଙ୍କ ଗଣତାନ୍ତ୍ରୀକ ଅଧିକାରକୁ ଦମନ କରିବାର ପ୍ରୟାସ ଜାରୀ ରଖିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା କହିଛନ୍ତି ।

ଗତ କାଲି ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ ସମୟରେ ୫୦ରୁ ଉର୍ଦ୍ଧ୍ୱ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ଦିର୍ଘ ସମୟ ଧରି ଆହତ କାର୍ଯ୍ୟକର୍ତାମାନେ ଷ୍ଟ୍ରେଚରରେ ପଡି ରହି ଉପଯୁକ୍ତ ଚିକିତ୍ସା ପାଇଁ ଅପେକ୍ଷା କରୁଥିବାବେଳେ ଅନ୍ୟପଟେ ସାମାନ୍ୟ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ଏସି ରୁମ୍‌ରେ ଭିଭିଆଇପି ଚିକିତ୍ସା କରାଯାଉଥିଲା । ଉପଯୁକ୍ତ ଚିକିତ୍ସା ନପାଇ ବହୁ କାର୍ଯ୍ୟକର୍ତା ଅନ୍ୟତ୍ର ଚିକିତ୍ସିତ ହୋଇଥିଲେ । ଏହି ଘଟଣା ରାଜ୍ୟର କେବଳ ପୋଲିସ ଅବ୍ୟବସ୍ଥାରେ ଥିବା ତୃଟିକୁ ପ୍ରକାଶ କରିନାହିଁ ବରଂ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ପଦାରେ ପକାଇ ଦେଇଛି ବୋଲି ସୁଶ୍ରୀ ବଡଜେନା କହିଛନ୍ତି ।
ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୋଲିସର ମାଡ, ସାଧା ପୋଷାକଧାରୀ ପୋଲିସ ଏବଂ ବିଜେଡି ଗୁଣ୍ଡାମାନେ ବିକ୍ଷୋଭକାରିଙ୍କୁ ଉସୁକାଇବା ସହିତ ଉତେଜିତ କରୁଥିବାର ଭିଡିଓ ବର୍ତମାନ ବିଭିନ୍ନ ଗଣମାଧ୍ୟ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇସାରିଛି । କିନ୍ତୁ ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ବିଜେପିର ଏତଲାକୁ ପୋଲିସ କାହିଁକି ଓ କାହା ଚାପରେ ଗ୍ରହଣ କରୁ ନାହିଁ । ଯଦି ରାଜ୍ୟ ରାଜଧାନୀରେ ଗୋଟିଏ ରାଷ୍ଟ୍ରୀୟ ଦଳର ଅଭିଯୋଗକୁ ପୋଲିସ ଗ୍ରହଣ କରୁନାହିଁ, ତାହେଲେ ଅନ୍ୟାନ୍ୟ ସ୍ଥାନରେ ସାଧାରଣ ଜନତାଙ୍କ ଏତଲାକୁ କିଭଳି ଗ୍ରହଣ କରୁଥିବେ ତାହା ସ୍ପଷ୍ଟ ଅନୁମେୟ ବୋଲି ସୁଶ୍ରୀ ବଡଜେନା କହିଛନ୍ତି ।
ରାଜ୍ୟର ଅଗଣିତ ଯୁବ ଭାଇ ଓ ଭଉଣୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସରକାର ବିରୋଧରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବା ସହିତ ଲଢେଇ ଜାରୀ ରହିବ ବୋଲି ସୁଶ୍ରୀ ବଡଜେନା କହିଛନ୍ତି ।

Spread the love