ବିଜେଡି ସରକାର ଜନବିରୋଧୀ : ମନୋଜ ମହାପାତ୍ର

ଭୁବନେଶ୍ୱର, ତା.୦୭/୧୦: “ବିଜୁ ଜନତା ଦଳ” ଓଡିଶାବାସୀଙ୍କୁ କାଳ, ସିଏଜି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ପୂର୍ବରୁ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀମାନେ ଚିଟଫଣ୍ଡ, ଖଣି, ପାଣି, ଡାଲି ସ୍କାମ୍ ଏବଂ ଜଙ୍ଗଲ ଲୁଟ୍ ଘଟଣାକୁ ସିଏଜି ଲୋକଲୋଚନକୁ ଆଣିଥିଲା । ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନର ଶେଷ ଦିନରେ ପୁଣି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ଯାହା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ସାଧାରଣ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । ଓଡ଼ିଶାରେ ଗରୀବ ଲୋକମାନଙ୍କ କଲ୍ୟାଣ ଯାହା ହେଉଛି ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଛି । ଓଡ଼ିଶାରେ ୨୭ଲକ୍ଷ ୩୩ହଜାର ୯୦୪ଟି ପକ୍କାଘର ନିର୍ମାଣ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ । ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ “ମୋ ଘର” ଯୋଜନା ସମ୍ପୂର୍ଣ୍ଣଭାବେ ବିଫଳ । ବିଜେଡି ଆବାସ ଯୋଜନା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ଘର ନଦେଇ କୋଟି କୋଟି ଟଙ୍କା ହଡପ କରିଛି ବୋଲି ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ନବୀନ ସରକାର ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ୫୮କୋଟି ଟଙ୍କା ଲୁଟ୍ କରିଛି ବୋଲି ସିଏଜି ସ୍ପଷ୍ଟ କରିଛି । ଏସି, ଏସ୍‌ଟି, ଓବିସି ଓ ଦୃଷ୍ଟିହୀନ ପିଲାଙ୍କ ଟଙ୍କାକୁ ରାଜ୍ୟ ସରକାର ହଡପ କରିଛନ୍ତି । ଏ ସମୟରେ ‘ଇଓଡବ୍ଳ୍ୟୁ’ କେଉଁଠି ଶୋଇଛି ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେଡି ପାଇଖାନାରେ ବ୍ୟାପକ ପିସି କାରବାର ହୋଇଛି । ଠିକ୍ ସେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶ ତଥା ଓଡ଼ିଶାର ବାସହୀନ ଗରିବ ଜନସାଧାରଣଙ୍କ ପାଇଁ ମୁଣ୍ଡ ଉପରେ ଛାତ ରହିବା ପାଇଁ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଯୋଗାଇ ଦେଇଛନ୍ତି । ୨୦୨୧ସୁଦ୍ଧା ଏକ ଖସଡା ପ୍ରସ୍ତୁତ କରାଯାଇ ଓଡିଶାରେ ଆବାସ କେତେ ଦରକାର ତାର ତାଲିକା ଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଅକ୍ଷର ଅକ୍ଷର ପୂରଣ କରିଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ “ପ୍ରଧାନମନ୍ତ୍ରୀ ଆବାସ” ବଂଟନ ନକରି ରାଜ୍ୟ ସରକାର ଚଂଚକତା କରିଛନ୍ତି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗୟାପ୍ରସାଦଙ୍କ ନେତୃତ୍ୱରେ ଆସିଥିଲା । ଏହାପରେ ଗୟାପ୍ରସାଦ ଟିମ୍ ୧୦୦୦କୋଟି ଦୁର୍ନୀତି ହୋଇଛି ବୋଲି ସୂଚନା ଦେଇଥିଲେ । ବର୍ତମାନ ପ୍ରକାଶ ପାଇଥିବା ସିଏଜି ରିପୋର୍ଟରେ ମଧ୍ୟ ଅନୁରୁପ ତଥ୍ୟ ପ୍ରକାଶ ପାଇଛି । ଗ୍ରାମସଭା ଦ୍ୱାରା ଚିହ୍ନଟ ହୋଇଥିବା ୮ଲକ୍ଷ ୫୯ହଜାର ହିତାଧିକାରୀ ଅନିୟମିତଭାବେ ସ୍ଥାୟୀ ଅପେକ୍ଷାରତ ତାଲିକାରୁ ବାଦ୍ ପଡି ଯୋଜନାରୁ ବଂଚିତ ହୋଇଛନ୍ତି । ୨୦୨୧ସୁଦ୍ଧା ତାଲିକା ଚୁଡାନ୍ତ ହୋଇନଥିଲା ଫଳରେ ୫ଲକ୍ଷ ୨୭ହଜାର ଗୃହ ଫେରିଯାଇଥିଲା । ୧୨ଲକ୍ଷ ୨୫ହଜାର ହିତାଧିକାରୀ “ପ୍ରଧାନମନ୍ତ୍ରୀ ଆବାସ” ଯୋଜନାରୁ ବାଦ୍ ପଡିଛନ୍ତି । ୧୯ କୋଟି ୧୦ଲକ୍ଷ ଟଙ୍କା ଅନିୟମିତଭାବେ ପ୍ରଶାସନିକ ଖର୍ଚ୍ଚ କରିବାକୁ ବ୍ୟାଙ୍କ ଖାତାକୁ ପଠାଯାଇଛି । ବିଶେଷ କରି ଗ୍ରାମସଭା ଦ୍ୱାରା ସ୍ଥିରିକୃତ ହୋଇଥିଲା ମାର୍ଚ୍ଚ ୨୦୨୧ସୁଦ୍ଧା ୨୭ଲକ୍ଷ ୪୫ହଜାର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଚିହ୍ନଟ କରାଯାଇଥିଲା । ଜିଆରଏସ ଠୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଯଏ ବି ଏକେଳେଙ୍କାରୀରେ ଦାୟୀ ତାଙ୍କ ଉପରେ ଫୌଜଦାରୀ ମକଦ୍ଦମା ରୁଜୁ କରି ଦଣ୍ଡବିଧାନ କରନ୍ତୁ । କିଏ ଦାୟୀ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ସରପଂଚ ଜିତେନ୍ଦ୍ର ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ପୂର୍ବତନ ସମିତି ସଭ୍ୟା ମୋନାଲିସା ବିଶ୍ୱାଳ, ବାପା ବଂଶୀଧର ବିଶ୍ୱାଳ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ୨ଟି ଘର ନେଇଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ କର୍ଣ୍ଣପାତ କରିନାହାନ୍ତି । ଠିକ୍ ସେମିତି ବଜରାପୁର ପଂଚାୟତର ସମିତି ସଭ୍ୟ ବିବେକାନନ୍ଦ ଧର ସାଧାରଣ ବର୍ଗର ହୋଇଥିଲେ ବି ସେ ନିଜକୁ ଅନୁସୁଚିତ ଜାତିବର୍ଗର ଦେଖାଇ ଘର ହାତେଇଛନ୍ତି । ବିଜେଡିର ଆଗଧାଡିର ବହୁ ନେତା ଓ କର୍ମୀ ନିଜକୁ ଦଳିତ ଓ ଆଦିବାସୀ ବର୍ଗ ଦେଖାଇ ଘର ହଡପ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
୨୦୦୦ମସିହା ପରଠୁ କେତେ ଘର ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ କରାଯାଇଥିଲା । ରାଜ୍ୟ ସରକାର ହିସାବ ଦେଇଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ୨୭ଲକ୍ଷ ୩୩ହଜାର ୯୦୪ଟି ଦିଆଯାଇ ସାରିଛି । ଠିକ୍ ସେମିତି ଇନ୍ଦିରା ଆବାସ ଯୋଜନାରେ ୨୦୧୬ ପରଠୁ ୧୬ଲକ୍ଷ ୪୧ହଜାର ଦିଆଯାଇଛି, ଯାହା ବିଜୁ ପକ୍କାଘର ମୋ କୁଡିଆ ବୋଲି ବିଜେଡି କହୁଛି । ମୋଟ ୪୮ଲକ୍ଷ ୫୭ହଜାର ୫୮୯ । ରାଜ୍ୟର ୨୦୧୧ଜନଗଣନା ଅନୁଯାୟୀ ଓଡ଼ିଶାରେ ଅଧାରୁ ଅଧିକ ଲୋକ ପକ୍କାଘର ପାଇବା କଥା କିନ୍ତୁ ବାସ୍ତବିକତାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିଜେଡି ସରକାରଙ୍କ ମୁଖା ଧରା ପଡିଛି ।
“ଆମ ଘର ଯୋଜନା”ରେ ମୋଟ ଆବେଦନକାରୀ ଥିଲେ ୩ଲକ୍ଷ୫୯ହଜାର ୪୧୫ । ୧ଲକ୍ଷ ୫୬ହଜାର ବ୍ୟାଙ୍କକୁ ଦିଆଗଲା । ଏବଂ ପାଇଲେ ମାତ୍ର ୧ହଜାର ୩୭ଜଣ । ଅମର ପଟ୍ଟନାୟକ ପିଏଜି ଥିବାବେଳେ ରାଜ୍ୟ ସରକାରଙ୍କର ବ୍ୟାପକ ଦୁର୍ନୀତି ଓ ଆର୍ôଥକ ଅନିୟମିତତାର ପର୍ଦ୍ଦାଫାଶ କରିଥିଲେ । ଏବେ ଅନୁରୁପଭାବେ ସିଏଜି ରିପୋର୍ଟରେ ମଧ୍ୟ ଆବାସ କେଳେଙ୍କାରୀର ପ୍ରତିଫଳନ ହୋଇଛି । ଚଳିତବର୍ଷର ସିଏଜି ରିପୋର୍ଟ ଉପରେ ଶ୍ରୀ ଅମର ପଟ୍ଟନାୟକଙ୍କର ଯୁକ୍ତି କଣ? ସେ ତଏବେ ବିଜେଡିର ରାଜ୍ୟସଭା ସଦସ୍ୟ । ପୁରଷ୍କାର ଦେଇ ନୀରବ କରିବାର ବିଜେଡିର ଏହା ଏକ ବଳିଷ୍ଠ ଉଦାହରଣ । ଏସମସ୍ତ ଘଟଣା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ? ଏହାର ଉତର ମୁଖ୍ୟମନ୍ତ୍ରୀ ନବୀନ ବାବୁ ରଖନ୍ତୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଆବାସ କେଳେଙ୍କାରୀରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଭାରତୀୟ ଜନତା ପାର୍ଟି ମଧ୍ୟ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Spread the love