ପୋଲିସର ପକ୍ଷପାତିତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ : ସମୀର ମହାନ୍ତି

ଭୁବନେଶ୍ୱର, ତା.୦୧/୦୩: ଗତ କାଲି ଆକ୍ରୋଶମୁଳକ ଭାବେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ଯୁବ କାର୍ଯ୍ୟକର୍ତାଙ୍କୁ ପୋଲିସ ଅଟକ ରଖିବା ପରେ ୩୦୭ ଭଳି ବିଭିନ୍ନ ସଂଗୀନ ଦଫାରେ ଗିରଫ କରି ରାତି ଅଧରେ କୋର୍ଟକୁ ଫରଓ୍‌ôାର୍ଡ କରି ଜେଲ୍‌କୁ ପଠାଇ ଦେଇଥିଲେ । ମିଛ କେସ୍ କରି କେଉଁ ଭଳି ଭାବେ ଜଣେ ନିର୍ଦ୍ଦୋଷକୁ ଫସେଇ ଜେଲ୍‌ରେ ଭର୍ତି କରାଯାଇପାରେ, ଏ କଥା ବିଜେଡି ସରକାରଠାରୁ ଆଉ କିଏ ଭଲ ଭାବେ ଜାଣିନାହାନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଓ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପକ୍ରିୟାକୁ ବିଳମ୍ବିତକୁ ନେଇ ଗତକାଲି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଉ ଡକରା ଦିଆଯାଇଥିଲା । ହଜାର ହଜାର ସଂଖ୍ୟାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ । ଶାନ୍ତିଶୃଙ୍ଖଳା ସହ ବିକ୍ଷୋଭ ପ୍ରଦର୍ଶନ ପାଇଁ ଯାଉଥିବା ସମୟରେ ବିଜେପିର ଶୃଙ୍ଖଳିତ କର୍ମୀମାନଙ୍କୁ କିଛି ବିଜେଡି ଗୁଣ୍ଡାମାନଙ୍କ ସହ ମିଶି ପୋଲିସ ଅମାନବୀୟ ମାଡ ମରିବା ସହ ଟଣାଭିଡା କରିଥିଲେ । ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହୋଇଥିଲେ । ପୋଲିସ ଏବଂ ସାଧା ପୋଷାକଧାରୀ ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ମାମଲାରେ ଗତ କାଲି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଥିଲେ । ୨୪ ଘଂଟା ବିତିବାକୁ ଯାଉଥିବା ବେଳେ ବର୍ତମାନ ସୁଦ୍ଧା ପୋଲିସ ତରଫରୁ ମାମଲା ରୁଜୁ ନହେବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ ଏବଂ ଏଠି ଆଇନର ଶାସନ ଚାଲୁନାହିଁ ବରଂ ଶାସକ ଦଳ ଇଙ୍ଗିତରେ ଓଡ଼ିଶା ପୋଲିସ କାର୍ଯ୍ୟକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପୋଲିସ ଯେଉଁମାନଙ୍କୁ ଗିରଫ କରିଛି ସେମାନେ ଆନ୍ଦୋଳନରେ ନଥିଲେ । ପୋଲିସର ଏଭଳି ପକ୍ଷପାତିତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ଆନ୍ଦୋଳନ ଓ ପ୍ରତିବାଦ କରିବା ପାଇଁ ଗଣତନ୍ତ୍ରରେ ସମସ୍ତଙ୍କ ଅଧିକାର ରହିଛି । ଜନତାଙ୍କ ସେବାରେ ଏବଂ ବିଚାରଧାରାକୁ ଭଲପାଉଥିବା ଯୁବନେତାଙ୍କୁ ପୋଲିସ ମିଥ୍ୟା ମକଦମା ଜରିଆରେ ତାଙ୍କ ସ୍ୱରକୁ ଚପାଇ ପାରିବ ନାହିଁ । ଯୁବମୋର୍ଚ୍ଚାର ମନବଳ ସୁଦୃଢ଼ ଅଛି, ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି । ଶାସକ ବିଜେଡିର ନିର୍ଦ୍ଦେଶରେ ଗିରଫ ହୋଇ ଜେଲରେ ଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟି ପାର୍ଟୀ ତରଫରୁ ସମସ୍ତ ଆଇନଗତ ସହଯୋଗ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସାନ୍ତ୍ୱନା ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଅନୀଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ପୂର୍ବତନ କର୍ପୋରେଟର ସୁରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love