ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ : ସମୀର ମହାନ୍ତି

ଭୁବନେଶ୍ୱର : ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ୟ୍ୟ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ବର୍ତମାନ ସୁଦ୍ଧା ୩୦ ଲକ୍ଷ ପକ୍କା ଘର ଆସିଛି । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ଏହାକୁ ବିରୋଧ କରିବାରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ଗ୍ରାମପଂଚାୟତରେ ସରକାରୀ କଳକୁ ଲଗାଇ ଶାସକ ବିଜେଡି ଗରିବ ହିତାଧିକାରୀଙ୍କ ଉପରେ ଆକ୍ରମଣ କରିଛି । ପୁଲିସ ମଧ୍ୟ ଏଥିରେ ସାମିଲ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ଗିରଫ କରିଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗତକାଲି ଭଦ୍ରକ ଗସ୍ତ କରି ସରଜମିନ ତଦନ୍ତ କରିବା ପରେ ଏଭଳି ଘଟଣାକୁ ଦୃଢ ଭାବେ ନିନ୍ଦା କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ଗ୍ରାମପଂଚାୟତ ଗସ୍ତ କରିଥିଲେ । ଏହି ପ୍ରତିନିଧୀ ଦଳରେ ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ୟ୍ୟ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ, ମନସ୍ମିତା ଖୁଂଟିଆ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୁଖ ସାମିଲ ଥିଲେ ।
ସେଠାରେ ଶ୍ରୀ ମହାନ୍ତି ପକ୍କା ଘର ପାଇବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଗିରଫ ହୋଇଥିବା ସାଧାରଣ ଲୋକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । କୁବେରା ପଂଚାୟତର ଅନେକ ଲୋକ ପକ୍କା ଘର ପାଇବାରୁ ବଂଚିତ ଅଛନ୍ତି । ଭଣ୍ଡାରିପୋଖରୀରେ ମଧ୍ୟ ୮ ଟି ପରିବାରକୁ ପକ୍କା ଘର ମିଳିନାହିଁ । ଏ ବାବଦରେ ପ୍ରଶାସନ ପାଖରେ ଗୁହାରୀ ଜଣାଇଲେ ବି କିଛି ଫଳପ୍ରଦ ହେଉନାହିଁ । ପକ୍କା ଘର ବଂଟନରେଅନିୟମିୟତା କରିଥିବା ସରକାରୀ ବାବୁଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏହା ବିରୁଦ୍ଧରେ ବିଜେପି କାର୍ୟ୍ୟକର୍ତାମାନେ ପ୍ରତିରୋଧ କଲେ ପୁଲିସ ନାଲିଆଖି ଦେଖାଉଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବାରୁ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରାଯାଇଛି ା ପୁଲିସ ରାତି ଅଧରେ ଗ୍ରୀଲ ତାଡି ଘରେ ପଶି ସାଧାରଣ ଲୋକଙ୍କୁ ଅମାନୁଷିକ ଭାବେ ଗିରଫ କରିଛି । ଗଣତନ୍ତ୍ରରେ ବିରୋଧ କଲେ ପୁଲିସ ଏପରି ଅମାନବୀୟ କାର୍ୟ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପକ୍କା ଘର ବଂଟନରେ ଭଦ୍ରକ ଜିଲ୍ଲା ତିହିଡି ଅଂଚଳରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଅଂଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳି ନାହିଁ । ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି । କଚ୍ଚା ଘରେ ଲୋକ ପାଲ ଟାଣି ରହୁଛନ୍ତି । କିନ୍ତୁ ଅଯୋଗ୍ୟ ହିତାଧିକାରୀ, ଧନିକ ଶ୍ରେଣୀ ଏବଂ ବିଜେଡି କର୍ମୀମାନଙ୍କୁ ପକ୍କା ଘର ବଂଟନ କରାଯାଇଛି । ଆବାସ ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଂଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିରେ ଯେଉଁ ପ୍ରଶାସନିକ ଅଧିକାରୀମାନଙ୍କର ହାତ ରହିଛି ସେମାନଙ୍କୁ ପୁଲିସ କେବେ ଗିରଫ କରିବ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର କେବଳ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଗତ ନିର୍ବାଚନରେ ରାଜ୍ୟ ସରକାର ପିଠା ଯୋଜନା କରିଥିଲେ ।

ସେହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ଯାଏଁ ପକ୍କା ଘର ମିଲିଲା ନାହିଁ । ପକ୍କା ଘର ବଂଟନରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ପୂର୍ବରୁ ଅଭିଯୋଗ କରିଥିଲା । ବେଗୁନିଆ ପଂଚାୟତରେ କେବଳ ଜଣେ ପିଇଓଙ୍କୁ ନିଲମ୍ବନ କରି ପ୍ରଶାସନ ଚୁପ୍ ବସିଛି । ପ୍ରତିନିଧୀ ଦଳ ତିହିଡି ବ୍ଲକ ଅଧ୍ୟକ୍ଷାଙ୍କ ନୂଆପାଟଣା ଗାଁକୁ ଯାଇି ବିଭିନ୍ନ ଅବ୍ୟବସ୍ଥା ଦେଖିଛନ୍ତି । ତିହିଡି ବ୍ଲକ ଅଧ୍ୟକ୍ଷାଙ୍କ ନିଜ ଗ୍ରାମରେ ବିଜୁଳୀ ପହଂଚି ପାରି ନାହିଁ । ନାଳ ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି । ଚତୁର୍ଦ୍ଦଶ ଅର୍ଥ କମିଶନରେ ମୋଦି ସରକାର ପ୍ରତି ପଂଚାୟତକୁ ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ୍ କରୁଛନ୍ତି । ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ କୁଆଡେ ଗଲା ଏବଂ କାହିଁକି ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ । ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିବା ସହ ଶେଷ ଯୋଗ୍ୟ ହିତାଧିକାରୀ ଘର ନପାଇବା ଯାଏଁ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love