କ୍ଷମତାକୁ ଆସିଲେ ପ୍ରତି ପରିବାରରୁ ଜଣକୁ ମିଳିବ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି: ବିଜେପି

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ  ଗୋଟିଏ ଦିନରେ ଦୁଇଟି ବଡ଼ ଘୋଷଣା କରିଛି ବିଜେପି । ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଟଙ୍କାକରେ ୫କିଲୋ ଚାଉଳ ସହ ଅଧକିଲୋ ଡାଲି ଓ ଲୁଣ ଦେବାକୁ  ଘୋଷଣା କରିଥିବାବେଳେ  ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଶ୍ଚିତ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ଦଳର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ  ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର ସରକାର ଆସିଲେ ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଅବା ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ। ୩୫୦୦କୋଟି ଟଙ୍କାର ଏକ ‘ସ୍କିଲ୍ ଓଡ଼ିଶା ପାଣ୍ଠି’ ଗଠନ କରି ଆଗାମୀ ୫ବର୍ଷ ମଧ୍ୟରେ ୨୦ଲକ୍ଷ ଯୁବକ/ଯୁବତୀଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦିଆଯିବ।

୩ହଜାର କୋଟି ଟଙ୍କାର ଏକ ରିଭଲଭିଂ ଫଣ୍ଡ ଜରିଆରେ ରାଜ୍ୟର ଯୁବପିଢ଼ିକୁ ଆତ୍ମନିଯୁକ୍ତି ନିମନ୍ତେ ୧ ପ୍ରତିଶତ ସୁଧ ହାରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ।

Spread the love