ନିତିନ ଗଡକରୀଙ୍କୁ ‘ସ୍ପାଇଡରମ୍ୟାନ’ କହିଲେ ବିଜେପି ସାଂସଦ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ ୨୧।୦୩: କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳର ସାଂସଦ ସଡ଼କ ସୁରକ୍ଷା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଏବଂ ଦୁର୍ଘଟଣା ରୋକିବା ଦିଗରେ କଡା ପଦ ପଦକ୍ଷେପ ଗ୍ରହଣ କରିବାକୁ ଲୋକସଭାରେ ଦାବି କରିଛନ୍ତି । ଅନ୍ୟପଟେ ବିଜେପି ସାଂସଦ ତାପିର ଗାବ ଦେଶରେ ସଡ଼କ ନିର୍ମାଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାସହ ବିଜେପି ସାଂସଦ କହିଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ସଡ଼କର ଜାଲ ବିଚ୍ଛାଇଥିବା ‘ସ୍ପାଇଡରମ୍ୟାନ’।

ଲୋକସଭା ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ଗତ ବୁଧବାର ଆରମ୍ଭ ହୋଇଥିବା ଆଲୋଚନାକୁ ବଢାଯାଇଥିଲା । ୱାଏସଆର କଂଗ୍ରେସ ପାର୍ଟିର ଏମ ଭାରତ କହିଥିଲେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ ଅନୁଯାୟୀ ଅମରାବତୀ ଏବଂ ହାଇଦ୍ରାବାଦ ମଧ୍ୟରେ ସଡକ ଯୋଗାଯୋଗ ବଢାଇବା ଉପରେ ଜୋର ଦିଆଯାଇଛି । ଏପରି ସ୍ଥିତିରେ ଏହା ଉପରେ କଣ ପ୍ରଗତି ହୋଇଛି ତାହା ସରକାର ସ୍ପଷ୍ଟ କରିବା ଜରୁରୀ ।

କଂଗ୍ରେସର ସାଂସଦ ଏମକେ ବିଷ୍ଣୁ ପ୍ରସାଦ କହିଛନ୍ତି, ପୂର୍ବରୁ କଂଗ୍ରେସ ସରକାର ସଡ଼କ ନିର୍ମାଣ ଉପରେ ଯେଉଁ କାମ କରିଥିଲା, ସେହି କାରଣରୁ ଆଜି ସଡ଼କ ମାମଲାରେ ଭାରତ ଦୁନିଆରେ ଦ୍ୱିତୀୟ ସ୍ଥାନରେ ରହିଛି । ସେ କହିଛନ୍ତି ରାସ୍ତାର ଗୁଣବତ୍ତାରେ ଜର୍ମାନୀ ଏକ ନମ୍ୱର କିନ୍ତୁ ଭାରତ ୪୪ ତମ ସ୍ଥାନରେ ରହିଛି । ସରକାର ରାସ୍ତା ଗୁଡିକର ଗୁଣବତ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରୁ ନଥିବା ସେ ଅଭିଯୋଗ କରିଛନ୍ତି।

ଆଲୋଚନାରେ ଭାଗ ନେଇ ବିଜେପିର ସାଂସଦ ତାପିର ଗାବ କହିଛନ୍ତି, ‘ମୁଁ ନିତିନ ଗଡକରୀଙ୍କ ନାଁ ସ୍ପାଇଡରମ୍ୟାନ ରଖିଛି। ବୁଢିଆଣି ଯେପରି ଜାଲ ବିଚ୍ଛାଇ ଥାଏ, ସେହିପରି କେନ୍ଦ୍ରମନ୍ତ୍ରୀ ଦେଶରେ ସଡ଼କର ଜାଲ ବିଚ୍ଛାଇଛନ୍ତି। ଏହାସହ ସେ କହିଛନ୍ତି, ମୋଦୀ ସରକାର ଆସିବା ପରେ ଚୀନ ସୀମାରେ ମଧ୍ୟରେ ରାସ୍ତା ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି’। ଅରୁଣାଚଳ ପ୍ରଦେଶରୁ ଲୋକସଭା ସଦସ୍ୟ ନିଜ ରାଜ୍ୟରେ ଅନେକ ରାସ୍ତା ନିର୍ମାଣ କଥା ଉଲ୍ଲେଖ କହିଛନ୍ତି, ମୋଦୀ ହେ ତୋ ମୁମକିନ ହେ, ଗଡକରୀ ହେ ତୋ ମୁମକିନ ହେ।

Spread the love