ବିଜେପି ପ୍ରାର୍ଥୀଙ୍କ ଅପହରଣ ପ୍ରସଙ୍ଗକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ଦେଲା ବିଜେପି ପ୍ରତିନିଧି ଦଳ

ଭୂବନେଶ୍ୱର: ୧୯୯୭ ମସିହାରୁ କ୍ରମାଗତ ୫ ଥର ମାଲକାନଗିରି ଜିଲ୍ଲା କାଲିମେଳା ୨ ନମ୍ବର ଜିଲ୍ଲା ପରିଷଦ ଜୋନକୁ ବିଜେପି ନିଜ ଦଖଲରେ ରଖିଆସିଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ଉଚ୍ଚ ଶିକ୍ଷିତା ଶ୍ରୀମତୀ ରିନା କବାସିଙ୍କ ଗତ ଦୁଇ ଦିନ ହେଲା କୈାଣସି ପତା ମିଳୁ ନାହିଁ । ଶ୍ରୀମତୀ କବାସିଙ୍କ ଲୋକପ୍ରିୟତାରେ ଅସହିଷ୍ନୁ ହୋଇ ଶାସକ ବିଜେଡିର କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଶ୍ରୀମତୀ କବାସିଙ୍କୁ ତାଙ୍କ ଘରୁ ଦୁଇ ଦିନ ପୂର୍ବେ ଅପହରଣ କରି ଅଜଣା ସ୍ଥାନରେ ଲୁଚାଇ ରଖିଛନ୍ତି । ଏପରିକି ତାଙ୍କ ମୋବାଇଲକୁ ବନ୍ଦ କରି ରଖାଯାଇଥିବା କାରଣରୁ କୈାଣସି ସନ୍ଧାନ ମିଳୁନାହିଁ । ଶାସନ କ୍ଷମତା ହାସଲ କରିବା ପାଇଁ ଶାସକ ବିଜେଡି ସରକାରୀ କଳ, ବାହୁବଳ ଓ ଅର୍ଥବଳର ଦୁରୁପଯୋଗ କରି ବିରୋଧୀଙ୍କୁ ଦମନ କରିବାର ସମସ୍ତ ଉଦ୍ୟମ ଜାରୀ ରଖିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଶ୍ରୀମତୀ କବାସି ଏବଂ ତାଙ୍କ ପରିବାରକୁ ବାରମ୍ବାର ଧମକ ଦିଆଯାଉଛି । ଶାସକ ବିଜେଡିର ଏତାଦୃଶ କାର୍ଯ୍ୟକଳାପ ଧରା ପଡିବା ପରେ ଘଟଣାକୁ ଚାପି ଦେବା ପାଇଁ ଶ୍ରୀମତୀ କବାସିଙ୍କ ପରିବାରକୁ ଅର୍ଥ ପ୍ରଲୋଭନ ଏବଂ ପରେ ଧମକ ମଧ୍ୟ ଦିଆଯାଇ ଚୁପ୍ ରହିବା ପାଇଁ ବାଧ୍ୟ କରାଯାଉଛି । ଏପରିକି ମାରିଦେବାର ମଧ୍ୟ ଧମକ ଦିଆଯାଇଛି । ଶ୍ରୀମତୀ କବାସିଙ୍କ ଜୀବନ ପ୍ରତି ବର୍ତମାନ ବିପଦ ଦେଖାଯାଇଛି ।
ପଂଚାୟତ ନିର୍ବାଚନକୁ ଅବାଧ, ଭୟମୁକ୍ତ, ନିରପେକ୍ଷ କରିବା ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର । ଶାସକ ଦଳ ଏବଂ ତାଙ୍କ କାର୍ଯ୍ୟକର୍ତାଙ୍କ ଏଭଳି ହୀନ ଓ ଘୃଣ୍ୟ କାର୍ଯ୍ୟ ପ୍ରତି ରୋକ ଲଗାଇବା ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୁଚନା ଦେଇଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାସ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ହିତେଶ ମହାପାତ୍ର ଓ ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love