ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ସହ ସାଉଥକୋ ସିଇଓଙ୍କୁ ଗିରଫ କରାଯାଉ:ବିଜେପି

ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜ୍‌ପୁରଠାରେ ଏକ ଯାତ୍ରୀବାହୀ  ବସ୍‌ଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା କାରଣରୁ ୧୧ଜଣଙ୍କ ମୃତ୍ୟୁ ଘଟିବା ସହ ବହୁ ଜଣ ଗୁରୁତର ଆହତ  ହୋଇଛନ୍ତି । ରାଜ୍ୟରେ ଏଭଳି ମର୍ମଦୁନ୍ତ ଘଟଣା ବାରମ୍ବାର ହେବା ସତ୍ୱେ କର୍ତୃପକ୍ଷ କୈାଣସି ପଦକ୍ଷେପ ନନେବା ପ୍ରଶାସନ ଓ  ରାଜ୍ୟସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡୁଛି । ଆଜିର ଏହି ଘଟଣାକୁ ରୋକା ଯାଇ ପାରିଥାନ୍ତା । ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ଏବଂ ଅବହେଳା ଓ ଉଦାସୀନତା କାରଣରୁ ଯାତ୍ରୀମାନେ ଜୀବନ ହରାଇଛନ୍ତି । ଏହି ଘଟଣାରେ ପ୍ରତି ମୃତାହତ ପରିବାରକୁ  କ୍ଷତିପୁରଣ ବାବଦରେ ୧୦ଲକ୍ଷ ଟଙ୍କା ପ୍ରଦାନ ଏବଂ ଆହତ ଯାତ୍ରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ  କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଦାବି କରିଛନ୍ତି । କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ବିଜୁଳି ବିତରକ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରାଯିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ବର୍ତମାନ ବିଜୁଳି ସେବା ଯୋଗାଉଥିବା ବିତରକ କଂପାନୀ ପ୍ରତି ରାଜ୍ୟସରକାରଙ୍କ କୈାଣସି ନିୟନ୍ତ୍ରଣ ନାହିଁ । ବିଜୁଳି ବିତରକ କଂପାନୀମାନେ ମନୋମୁଖି କାର୍ଯ୍ୟ କରୁଛନ୍ତି । ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅତୀତରେ ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଯାତ୍ରିବାହୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏପରିକି ବିଦ୍ୟୁୁତ ତାର ସଂସ୍ପର୍ଶରେ ଆସି ବହୁତ ହାତୀ ମଧ୍ୟ ଜୀବନ ହରାଇ ସାରିଲେଣି । ଫନି ଓ ହୁଡ୍‌ହୁଡ୍ ବାତ୍ୟା କାରଣରୁ କ୍ଷତିଗସ୍ତ ହୋଇଥିବା ବିଜୁଳି ଭିତିଭୂମି ସଜାଡିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ବହୁ ପରିମାଣର ଅର୍ଥ ଆସିଥିଲା । ମାତ୍ର ଭିତିଭୂମି ସଜାଡିବାରେ ରାଜ୍ୟସରକାର ବିଫଳ ହେଲେ । ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ସଠିକ୍ ତଦନ୍ତ ହେବା ଆବଶ୍ୟକ । ଏହି ମର୍ମଦୁନ୍ତ ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ରାଜ୍ୟର ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Spread the love