ମୁଖ୍ୟମନ୍ତ୍ରୀ ଓଡ଼ିଆ ଯୁବକମାନଙ୍କୁ ଭୂଆଁ ବୁଲାଇଛନ୍ତି : ଇରାସିସ ଆଚାର୍ଯ୍ୟ

ଭୁବନେଶ୍ୱର: ଓଡିଶାର ୧ନଂ ଆୱାର୍ଡ କିଣା ମୁଖ୍ୟମନ୍ତ୍ରୀ ବେକାରୀ ଯୁବକମାନଙ୍କୁ ମିଛ କହି ପ୍ରତାରଣା କରିବା ସହ ଭୂଆଁ ବୁଲାଉଛନ୍ତି। ମୁଖ୍ୟମନ୍ତ୍ରୀ ବାଃ ବାଃ ନେବାଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି, କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନସିଆରବି ୨୦୧୫-୨୦ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ୪ଜଣ ବେରୋଜଗାର ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି ଏବଂ ଏହା ୨୫୩% କୁ ବୃଦ୍ଧି ପାଇଛି । କେନ୍ଦ୍ରୀୟ ଅର୍ଥନୈତି ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାର ପ୍ରଥମ ୩ ମାସରେ ଓଡିଶାରେ ବେକାରୀ ହାର ୩୧ ପ୍ରତିଶତ ଥିଲା । ଏପରି ସ୍ଥଳେ ଏକ ବିଶ୍ୱାସନୀୟତା ନଥିବା ସଂସ୍ଥାଠାରୁ ପ୍ରାୟୋଜିତ ପୁରସ୍କାର ହାତେଇ ଓଡିଶାର ଯୁବକ ଯୁବତୀଙ୍କୁ ବୋକା ବନାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମେକ ଇନ୍ ଓଡ଼ିଶାର ପ୍ରୋଗ୍ରାମ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ୨୦୧୬-୧୮ମସିହାରେ ମେକ୍ ଇନ୍ ଓଡ଼ିଶାରେ ୬ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାରେ ଆସିବା ସହ ୭ଲକ୍ଷ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସରକାର ବାହାସ୍ପଟ ମାରିଥିଲେ, କିନ୍ତୁ ମାତ୍ର ୫ହଜାର ୬୦୦କୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇ ମାତ୍ର ୫ହଜାର ୮ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା । ୨୦୦୮ ରୁ ୨୦୧୩ ମସିହା ଭିତରେ ପ୍ରାୟ ୧୩ଟି ବଡ ବଡ ପୁଂଜିନିବେଶକାରୀ ଓଡିଶା ଛାଡି ଅନ୍ୟତ୍ର ପଳାଇଛନ୍ତି । ଓଡିଶାରେ ଯାହାବି ଶିଳ୍ପାନୁଷ୍ଠାନ ଅଛି ସେଠାରେ ଓଡିଆ ପିଲାଙ୍କୁ ନିଯୁକ୍ତି ମିଳୁନାହିଁ । ତାହାଲେ ଓଡ଼ିଶା ବେକାରୀ ଶୂନ୍ୟ ହେଲା କେମିତି ବୋଲି ଶ୍ରୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ଦକ୍ଷତାବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଗତ ୨୬.୭.