ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଦାୟୀତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳ ହାତକୁ ଦିଆଯାଉ: ମୋହନ ମାଝୀ

ଭୁବନେଶ୍ୱର, ତା.୨୭/୧୧: ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ କାରଣରୁ ପଦ୍ମପୁର ଉପନିର୍ବାଚନ ଅବସରରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆଜି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ପକ୍ଷପାତିତା ଆଚରଣ କାରଣରୁ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବେଫିକର ହୋଇ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛି । ଶାସନ କଳର ଅପବ୍ୟବହାର ସହିତ ଟଙ୍କାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରୀ ରଖିଥିବା ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ପଦ୍ମପୁର ଉପନିର୍ବାଚନ ଜିତିବା ଲାଳଶାରେ ମଣିଷତ୍ୱକୁ ଭୁଲି ରାକ୍ଷସ ପାଲଟି ଯାଇଛନ୍ତି । ଶାସକ ଦଳର ଗୁଣ୍ଡାରାଜ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିଜେପି ତରଫରୁ ବାରମ୍ବାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରାଯାଉଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଚିନ୍ତାଜନକ । ପଦ୍ମପୁର ଉପନିର୍ବାଚନରେ ପୋଲିସ ଓ ପ୍ରଶାସନ ଅକ୍ଷମ ହୋଇଥିବାରୁ ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଦାୟୀତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳ ହାତକୁ ଦିଆଯାଉ । ରାଜ୍ୟ ନିର୍ବାଚନ ଅଧିକାରୀ କାଠପୁତୁଳି ହୋଇ ଶାସକ ବିଜେଡିର ଇଙ୍ଗିତରେ କାର୍ଯ୍ୟ କରୁଥିବାର ସନ୍ଦେହ ବୃଦ୍ଧି ପାଇଚାଲିଛି । ପଦ୍ମପୁର ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ଆନ୍ଦୋଳନ କରିବା ସହିତ ବିଧାନସଭାରେ ମଧ୍ୟ ଉପସ୍ଥାପନା କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ପିଏସି କମିଟି ଅଧ୍ୟକ୍ଷ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ବାହାର ଅଂଚଳରୁ ଗୁଣ୍ଡାମାନଙ୍କୁ ଆଣି ଶାନ୍ତିପ୍ରିୟ ପଦ୍ମପୁର ଅଂଚଳବାସୀଙ୍କୁ ଧମକଚମକ ଦେବା ସହିତ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହିଂସାତ୍ମକ ଆଭିମୁଖ୍ୟ ଆପାଣାଉଛନ୍ତି । ଗତ କାଲି ପାଇକମାଲ ଢେଙ୍କିମୁଣ୍ଡା ପଂଚାୟତର ଚୁହୁରିପଡା ଗ୍ରାମର ୩ଜଣ ବିଜେପି କାର୍ଯ୍ୟକର୍ତା ବିନୋଦ ବାଗ୍‌, ଅନିରୁଦ୍ଧ ବାଗ ଏବଂ ସୁନୀଲ ବାଗଙ୍କ ଉପରେ ମନ୍ତ୍ରୀ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ତାଙ୍କ ଗୁଣ୍ଡାମାନେ ଟାଙ୍ଗିଆ ଦ୍ୱାରା ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୁରୁତର ଆହତ ହୋଇ ଏହି ୩ ଜଣ ବିଜେପି କାର୍ଯ୍ୟକର୍ତା ବର୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ମନ୍ତ୍ରୀ ଶ୍ରୀ ଦାସଙ୍କ ଗୁଣ୍ଡାମାନେ ବିଭିନ୍ନ ସ୍ଥାନରେ ଏଭଳି ହିଂସାକାଣ୍ଡ ଭିଆଇ ଚାଲିଛନ୍ତି । ନିଜ ସ୍ୱାର୍ଥକୁ ସଂପାଦନା କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିଜ ନିର୍ବାଚନମଣ୍ଡଳୀ ଝାରସୁଗୁଡାରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଅବସ୍ଥାପିତ କରାଇଛନ୍ତି । ଏହା ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଆଇନ-୧୯୫୧ର ଖୋଲାଖୋଲି ଉଲ୍ଲଂଘନ । ଏଭଳି ହିଂସାକାଣ୍ଡ ଭିଆଇଥିବା ମନ୍ତ୍ରୀ ଶ୍ରୀ ଦାସଙ୍କ ସମସ୍ତ ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ସହିତ ମନ୍ତ୍ରୀ ଶ୍ରୀ ଦାସଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେହିପରି ବିଜେଡି ବିଧାୟ ଶ୍ରୀ ମନୋହର ରନ୍ଧାରୀ ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଅଇନ-୧୯୫୧କୁ ଫୁ କରିଦେଇ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଖୋଲାଖୋଲି ଭାବେ ଦିନ ଦ୍ୱିପ୍ରହରରେ ଦା ଏବଂ କମ୍ବଳ ବଂଟି ଭୋଟ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି । ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ସହିତ ବିଧାୟକ ଶ୍ରୀ ରନ୍ଧାରୀଙ୍କୁ ମଧ୍ୟ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ କରାଯିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଓ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love