ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ଏବଂ ପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ : ବିଜେପି ବିଧାୟକ ଦଳ

ଭୂବନେଶ୍ୱର, ୨୯/୧୧: ପରୀ ପାଇଁ ନ୍ୟାୟର ଲଢେଇ ସାରା ରାଜ୍ୟ ଲଢୁଛି । ଏହି ଲଢେଇରେ ସାମିଲ ହୋଇ ପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ପ୍ରଭାବଶାଳୀ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବୀରେ ଭାରତୀୟ ଜନତା ପାର୍ଟୀ ତରଫରୁ ବିଧାନସଭାକୁ ଅଚଳ କରାଯାଇଛି। ରାଜ୍ୟବାସୀଙ୍କ ଏହି ଲଢେଇରେ ବିଜେପି ସାମିଲ ରହିବ ଏବଂ ପରୀ ପାଇଁ ନ୍ୟାୟକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନେବା ପାଇଁ ବିଜେପି ବଦ୍ଧ ପରିକର । ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ଦଳ କଂଗ୍ରେସ ଦଳକୁ ବ୍ୟବହାର କରି ଏଭଳି ସ୍ପର୍ଷକତା ପ୍ରସଙ୍ଗକୁ ବିଭ୍ରାନ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳ ବିଜେଡିର
ସୁରକ୍ଷା କବଚ ସାଜି ପରୀ ନ୍ୟାୟ ଲଢେଇକୁ ଧୋକା ଦେଇଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ ବିଧାୟକଙ୍କ ଉପସି୍ଥତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ଛୋଟିଆ ଝିଅ ପରୀର କେହି ହେଲେ ଶତୃ ନଥିଲେ । ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବାବୁଲା ନାଏକଙ୍କ ଜେସିବି ମେସିନ ପାଖରେ ଖେଳୁଥିବାବେଳେ ପରୀ ହଠାତ୍ ଅନ୍ତର୍ଦ୍ଧ୍ୟାନ ହୋଇଯିବା ଏବଂ ୩-୪ ମାସ ପରେ ତା ଘର ନିକଟରୁ ବସ୍ତା ଭିତରେ ଭର୍ତି ରହିଥିବା ହାଡକଙ୍କାଳ ମିଳିଥିଲା । ମନ୍ତ୍ରୀ ଶ୍ରୀ ସାହୁ କିମ୍ବା ପୋଲିସ ପ୍ରଶାସନ ତରଫରୁ ଘଟଣା ସଂପର୍କରେ ତଦନ୍ତ ପାଇଁ ସହଯୋଗ କରିବା ପରିବର୍ତେ ପରୀର ବାପା, ମାଁଙ୍କୁ ଧମକ ଓ ମାଡ ଦେଇ ପ୍ରଭାବିତ କରିଛନ୍ତି । ଏପରିକି ୫ଲକ୍ଷ ଟଙ୍କାର ପ୍ରଲୋଭନ ମଧ୍ୟ ଦେଇଥିଲେ । ଘଟଣାକୁ ବିଭ୍ରାନ୍ତ କରିବା ପାଇଁ ସାକ୍ଷୀମାନଙ୍କୁ ପ୍ରବର୍ତାଇଥିଲେ । ପରୀ ସାମାନ୍ୟ ଗରୀବ ଅଟୋ ଡ୍ରାଇଭରର ଝିଅ ହୋଇଥିବା କାରଣରୁ କ’ଣ ନ୍ୟାୟ ପାଇବାରୁ ବଂଚିତ ହେବ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ଆଖିକୁ ଧର୍ମଠାର ଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍‌ରେ ଥିବା ସମସ୍ତ ୫ଜଣ ସଦସ୍ୟ ରାଜ୍ୟ ସରକାରଙ୍କ ଅଧିନସ୍ଥ କର୍ମଚାରୀ ଏବଂ ଏହାଦ୍ୱାରା ନିରପେକ୍ଷ ତଦନ୍ତ ଆଦୈା ସମ୍ଭବ ନୁହେଁ । କେବଳ ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ।

ଅନ୍ୟପଟେ ଅଭିଯୁକ୍ତ ଶ୍ରୀ ଅରୁଣ ସାହୁ ପ୍ରଭାବଶାଳୀ ମନ୍ତ୍ରୀ ହୋଇଥିବା କାରଣରୁ ତଦନ୍ତକୁ ପ୍ରଭାବିତ କରିବେ । ତେଣୁ ମନ୍ତ୍ରୀ
ଶ୍ରୀ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନାଏକ ପୁଣି ଥରେ ଦାବୀ ଜଣାଇଛନ୍ତି। ଆମେ କେବେହେଲେ ଏସଆଇଟି ତଦନ୍ତ ପାଇଁ ଦାବୀ କରିନାହୁଁ । ନିଜର ସୁରକ୍ଷା କବଚ ସାଜିଥିବା କଂଗ୍ରେସକୁ ସାଥୀ କରି ଶାସକ ବିଜେଡି ଘଟଣାକୁ ଚାପି ଦେବାର ଅପପ୍ରୟାସ କରୁଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ପରୀ ଭଳି ରାଜ୍ୟର ୫୩୨୩ ଶିଶୁ ଅନ୍ତର୍ଦ୍ଧ୍ୟାନ ଅଛନ୍ତି । ରାଜ୍ୟ ସରକାର ଏହି ଘଟଣାମାନଙ୍କର ସାମାନ୍ୟତମ ଟେର୍ ପାଉନାହାନ୍ତି। ଏଭଳି ଗମ୍ଭୀର ଘଟଣାମାନ ପାଇଁ ରାଜ୍ୟସରକାର ଆଦୈା ସମ୍ବେଦନଶୀଳ ନୁହନ୍ତି । ବିରୋଧୀ ଦଳ ଭୁମିକାରେ ଥିବା ସତ୍ୱେ ଶାସକ ବିଜେଡିକୁ କଂଗ୍ରେସ ଦଳର ସହଯୋଗ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାଏକ, ଭାସ୍କର ମଢେଇ, ଜୟନ୍ତ ଷଡଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସନାତନ ବିଜୁଳି, ନବଚରଣ ମାଝୀ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ, ଡ.ବୁଧାନ ମୁର୍ମୁ ପ୍ରମୁଖ ବିଧାୟକଗଣ ଉପସ୍ଥିତ ଥିଲେ ।

Spread the love