ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାର କରିଥିବା ୫୦୦ ଶହ କୋଟି ଟଙ୍କାର କର୍ପସ ପାଣ୍ଠି କୁଆଡେ ଗଲା?:ଗୋଲକ ମହାପାତ୍ର

କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ବାହାରେ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଓଡିଆ ଶ୍ରମିକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିଲେ । କରୋନା ମହାମାରୀ ସମୟରେ ବିଭିନ୍ନ ସଂସ୍ଥା ବନ୍ଦ ହୋଇଥିବାରୁ ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଗାଁରେ ଅଛନ୍ତି । କାମଧନ୍ଦା ଓ ରୋଜଗାର ନମିଳିବାରୁ ଅନେକ ଶ୍ରମିକ ପଲାୟନ କରୁଛନ୍ତି । ଏହା ସତ୍ୱେ ବି ରାଜ୍ୟସରକାର ସେମାନଙ୍କୁ ନା ଚିହ୍ନଟ କରୁଛନ୍ତି ନା ସେମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ପ୍ରବାସୀ ମାନଙ୍କର ଦକ୍ଷତା ମ୍ୟାପିଂ କରିବା ପାଇଁ ସମସ୍ତ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତରପ୍ରଦେଶ ସରକାର ଏହି ନିର୍ଦ୍ଦେଶକୁ ପାଳନ କରି ପ୍ରବାସୀ ଶ୍ରମିକଙ୍କ ହିତ ଦୃଷ୍ଟିରୁ ନିଯୁକ୍ତି ଦେବା ଆରମ୍ଭ କରିଥିଲେ ହେଁ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହାକୁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ରାଜ୍ୟସରକାର ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କର ଦକ୍ଷତା ମ୍ୟାପିଂ କରିବା କଥା । କିନ୍ତୁ ତାହା ଏଯାବତ ଆରମ୍ଭ ହୋଇନାହିଁ । କରୋନା ସମୟରେ କେଉଁ ଜିଲ୍ଲାରେ କେତେ ଶ୍ରମିକ ବାହାର ରାଜ୍ୟରୁ ଆସିଛନ୍ତି ଆଉ ଏବେ କେତେ ଜଣ କାମଧନ୍ଦା ପାଇଁ ପୁଣି ରାଜ୍ୟ ବାହାରକୁ ଗଲେଣି, ତାହାର ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଆମେ ଚାକିରୀ ଦେବୁ କହି କେବଳ ମିଥ୍ୟା ପ୍ରଚାର କରି ଚାଲିଛନ୍ତି ରାଜ୍ୟସରକାର । ଯଦି ରାଜ୍ୟସରକାର ବାସ୍ତବରେ ପ୍ରବାସୀ ଶ୍ରମିକ ମାନଙ୍କୁ ଚାକିରୀ ଯୋଗାଇ ଦେବା ପାଇଁ ଚାହୁଁଛନ୍ତି ତେବେ ପ୍ରବାସୀ ଶ୍ରମିକମାନଙ୍କର ଚାକିରୀ କରୁଥିବା ସ୍ଥାନ, କେଉଁ ବିଭାଗ, କେଉଁ ପଦବୀ, କେତେ ଦରମା ଏବଂ କେତେ ବର୍ଷର ଅଭିଜ୍ଞତା ଆଦିର ଏକ ତାଲିକା ପ୍ରସ୍ତୁତ କରି ଦକ୍ଷତା ଅନୁଯାୟୀ ନିଜ ରାଜ୍ୟରେ ସରକାର ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।

ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାର ୫୦୦ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ଏହା କେତେ ଦୂର କାର୍ଯ୍ୟକାରୀ ହେଲାଣି ? ଏଥିରେ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ସାମିଲ କରିଥିଲେ ବି ଅନେକ ଜିଲ୍ଲାରେ ଏର୍ପ୍ୟନ୍ତ ଏହାକୁ ଲାଗୁ କରାଯାଇ ନାହିଁ । ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ବାହାରେ ହେଲ୍ପ ଡେକ୍ସ ଖୋଲିବା ନେଇ ମଧ୍ୟ ନିଷ୍ପତି ହୋଇଥିଲା । କିନ୍ତୁ ଏହା ସବୁ ଫାଇଲ ଭିତରେ ସୀମିତ ରହିଛି । ସେହିପରି ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଂଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ କରାଯିବା ଏବଂ ଶ୍ରମିକ ମାନଙ୍କୁ ପକ୍କା ଘର ଦେବା ପାଇଁ କୁହାଯାଇଥିଲା କିନ୍ତୁ ତାହା ହୋଇନାହିଁ । ଯେଉଁ ରାଜ୍ୟସରକାର ୨୦ ବର୍ଷ ଧରି ଚାକିରୀ ଓ ରୋଜଗାର ସୃଷ୍ଟି କରିପାରିଲେ ନାହିଁ, ଏବେ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଏବଂ ତାଙ୍କ ଅଧିକାରୀ ମାନେ ଚାକିରୀ ଦେବା କହି ପ୍ରବାସୀ ଶ୍ରମିକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟସରକାର କେତେ ଜଣ ପ୍ରବାସୀ ଶ୍ରମିକ ମାନଙ୍କର ନାଁ ତାଲିକାଭୃକ୍ତ କରିଛନ୍ତି ଏବଂ ସେମାନଙ୍କୁ କେତେ ଦିନ ଭିତରେ ନିଯୁକ୍ତି ଦେବେ ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।

Spread the love