ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି  ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀମତୀ ରାଉତ ୨୦୧୯ ସାଧାରଣ ନିର୍ବାଚନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ଏବଂ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷା ଥିଲେ। ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପାଣିଭଣ୍ଡାର, ପାଣିଗେଙ୍ଗୁଟିଆ, ରୋଡ, ରେଣ୍ଠପାଟ ପଂଚାୟତର ପ୍ରଦ୍ୟୁମ୍ନ ଦେଉରୀ, ବୁଲୁ ନାୟକ, ପୁରନ୍ଦର ନାୟକ, ସନ୍ତୋଷ ବେହେରା, ବିଜୟ ନାୟକ, ସବିତା ବେହେରା, ବିପିନ ମହାରଣା, ବାଙ୍କନିଧୀ ସାହୁ, ପୀତବାସ ପରିଡା, ଜ୍ଞାନେନ୍ଦ୍ର ରାଉତ, କାଂଚନ ବେହେରା, ପ୍ରଦୀପ ମହାରଣା, ଗୀତା ନାଏକ, ଫକୀର ସାହୁ, ଅଶେଷ ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପରଜଙ୍ଗ ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରତ୍ୟାଶୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ଏହି ମିଶ୍ରଣ ଦ୍ୱାରା ଦଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ନୀତିରେ ଦେଶରେ ଏକ ନୂଆ ଜାଗରଣ ତିଆରି ହୋଇଛି । ଓଡିଶାରେ ଆମେ ଦୁଇ ପାଦ ଆଗରେ ରହିଛୁ। ଜାତୀୟ ଗଣମାଧ୍ୟମରେ ହୋଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଦେଶରେ ୭୦ରୁ ୭୫ ପ୍ରତିଶତ ରହିଥିବାବେଳେ ଓଡିଶାରେ ଏହା ୯୦ରୁ ୯୫ ପ୍ରତିଶତ ରହିଛି। ଭାରତ ବର୍ଷରେ ସବୁଠୁ ଲୋକପ୍ରିୟ ଏବଂ ଓଡିଶା ଲୋକଙ୍କ ଏକମାତ୍ର ପସନ୍ଦଯୋଗ୍ୟ ଜନନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଅନ୍ୟପଟେ ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ନେତାମାନେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଉପସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ସୋନାଲୀ ସାହୁ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ବିଭୁତି ପ୍ରଧାନ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love