ବିରୋଧୀଙ୍କ ପ୍ରତିବାଦ ପରେ କ୍ଷମା ମାଗିଲେ ରାଜନାଥ ସିଂ

ଲୋକସଭାରେ ବିଜେପି ସାଂସଦ ଆଜି ଯେଭଳି ଭାବେ ଜଣେ ବିରୋଧୀ ସାଂସଦଙ୍କ ପ୍ରତି ଅଶାଳୀନ ବ୍ୟବହାର କଲେ ତାହା ଏକ ଗଣତନ୍ତ୍ର ରାଷ୍ଟ୍ରପାଇଁ ଲଜ୍ଜାଜନକ ଘଟଣା । ତାଙ୍କର ଏଭଳି ଅଶାଳୀନ ବ୍ୟବହାର ବିରୋଧରେ ବିରୋଧୀଦଳମାନେ ପ୍ରତିବାଦ କରିବା ପରେ ଶେଷରେ ତାଙ୍କ ତରଫରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ କ୍ଷମା ମାଗିଛନ୍ତି । ମୁଖ୍ୟତ ଲୋକସଭାରେ ଚନ୍ଦ୍ରଯାନ-୩ମିଶନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦିଲ୍ଲୀର ବିଜେପି ସାଂସଦ ରମେଶ ବିଧୂରୀ ବହୁଜନସମାଜବାଦୀ ପାର୍ଟିର ସାଂସଦ ଦାନୀଶ ଅଲ୍ଲୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ । ଏହାକୁ ନେଇ ବିରୋଧୀ ସାଂସଦମାନେ ଗୃହରେ ହୋହାଲ୍ଲା କରିଥିଲେ । କଂଗ୍ରେସ ତରପଂରୁ ବିଜେପି ସାଂସଦ ରମେଶ ବିଧୂରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏନେଇ ବିଜେପି ସାଂସଦ ରମେଶ ବିଧୂରୀଙ୍କୁ ଚେତାବନୀ ଦେବା ସହ ସଂସଦରେ ମର୍ଯ୍ୟଦାଜନକ ଭାଷା ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ସୂଚନା ମୁତାବକ ସଂସଦରେ ବିଜେପି ସାଂସଦ ରମେଶ ବିଧୂରୀ ଚନ୍ଦ୍ରଯାନ-୩ ମିଶନ ଓ ଏହାର ସଫଳତା ବାବଦରେ କହୁଥିଲେ । ଏହି କ୍ରମରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଥିଲେ । ଏହା ଉପରେ ବିଏସପି ସାଂସଦ ଦାନୀଶ ଅଲ୍ଲୀ ରମେଶ ବିଧୂରୀଙ୍କ ସମ୍ବୋଧନ ମଝିରେ ଠିଆ ହୋଇ ପ୍ରଶ୍ନ ପଚାରିଥିଲେ । ଏହାପରେ ବିଜେପି ସାଂସଦ ଜଣଙ୍କ ଦାନୀଶ ଅଲ୍ଲୀଙ୍କ ବିରୋଧରେ ଅମର୍ଯ୍ୟାଦିତ ଭାଷା ବ୍ୟବହାର କରିବା ସହ ଅସନ୍ତୁଷ୍ଟ ଜାହିର କରିଥିଲେ । ଏହାକୁ ନେଇ ବିରୋଧୀ ସାଂସଦମାନେ ପ୍ରତିବାଦ କରିବାରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ରମେଶ ବିଧୂରୀଙ୍କ ତରଫରୁ କ୍ଷମା ମାଗିବା ସହ ଏଭଳି ଅଶାଳନୀ ଭାଷା ଲୋକସଭା ରେକର୍ଡରୁ ହଟାଇ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।

Spread the love