ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାରୁ ବିଜେପି ସହି ପାରୁନାହିଁ : ବିଜେଡି

ଭୁବନେଶ୍ୱର: ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ସମ୍ବଲପୁରରେ ଶାନ୍ତି ଫେରି ଆସିଛି। କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଥିବା ବିଜେପି ଏହା ସହି ପାରୁନାହିଁ। ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ ବାଉଳିଚାଉଳି ହୋଇ ବିବୃତି ଦେଉଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଆଜି ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଗଣମାଧ୍ୟମରେ ଯାହା କହିଲେ ତାହା ତାଙ୍କର ନିଜସ୍ବ ମତାମତ ନୁହେଁ। ଅନ୍ୟ କାହାର ବାଧ୍ୟବାଧକତାରେ ସେ ଏଭଳି ବିବୃତି ଦେଇଛନ୍ତି। ତେବେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନେଇ ସମୀର ବାବୁଙ୍କ ମୁହଁରେ ଆଜି ଯାହା କୁହାଗଲା, ତାହା ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ, ହିଂସା ଓ ଦଙ୍ଗାର ତାଲିକା ଦେଖିଲେ, ଓଡ଼ିଶା ଏସବୁ ରାଜ୍ୟଠାରୁ ଢେର୍ ତଳେ ଅଛି। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଡ଼ମ୍ବନା ହେଲା ଓଡ଼ିଶା ବିଜେପିର ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ଅରାଜକ ଆଖ୍ୟା ଦେଇ ଅପମାନିତ କରି ଚାଲିଛନ୍ତି।

ବାସ୍ତବରେ ବିଜେପିର ନେତାମାନେ ହିଁ ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଏକ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ସେମାନଙ୍କର ଯେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି, ତାହା ସାଧିତ ହୋଇ ପାରୁନାହିଁ। ଏଭଳି ହୀନ ରାଜନୈତିକ ଷଡ଼ଯନ୍ତ୍ର କରି ବିଜେପି ସାଢ଼େ ଚାରି କୋଟି ଓଡ଼ିଆ ଓ ଓଡ଼ିଶାକୁ ବଦନାମ କରୁଛି। ଶାନ୍ତି ଓ ଭାଇଚାରାରେ ବିଶ୍ୱାସ କରୁଥିବା ସମ୍ବଲପୁରବାସୀ ଆଗାମୀ ଦିନରେ ବିଜେପି ନେତାମାନଙ୍କ ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି।

Spread the love