ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ : କଳା ପୋଷାକ ଓ କଳା ବେଲୁନ ଉଡାଇ ପ୍ରତିବାଦ

ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ ପରେ ବିରୋଧ ଜାରି ରଖିଛି ବିଜେପି । ଆଜି ଜଗତସିଂହପୁର ଗସ୍ତରେ ଫାଇଭ-ଟି ସଚିବ ଯାଇଥିବାବେଳେ ତାଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି । ପାରାଦୀପ ବିଜେପି ପକ୍ଷରୁ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାରାଦୀପ, କୁଜଙ୍ଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।

ସଚିବଙ୍କ ହେଲିକପ୍ଟର ଆକାଶ ମାର୍ଗରେ ଯାଉଥିବାବେଳେ, କଳା ବେଲୁନ୍ ଉଡାଇ, କଳା ପୋଷାକ ପିନ୍ଧି, ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଜେପି ନେତା ଓ କର୍ମୀ । ପାରାଦୀପ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ ।ଏପଟେ କେନ୍ଦ୍ରର ଚିଠି ଓ ବିରୋଧୀଙ୍କ ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫-ଟି ସଚିବ । ଆଜି ଜଗତସିଂହପୁର ଜିଲ୍ଳା ଗସ୍ତରେ ଯାଇଛନ୍ତି । ଜିଲ୍ଳାର ଶିଆଳି ବେଳାଭୂମି ପରିଦର୍ଶନ କରିଛନ୍ତି । ସେଠାରେ ସଚିବଙ୍କୁ ମହିଳାମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା ।ପରେ ମିଶନ ଶକ୍ତିର ମହିଳାମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନ କରିବା ସହ ଦରଖାସ୍ତ ଗ୍ରହଣ କରିଛନ୍ତି । ଏଥିସହ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଆଳି ବେଳାଭୂମିର ବିକାଶ, ବେଳାଭୂମି ରାଜପଥ ନିର୍ମାଣ କମ୍ୟୁନିଟି ସେଂଟର, ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଦିର ଖୁବ୍ ଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଗୋଟିଏ ପଟେ ୫ଟି ସଚିବ ଜଗତସିଂହପୁର ଜିଲ୍ଳାକୁ ଗସ୍ତ କରୁଥିବାବେଳେ ଆଉ ଗୋଟିଏ ପଟେ, ବିଭିନ୍ନ ସ୍ଥାନରେ ବିରୋଧ କରିଛି ବିଜେପି ।

Spread the love