ଟିକେଟ୍‌ ଘୋଟାଲାର ତଦନ୍ତ ଦାବି ସହ OCA ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର, ୧୨/୦୬: ବାରବାଟୀ ଟିକେଟ ବିକ୍ରି ଏବଂ ପାସ୍ ବଣ୍ଟନ ଅବ୍ୟବସ୍ଥାକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛି ଓଡିଶା କ୍ରିକେଟ ଆସୋସିଏସନ- OCA । କାଉଣ୍ଟରରେ ଟିକେଟ୍ ବିକ୍ରି ବେଳେ ଲାଠିମାଡ ପରେ ପାସ୍ ବଣ୍ଟନକୁ ନେଇ ଓସିଏର ବିଶୃଙ୍ଖଳା ପଦାରେ ପଡିଛି । କେବଳ କ୍ରୀଡାବିତ୍‌ ନୁହନ୍ତି ଜନପ୍ରତିନିଧିମାନେ ମଧ୍ୟ ଏହା ବିରୋଧରେ ସ୍ବର ଉଠାଇଛନ୍ତି । ପାସ ବ୍ୟବସ୍ଥା ଉଠାଇ ଦେବାକୁ ଖୋଦ ଶାସକ ଦଳର ସାଂସଦ ଦାବି କରିଛନ୍ତି । ସେପଟେ ପାସ୍ ଘୋଟାଲାର ତଦନ୍ତ ଦାବି କରିଛି ବିଜେପି ।

ଚିହ୍ନା ମୁହଁକୁ ପାସ୍ । କ୍ରୀଡାବିତକୁ ପାସ୍ ନାହିଁ । ବିବାଦ ଘେରରେ ଓଡିଶା କ୍ରିକେଟ ଆସୋସିଏସନ ଓସିଏ । କାହାକୁ କେଉଁ ଆଧାରରେ ବାରବାଟି ଟି-ଟ୍ବେଣ୍ଟି ପାସ ବଣ୍ଟା ହୋଇଛି, ସେନେଇ ଉଠିଛି ପ୍ରଶ୍ନ । ମ୍ୟାଚ ପାସ୍ ଓ ଟିକେଟ କିଣା ବିକା ରାଜ୍ୟ ରାଜନୀତିର ପ୍ରସଙ୍ଗ ପାଲଟିଛି । ଶାସକ ଦଳର ସାଂସଦ ନିଜେ ପାସ୍ ଅବ୍ୟବସ୍ଥା ନେଇ ସୋସିଆଲ ମିଡିଆରେ କଥା ଉଠାଇଛନ୍ତି । ବିଜେଡି ସାଂସଦ ଅମର ପଟ୍ଟନାୟକ ଟୁଇଟ କରିଛନ୍ତି,  ମୁଖ୍ୟମନ୍ତ୍ରୀ ମ୍ୟାଚ୍ ଦେଖିବାକୁ ଟିକେଟ୍ କିଣୁଛନ୍ତି । ତେଣୁ ପାସ୍ ବ୍ୟବସ୍ଥା କାହିଁକି ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ରୀଡାପ୍ରେମୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାସ୍ ବ୍ୟବସ୍ଥା ଉଚ୍ଛେଦ ହେବା ଉଚିତ ବୋଲି କହିଛନ୍ତି ସାଂସଦ । ଆଉ ପାଦେ ଆଗକୁ ଯାଇ ବିଜେପି ଦାବି କରିଛି, ଟିକେଟ ବିକ୍ରି ଓ ପାସ ବଣ୍ଟା କେମିତି ହୋଇଛି ତାର ତଦନ୍ତ ହେଉ । ଏହା ରାଜ୍ୟ ସମ୍ମାନର ପ୍ରଶ୍ନ ବୋଲି କହି ଦଳ ଓସିଏକୁ ଦାୟୀ କରିଛି ।

ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୫ ହଜାର । ଅନଲାଇନରେ ୮ ହଜାର ଟିକେଟ ବିକ୍ରିକୁ ଛାଡି ସାଧାରଣ ଦର୍ଶକ ପାଇଁ ମାତ୍ର ୧୨ ହଜାର ଟିକେଟ କାଉଣ୍ଟରେ ବିକ୍ରି ହୋଇଛି । ଟିକେଟ ହାତେଇବାକୁ କ୍ରୀଡା ପ୍ରେମୀଙ୍କୁ ନାକେଦମ ହେବାକୁ ପଡିଛି । ଟିକେଟ ପାଇଁ ଆସି ଲାଠିମାଡ ଖାଇ କ୍ରିକେଟପ୍ରେମୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି । ୨୦ ହଜାରରୁ ଅଧିକ ଟିକେଟ୍, ପାସ୍ ଆକାରରେ ଓସିଏ ଆଉ ବିସିସିଆଇ  ନିଜ ନିଜ ସହବନ୍ଧିତ ସଂସ୍ଥା ଓ ଭିଆଇପିଙ୍କୁ ବାଣ୍ଟିଛନ୍ତି । ଏତେ ପାସ କାହାକୁ ବଣ୍ଟା ଯାଇଛି ତାର ସ୍ବଛତାକୁ ନେଇ କ୍ରୀଡାପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । କୁହାଯାଉଛି କିଛି ଲୋକଙ୍କୁ ଛାଡିଦେଲେ ଅନେକ ପାସ ପାଇବା ଯୋଗ୍ୟ ଲୋକଙ୍କୁ ବି ପାସ ମିଳିନି । ପ୍ରଶ୍ନ ଉଠୁଛି ଓସିଏ ପାସ ହାତେଇଛି କିଏ । ସେପଟେ ଟିକେଟ କି ପାସ୍  ନପାଇ ଖେଳ ଦେଖି ନପାରି  ଅନେକ କ୍ରିକେଟ ପ୍ରେମୀ ନିରାଶ ହୋଇଛନ୍ତି ।

ଓସିଏର ପାସ ଖେଳ ପୂର୍ବରୁ ବାହାରେ ବିକ୍ରିହେବା ଓ ଯୋଗ୍ୟ ଲୋକଙ୍କ ପାଖରେ ପାସ୍ ନପହଁଚିବା ଭଳି ଅଭିଯୋଗ ହୋଇଛି । ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦକୁ ଆସିଥିବା ଓସିଏ ଏଥର ପାସ ବଣ୍ଟାକୁ ନେଇ ବିବାଦରେ ଛନ୍ଦି ହୋଇଛି । ଯାହା ସତ୍ୟାସତ୍ୟ ପଦାକୁ ଆସିବା ଦରକାର ।

Spread the love