ବିଏମ୍‌ସି କମିଶନରଙ୍କୁ ବରଖାସ୍ତ କରାଯାଉ : ବିଜେପି

 ମଲ୍ ଜବରଦଖଲ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତିକରଣ ଦାବି
 ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଜମି ସ୍ପର୍ଶ ନକରିବାକୁ ଚେତାବନୀ
 ମଲ୍‌ମାନଙ୍କୁ ସୁରକ୍ଷା ଦେବାରେ ଚୌଧୁରୀଙ୍କର ପୁରୁଣା ରେକର୍ଡ
 ମଲ୍ ବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ ସଂକ୍ରମଣ ନିରୋଧ ଆଇନ ଚୌଧୁରୀଙ୍କ ଏକଛତ୍ରବାଦୀ
ମାନସିକତା
ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ
ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ  ତୁରନ୍ତ ବରଖାସ୍ତ କରାଯାଉ । ମଲ୍‌ର ଜବରଦଖଲ ଉଚ୍ଛେଦ କରି ଏହା ଉପରେ ରାସ୍ତା ପ୍ରଶସ୍ତିକରଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ  ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଦୃଢ ଦାବି କରିଛନ୍ତି ।
ଶ୍ରୀ ସିଂ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଉତ୍କଳ ଗ୍ୟାଲେରିଆ ମଲ୍ ବେଆଇନ୍ ଜମି ଜବରଦଖଲର ସୁରକ୍ଷା କବଚ ସାଜିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ଫ୍ଲାଏ ଓଭର ବା ରାସ୍ତା ପ୍ରଶସ୍ତିକରଣ କାମ ହେଲେ ଏହି ମଲ୍‌କୁ ସୌନ୍ଦର୍ଯ୍ୟକରଣ ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଆଣିବା ପାଇଁ ପୂର୍ବ ନିର୍ଦ୍ଦେଶ ରହିଛି । ମାତ୍ର ମଲ୍ ଠାରୁ ଏହି ଜମି ଫେରାଇ ନେବା ବଦଳରେ ରାଜଧାନୀର
ଐତିହ୍ୟର ମୂକସାକ୍ଷୀ ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଅଫିସର ପାଚେରୀ ଭାଙ୍ଗି ଏହି ଅନୁଷ୍ଠାନ ମାନଙ୍କ ଜମିରେ ରାସ୍ତା ପ୍ରଶସ୍ତିକରଣ କରିବାର ଷଡଯନ୍ତ୍ର କରିଛନ୍ତି ବିଏମସି କର୍ତୃପକ୍ଷ । ଗୋଟିଏ ପଟେ ହଜାର ହଜାର ଓଡିଆଙ୍କୁ ମଣିଷ କରିଥିବା ଓ ସେମାନଙ୍କ ଭାବାବେଗ ସହ ଜଡିତ ବିଜେବି କଲେଜର ଐତିହାସିକ ପାଚେରୀକୁ ଭାଙ୍ଗିବା ପାଇଁ ବିଏମସି ଚିହ୍ନ ଲଗାଇ ସାରିଛି । ମାତ୍ର ମଲ୍ ଦଖଲରେ ଥିବା ନୟନ ଯୋଡି କିଶମ ଜମିରେ ହାତ ମାରୁନାହାଁନ୍ତି ବିଏମସି
କମିଶନର ପ୍ରେମଚାନ୍ଦ ଚୌଧୁରୀ । ପ୍ରେମଚାନ୍ଦ ଚୌଧୁରୀଙ୍କର ମଲ୍ ପ୍ରେମର ପୁରୁଣା ଇତିହାସ ରହିଛି । ଚୌଧୁରୀଙ୍କ ସଲାସୁତୁରାରେ ରାଜଧାନୀର  ଏସପ୍ଲାନେଡ୍ ମଲ୍ ହାଇକୋର୍ଟ ନିର୍ଦ୍ଦେଶର ବାହାନା ଦେଖାଇ କୋଟି କୋଟି ଟଙ୍କା ପାର୍କଫିସ୍ ମାଧ୍ୟମରେ ଆଦାୟ କରିବାର ତଥ୍ୟ ପ୍ରମାଣ ଆଗରୁ  ରହିଛି ବୋଲି ଶ୍ରୀ ସିଂ କହିଛନ୍ତି ।  ପ୍ରେମଚାନ୍ଦ ଚୌଧୁରୀଙ୍କ ମଲ୍ ପ୍ରେମର ଫେଜ୍ ୨ ହେଉଛି ଉତ୍କଳ ଗ୍ୟାଲେରିଆ ମଲ୍ । ଖାସ୍ ଉତ୍କଳ ଗ୍ୟାଲାରିଆ ମଲକୁ ସୁରକ୍ଷା ଦେବା  ପାଇଁ ନିଜର ଏକଛତ୍ରବାଦୀ ମାନସିକତାର ପରିଚୟ ଦେଇଛନ୍ତି ପ୍ରେମଚାନ୍ଦ ଚୌଧୁରୀ । ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ମହାମାରୀ ନିୟନ୍ତ୍ରଣ  ଆଇନର ଅପବ୍ୟବହାର କରୁଛନ୍ତି ଶ୍ରୀ ଚୌଧୁରୀ । ଏହି ଉତ୍କଳ ଗ୍ୟାଲେରିଆ ମଲ୍‌ର ଫାୟାର ଲାଇସେନ୍ସ ପ୍ରସଙ୍ଗ ଅତୀତରେ ବିତର୍କିତ ହୋଇଥିଲା ।

ରାଜ୍ୟ ଶାସନ ଓ ପ୍ରଶାସନର ଛତ୍ରଛାୟା ତଳେ ବନ୍ଦ କରାଯାଇଥିବା ମଲ୍‌କୁ ପୁଣି ସସମ୍ମାନେ ଖୋଲିବାର ଅନୁମତି ଦିଆଯାଇଥିଲା । ଏପରି  ପରିସ୍ଥିତିରେ ମଲ୍ ଜବରଦଖଲରେ ଥିବା ଜମି ବେଦଖଲ କରି ଏହି ଜମି ଉପରେ ରାଜ୍ୟ ପ୍ରଶସ୍ତିକରଣ କରିବାକୁ ଶ୍ରୀ ସିଂ ଦାବୀ କରିବା ସହ ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଜମି ସ୍ପର୍ଶ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ  ଥିଲେ।

Spread the love