ବିନା ରାସନ କାର୍ଡଧାରୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ବିଜେପି

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଥିବା ବହୁ ବସ୍ତିବାସିନ୍ଦା ଆଜି ମଧ୍ୟ ଖାଦ୍ୟ ସୁରକ୍ଷା ଆଇନ  ଅନ୍ତର୍ଗତ ରାସନ କାର୍ଡ ପାଇବାରୁ ବଂଚିତ ଅଛନ୍ତି। ବର୍ତମାନର କରୋନା ଭୂତାଣୁ ସଂକଟଜନିତ ଲକ୍‌ଡାଉନ୍ କାରଣରୁ  କାମଧନ୍ଦା ନପାଇ ଏହି ବସ୍ତିବାସିନ୍ଦାମାନେ ଖାଦ୍ୟାଭାବର ଶିକାର ହେଉଛନ୍ତି । ଲକ୍‌ଡାଉନ୍ ରେ ପ୍ରଭାବିତ ବିନା ରାସନକାର୍ଡ ହିତାଧିକାରୀ ଗରୀବ ଖଟିଖିଆ ଓ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସତ୍ୱେ ସେମାନଙ୍କୁ ଖାଦ୍ୟ ଦିଆଯାଇନାହିଁ ।

ରାଜଧାନୀର ବିଭିନ୍ନ ବସ୍ତିମାନଙ୍କରେ ଥିବା ବିନା ରାସନ କାର୍ଡ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଅତୀତରେ ବିଏମସିକୁ ଦିଆଯାଇଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ବଂଟନରୁ ବଂଚିତ ରଖାଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମଧ୍ୟ-ଭୂବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ  ପ୍ରଧାନ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜଧାନୀରେ ବସବାସ କରୁଥିବା ବିନା ରାସନ କାର୍ଡଧାରୀ ବହୁ ଗରୀବ ଓ ସାଧାରଣ  ଖଟିଖିଆଙ୍କ ତାଲିକା ପ୍ରସ୍ତୁତ କରାଯାଇ ବିଏମସିକୁ ବାରମ୍ବାର ପ୍ରଦାନ କରାଯାଇଥିଲା।ଏହା ସତ୍ୱେ ସେମାନଙ୍କୁ ଅଣଦେଖା  କରି ରାସନ କାର୍ଡ ପ୍ରଦାନ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଏମସି ପ୍ରଶାସନ ତଥା ରାଜ୍ୟ ସରକାର ତୁରନ୍ତ ଗରୀବ  ଖଟିଖିଆମାନଙ୍କୁ ରାସନ କାର୍ଡ ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଆଜି ରାଜଧାନୀର ୱାର୍ଡ-୫୩ ଅନ୍ତର୍ଗତ ବାପୁଜୀନଗର ଅଂଚଳରେ ବସବାସ କରୁଥିବା ବିନା ରାସନ କାର୍ଡଧାରୀଙ୍କୁ ବିଜେପି ତରଫରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା।ବାପୁଜୀନଗର ଲକ୍ଷ୍ମୀପୂଜା ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ମିଡିଆ ସେଲ୍‌ର ଜୟନ୍ତ କୁମାର ଜେନା, ଜିଲ୍ଲା ସଂପାଦକ ରଶ୍ମୀ ରଂଜନ ମହାପାତ୍ର, ବନଦୁର୍ଗା ମଂଡଳ ସଭାପତି ଫିରୋଜ ଖାନ୍‌, ମଣ୍ଡଳ ସାଧାରଣ ସଂପାଦକ ସ୍ୱୟଂମ୍ଭୁ ମୋହନ ପଟ୍ଟନାୟକ, ମହିଳା ନେତ୍ରୀ  ସୁଭଦ୍ରା ନାୟକ, ଭଗବତୀ ନାୟକ, ସୁଦର୍ଶନ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ବଂଟନରେ ସହଯୋଗ କରିଥିଲେ ।

Spread the love