ପ୍ରବାସୀ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ: ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ତେଲେଙ୍ଗାନାରୁ ଫେରି କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଦାୟୀ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ବିଜେପି ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି।

ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୂପ୍ରସାଦ ତରାଇଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଚିକିତ୍ସା ଅବହେଳାରୁ ଏରସମାର କଟିଜଙ୍ଗା ଗାଁ’ର ପ୍ରବାସୀ ଦମ୍ପତି ପ୍ରାଣ ହରାଇବା ଘଟଣାରେ ଦୋଷୀ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ପ୍ରତିନିଧି ଦଳରେ ସାମିଲ ଜଗତସିଂହପୁର ବିଜେପି ନେତା ଶିବବ୍ରତ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏରସମାର କଟିଜଙ୍ଗା ଗାଁ’ର ନିଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସ୍ୱାଇଁ ଗତ ଜୁନ୍ ୩୦ ତାରିଖରେ ତେଲେଙ୍ଗାନାରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ତେବେ ଜୁଲାଇ ୧ତାରିଖରେ ଅଚାନକ ନିର୍ଲିପ୍ତଙ୍କ ଦେହ ଖରାପ ହେବାଯୋଗୁ ତାଙ୍କ ପତ୍ନୀ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ପରଦିନ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପତ୍ନୀ ସେତେବେଳେ ଡ୍ୟୁଟିରେ ଥିବା ସିଡିଏମଓ ବିଜୟ ପଣ୍ଡା ଓ ଡାକ୍ତର ଅଜୟ ସ୍ୱାଇଁଙ୍କୁ ତୁରନ୍ତ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ। ଚିକିତ୍ସା ଅଭାବରୁ ପ୍ରାୟ ସାଢ଼େ ୧୪ଘଣ୍ଟା ପରେ ନିର୍ଲିପ୍ତଙ୍କ ମୃତ୍ୟୁ ହେଲା ଓ ଏଥିରେ ମିୟମ୍ରାଣ ହୋଇ ତାଙ୍କ ପତ୍ନୀ ସେହି ମେଡିକାଲରେ ଏକ ଧାରୁଆ ଅସ୍ତ୍ରରେ ନିଜ ହାତକୁ କାଟି ପକାଇଥିଲେ। ପରେ ସେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରଶାସନିକ ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇଟି ନିରୀହ ଅମୂଲ୍ୟ ଜୀବନ ଚାଲିଗଲା। ଏହି ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ପୁଲିସ୍ କାହାରିକୁ ଗିରଫ କରିନାହିଁ କିମ୍ବା କୌଣସି ତଦନ୍ତ ମଧ୍ୟ କରୁନାହିଁ। ତେଣୁ ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାରେ ହସ୍ତକ୍ଷେପ କରି ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ସଞ୍ଜୟ ମହାନ୍ତି ଓ ମୋହିତ ମହାନ୍ତି ପ୍ରମୁଖ ସାମିଲ ଥିଲେ।

Spread the love