୨୦୨୨ରେ ବିଧାନସଭାରେ ପ୍ରଶ୍ନର ଉତରରେ କହିଥିଲେ ଯେ, ଓଡ଼ିଶାରେ ମୋଟ ୮ଲକ୍ଷ ୮୦ ୧୭୫ଜଣ ଯୁବକ ଯୁବତୀ ଏମ୍ପ୍ଳଏମେଂଟ ଏକଚେଞ୍ଜରେ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି । ଏହାଛଡା ରାଜ୍ୟରେ ଏବେ ବି ୯ଲକ୍ଷ ପଞ୍ଜିକୃତ ବେକାରୀ ଯୁବକ ଯୁବତୀ ଅଛନ୍ତି । ତାହାଲେ ବେକାରୀ ଦୂରର ମିଥ୍ୟା କଥା ମୁଖ୍ୟମନ୍ତ୍ରୀ କାହିଁକି କହୁଛନ୍ତି ତାର ଜବାବ ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୧ଲକ୍ଷ ୮୨ହଜାର ୫୩୬ ଜଣ ଗ୍ରାଜୁଏଟ ବେକାରୀ ଥିବାବେଳେ କଳାରେ ୧ ଲକ୍ଷ ୩ହଜାର ୯୭୬ହଜାର ଗ୍ରାଜୁଏଟ ବେକାର ଅଛନ୍ତି । ଇଞ୍ଜିନିୟରିଂରେ ୯ହଜାର ୪୮୭ଜଣ ବେକାର ପଞ୍ଜୀକୃତ କରିଛନ୍ତି । ସେହିପରି ତାଲିମପ୍ରାପ୍ତ ୧ ଲକ୍ଷ୨୪ହଜାର ୬୬୧ଜଣ ଶିକ୍ଷକ କାମ ନପାଇ ବେକାର ବୁଲୁଛନ୍ତି । ୩୧ ଅକ୍ଟୋବର ୨୦୨୦ ସୁଦ୍ଧା ୮ଲକ୍ଷ ୯୬ହଜାର ୮୩୮ଜଣ ପଞ୍ଜୀକୃତ ବେକାର ଯୁବକ ଯୁବତୀ ରହିଛନ୍ତି କିନ୍ତୁ ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମିକ୍ (ଇଏମ୍‌ଆଇଇ) ରିପୋର୍ଟରେ ଓଡ଼ିଶାର ବେକାରୀ ସଂଖ୍ୟା ୦.୯% ଅଛି । ମୁଖ୍ୟମନ୍ତ୍ରୀ ଏଭଳି ମିଥ୍ୟା ରିପୋର୍ଟ ବାହାର କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟର ୨୦ଲକ୍ଷରୁ ଅଧିକ ଶ୍ରମିକ ଦାଦନ ଖଟୁଛନ୍ତି । ତାହାଲେ ଓଡ଼ିଶାରେ ବେକାରୀ ହାର ୦.୯% କେମିତି ହେଲା? ଦୀର୍ଘ ୨୩ବର୍ଷ ଶାସନରେ ରହିଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ମିଛ ବାଃ ବାଃ ନେବା, ମିଛ ଡିଣ୍ଡିମ ପିଟିବା, ଯୁବକଙ୍କୁ ସୁନେଲୀ ସ୍ୱପ୍ନ ଦେଖାଇବା ମୁଖ୍ୟମନ୍ତ୍ରୀ କାଚଘରୁ ବାହାରି ଓଡ଼ିଶାର ଯୁବପିଢ଼ୀ କେଉଁଭଳି ଭାବେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ତାହାର ତର୍ଜମା କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟରେ ୨ଲକ୍ଷ ସରକାରୀ ପଦବୀ ଖାଲି ପଡିଥିଲେ ବି ରାଜ୍ୟ ସରକାର ପୂରଣ କରୁନାହାନ୍ତି । ତାହାଲେ ରାଜ୍ୟରେ ବେକାରୀ ହାର କମିଲା କେମିତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଯୁବକ ଯୁବତୀଙ୍କ ପ୍ରତିଙ୍କୁ ଭୂଆଁ ବୁଲାଇ ଠକିବେ ତାହାଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସରକାରଙ୍କ ମିଛ ପ୍ରଚାର ବିରୋଧରେ ଗ୍ରାଉଣ୍ଡ ଜିରୋରୁ ସର୍ଭେ କରି ଉଚିତ ଜବାବ ଦେବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟ, ରାଜ୍ୟ ସଂଯୋଜକ ରାଣା ପୃଥ୍ୱୀରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love