ଭୁବନେଶ୍ୱର ପହଞ୍ଚିଲେ ଅମିତ ଶାହା

ଭୁବନେଶ୍ୱର, କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଦୀପ୍ତ ନାୟକ, ଭୁନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ସ୍ୱାଗତ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାରରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ଗୋଟିଏ ସରକାରୀ, ଗୋଟିଏ ଘରୋଇ ଓ ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସେ ‌ଯୋଗ ଦେବେ। ଆସନ୍ତାକାଲି ସେ ପୁରୀରେ ରାତ୍ରିଯାପନ କରିବା ସହ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହଙ୍କ ଗସ୍ତ ଦୃଷ୍ଟିରୁ ଭୁବନେଶ୍ବର ଓ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଅପରାହ୍ନ ପ୍ରାୟ ୨ଟା ଯାଏ ବୈଠକ ଚାଲିବ। ଅପରାହ୍ନ ସାଢ଼େ ଦୁଇଟାରେ ଶ୍ରୀ ଶାହ ଜନତା ମଇଦାନରେ ବିଜେପି ପକ୍ଷରୁ ସିଏଏ ସମର୍ଥନରେ ହେଉଥିବା ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେବେ। ଏଥି ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନର ଦଳର ହଜାର ହଜାର କର୍ମୀ ଏଥିରେ ଯୋଗ ଦେବେ। ସମାବେଶ ପରେ ହୋଟେଲ୍‌ ମେ ଫେୟାରରେ ଶ୍ରୀ ଶାହ ବିଜେପିର ପ୍ରମୁଖ କର୍ମକର୍ତ୍ତାମାନଙ୍କୁ ଭେଟି ଦଳର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଦଳର ସବୁ ସାଂସଦ, ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଉପସ୍ଥିତ ରହିବାକୁ କୁହାଯାଇଛି।

ସନ୍ଧ୍ୟାରେ ଶ୍ରୀ ଶାହ ପୁରୀ ଯାଇ ସେଠାରେ ହୋଟେଲ୍‌ ମେ ଫେୟାରରେ ରାତ୍ରିଯାପନ କରିବେ। ୨୯ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ଭୁବନେଶ୍ବରରେ ଫେରି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ତା’ ପରେ ଘାଟକିଆରେ ଘରୋଇ ହସ୍ପିଟାଲ୍‌ ‘ସମ୍ ଅଲ୍ଟିମେଟ୍‌ ମେଡିକେୟାର’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଯୋଗ ଦେବେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ଏହା ପରେ ଶ୍ରୀ ଶାହ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
Spread the love