ପ୍ରତିଟି ଗାଁ ଓ ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ କ୍ଷମତାକୁ ଆସିବା ପରେ ବଜରଙ୍ଗ ଦଳକୁ ନିଷିଦ୍ଧ ଘୋଷଣା କରିବାର ପ୍ରତିଶୃତି ଦିଆଯିବା ପରେ ବିଜେପି ଏବେ ଅଲଗା ରଣନୀତି ଆପଣାଇଛି | ରାଜ୍ୟର ପ୍ରତ୍ୟେକ ଗ୍ରାମ ତଥା ପ୍ରତ୍ୟେକ ମନ୍ଦିରରେ ହନୁମାନ ଚାଳିଶା ପାଠ କରାଯିବ ବୋଲି ବିଜେପି ଘୋଷଣା କରିଛି। ରାଜ୍ୟରେ ଆସନ୍ତା ୧୦ ରେ ମତଦାନ ହେବାକୁ ଥିବାବେଳେ ଏହା ପୂର୍ବରୁ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଯିବା ପ୍ରସଙ୍ଗକୁ ନେଇ ବିଜେପି ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି କ୍ରମରେ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ରାଜ୍ୟର ପ୍ରତ୍ୟେକ ମନ୍ଦିର, ଗ୍ରାମପଞ୍ଚାୟତ ତଥା ସହରାଞ୍ଚଳରେ ବିଜେପି ହନୁମାନ ଚାଳିଶା ପାଠ କରିବ ବୋଲି ଘୋଷଣା କରାଯାଇଛି ।

ଉଲ୍ଲେଖ ଥାଉ କି ମଙ୍ଗଳବାର ଦିନ ପ୍ରକାଶିତ ଇସ୍ତାହାରରେ କଂଗ୍ରେସ କହିଥିଲା ଯେ, ଜାତି ଓ ଧର୍ମଭିତ୍ତିରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଦ୍ବେଷ ବିସ୍ତାର କରୁଥିବା ‘ବଜରଙ୍ଗ ଦଳ’ ଏବଂ ‘ପପୁଲାର୍‌ ଫ୍ର‌ଣ୍ଟ୍‌ ଅଫ୍‌’ ଇଣ୍ଡିଆ ଭଳି ସଙ୍ଗଠନ ଏବଂ ସେଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ପୂର୍ବରୁ ଭଗବାନ ଶ୍ରୀରାମଙ୍କ ନାମ ନେବାରେ ସେମାନଙ୍କର ସମସ୍ୟା ଥିଲା ଏବଂ ବର୍ତ୍ତମାନ ଯେଉଁମାନେ ଜୟ ବଜରଙ୍ଗବାଲି କହୁଛନ୍ତି ସେମାନଙ୍କୁ କଂଗ୍ରେସ ଘୃଣା କରୁଛି | କଂଗ୍ରେସ ଦଳ ଏହାର ଇସ୍ତାହାରରେ ବଜରଙ୍ଗବାଲିଙ୍କୁ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଶ୍ରୀ ରାମଙ୍କୁ ତାଲା ପକାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ତାଲା ପକାଇବାକୁ ଇସ୍ତାହାରରେ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସ ଦଳକୁ ପ୍ରଭୁ ଶ୍ରୀ ରାମଙ୍କ ନାମକୁ ନେଇ ଅସୁବିଧା ହେଉଥିବାବେଳେ ବର୍ତ୍ତମାନ ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ନେଇ ମଧ୍ୟ ଅସୁବିଧା ହେଉଛି |

Spread the love