ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଭ୍ରମିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ପକ୍କାଘର ନିର୍ମାଣ ପାଇଁ ବିଜେପି କେନ୍ଦ୍ର ସରକାର ଦିଲ୍ଲୀରେ ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ନିୟମିତ ଭାବେ ଏ ସଂକ୍ରାନ୍ତରେ ମିଥ୍ୟା ସୂଚନା ଦେବାସହିତ ଓଡ଼ିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା ଚଳାଇଛି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମୱାଇ)ରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟରେ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରୁ କେନ୍ଦ୍ର ସରକାର ଓଡିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। ଏଥିରୁ ଜଣାପଡୁଛି ଯେ ଓଡ଼ିଶାର ବିଜେପି ନେତାମାନେ ବିଜେଡି ସରକାରଙ୍କ ସଫଳ କାର୍ଯ୍ୟ ସମେତ ଦିଲ୍ଲୀରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକୁ ବି ପାଶୋରି ଦେଉଛନ୍ତି।ଓଡିଶା ବିଜେପି ନେତାମାନେ ଦିଲ୍ଲୀ ଶାସନରେ ଥିବା ସେମାନଙ୍କ ଦଳୀୟ ସରକାରଠାରୁ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ସଂଗ୍ରହ କରିବା ସହିତ ଓଡ଼ିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିବାକୁ ଚେଷ୍ଟା କରିବେନାହିଁ ବୋଲି ଡକ୍ଟର ପତ୍ର ଆଶା କରିଛନ୍ତି। ଡକ୍ଟର ପାତ୍ର କହିଛନ୍ତି ଯଦି ଓଡିଶା ବିଜେପି ନିକଟରେ ଅଭିଯୋଗର କୌଣସି ଠୋସ ପ୍ରମାଣ ରହିଛି ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ତାହାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିପାରିବେ।  ଯଦି ଏ ସଂକ୍ରାନ୍ତରେ କୌଣସି ପ୍ରମାଣ ନାହିଁ ତେବେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରିବା ଉଚିତ ନୁହେଁ ଏଭଳି ଦାୟିତ୍ୱହୀନ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ ଯୋଗୁ ଓଡିଶାବାସୀଙ୍କ ନିକଟରେ ବିଜେପି ତାହାର ବିଶ୍ୱାସ ହରାଉଛି ଓ ଲୋକେ ବାରମ୍ବାର ଏହି ଦଳକୁ ପ୍ରତ୍ୟାଖାନ କରୁଛନ୍ତି। ଏଭଳି ଆଚରଣ ଜାରି ରହିଲେ ଭବିଷ୍ୟତରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖାନ କରିବେ ବୋଲି ଡକ୍ଟର ପାତ୍ର ଚେତାଇ ଦେଇଛନ୍ତି।

Spread the love