ବିଜେଡି ସରକାରରେ ଓଡିଶାର ସାମାଜିକ ଓ ଅର୍ଥନୈତିକ କରୁଣ ସ୍ଥିତି ଜାରୀ ରହିବା ଅତ୍ୟନ୍ତ ଲଜ୍ଜାଜନକ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ତା ୧୮/୦୭: ପ୍ରଚାର, ପ୍ରସାର, ଷ୍ଟିକର୍ ଓ ଫଳକ ଜରିଆରେ ‘ଯୋଜନା’ର ସଫଳତା ହୁଏ ନାହିଁ । ଏଥି ପାଇଁ ଲୋକମାନଙ୍କ ପାଖକୁ ଯାଇ ଯୋଜନାର ସୁଫଳକୁ ପହଂଚାଇବାର ଆବଶ୍ୟକତା ରହିଛି । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତା ପରେ ମଧ୍ୟ ଗୋଟିଏ ହେଲେ ନିଜସ୍ୱ ଯୋଜନାର ଆରମ୍ଭ କରିବାରେ ବିଫଳ ହୋଇଥିବା ବିଜେଡି ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ମଧ୍ୟ ରାଜ୍ୟବାସୀଙ୍କ ପାଖରେ ପହଂଚାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଗତ କାଲି ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଥିବା ‘ନ୍ୟାସନାଲ ମଲ୍ଟି ଡାଇମେନ୍ସନାଲ ପଭର୍ଟି ଇଣ୍ଡେକ୍ସ ପ୍ରୋଗ୍ରେସ ରିପୋର୍ଟ-୨୦୨୩’ ରାଜ୍ୟର ବିକାଶ ପ୍ରସଙ୍ଗକୁ ନେଇ ବିଜେଡି ସରକାରର ଅସଲ ମୁଖା ଖୋଲିଦେଇଛି । ରାଜ୍ୟର ଅସହାୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କର ବ୍ୟକ୍ତିଗତ ସହାୟକଙ୍କ ରାଜ୍ୟବ୍ୟାପୀ ବହୁ ଆଡମ୍ବର ଗସ୍ତରେ ମଧ୍ୟ ତାହା ସମ୍ଭବ ହୁଏ ନାହିଁ । “ଘୁଣ ଖିଆ ଓଡିଶା ପ୍ରଶାସନ” ପକ୍ଷରେ ତାହା ଆଉ ସମ୍ଭବ ନୁହେଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ନୀତି ଆୟୋଗ ଦ୍ୱାରା ଗତ କାଲି ପ୍ରକାଶ ପାଇଥିବା ‘ଦାରିଦ୍ର‌୍ୟ ସୂଚ୍ୟାଙ୍କ ପ୍ରଗତି ସମୀକ୍ଷା-୨୦୨୩’ ରିପୋର୍ଟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ କଲ୍ୟାଣ ଯୋଜନାର ଦୀର୍ଘ ସୂତ୍ରୀ ପ୍ରଭାବକୁ ସ୍ପଷ୍ଟ କରିଛି । ୨୦୧୫ରୁ ୨୦୨୧ ମଧ୍ୟରେ ଦେଶର ୧୩କୋଟି ୫୦ଲକ୍ଷ ଜନତା ଦାରିଦ୍ର‌୍ୟର ବିଷଚକ୍ରରୁ ମୁକ୍ତ ହୋଇଥିବା ଘଟଣା ଏହାର ମୁକସାକ୍ଷୀ । ଏହି ସମୟ ଅବଧିରେ ଦେଶର ଜନସଂଖ୍ୟାର ୨୪.୮୫ ପ୍ରତିଶତରୁ ଦାରିଦ୍ର‌୍ୟ ହାର ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି । ଏଥିସକାଶେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନ, ଜଳ ଜୀବନ ମିଶନ, ପୋଷଣ ଅଭିଯାନ, ସମଗ୍ର ଶିକ୍ଷା, ସୌଭାଗ୍ୟ, ଉଜ୍ଜ୍ୱଳା, ଜନଧନ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାର ଭୁମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
କିନ୍ତୁ ଦୁର୍ଭାଗ୍ୟ ଜନକ ଭାବେ ଦାରିଦ୍ର‌୍ୟ ଦୂରୀକରଣ ଆନ୍ତଃରାଜ୍ୟ ତାଲିକାରେ ବୃହତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ସ୍ଥାନ ତଳ ଆଡୁ ସପ୍ତମ ସ୍ଥାନରେ ସ୍ଥିର ରହିଛି । ୨୦୧୫-୧୬ରେ ମଧ୍ୟ ଓଡିଶାର ସ୍ଥିତି ସମାନ୍ ରହିଥିଲା । ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟମାନଙ୍କ ମଧ୍ୟରୁ ଉତରପ୍ରଦେଶରେ ୩କୋଟି ୪୩ଲକ୍ଷ, ମଧ୍ୟପ୍ରଦେଶରେ ୧କୋଟି ୩୬ଲକ୍ଷ, ମହାରାଷ୍ଟ୍ରରେ ୮୭ଲକ୍ଷ ୩୭ହଜାର ଜନସାଧାରଣ ଦାରିଦ୍ର‌୍ୟ ମୁକ୍ତ ହୋଇଥିବା ବେଳେ ଓଡିଶାରେ ଏହି ସଂଖ୍ୟା ୬୨ଲକ୍ଷ ୬୩ହଜାରରେ ସୀମିତ । ସେହିପରି ଯେଉଁ ୧୨ଟି ସୂଚନାଙ୍କକୁ ନେଇ ଉପରୋକ୍ତ ମଲ୍ଟିଡାଇମେନ୍ସନାଲ ଦାରିଦ୍ର‌୍ୟ ସୂଚ୍ୟାଙ୍କ ପ୍ରସ୍ତୁତ କରାଯାଇଛି ସେଥିରୁ ବିଦ୍ୟାଳୟରେ ଅତିବାହିତ ବର୍ଷ ଦୃଷ୍ଟିରୁ ଓଡିଶାର ସ୍ଥାନ ବୃହତ ରାଜ୍ୟମାନଙ୍କ ମଧ୍ୟରେ ତଳଆଡୁ ଷଷ୍ଠ, ରନ୍ଧନ ଜାଳେଣୀରେ ତଳଆଡୁ ତୃତୀୟ, ପରିମଳରେ ତଳଆଡୁ ତୃତୀୟ, ପାନୀୟ ଜଳରେ ତଳଆଡୁ ଚତୁର୍ଥ, ବିଦ୍ୟୁତ ସଂଯୋଗୀକରଣରେ ତଳଆଡୁ ପଂଚମ, ବାସଗୃହରେ ତଳଆଡୁ ନବମ ଓ ସମ୍ପତିରେ ତଳଆଡୁ ପଂଚମ ସ୍ଥାନ ହାସଲ କରିଛି । ଏବେ ବି ରାଜ୍ୟର ୩୦.୭୭ପ୍ରତିଶତ ଜନତା କୁପୋଷଣର ଶୀକାର ହେଉଛନ୍ତି । ମାତୃ ସ୍ୱାସ୍ଥ୍ୟ ଆକଳନରେ ୧୪.୮୩ ପ୍ରତିଶତ ମା’ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉନାହାଁନ୍ତି । ଏକ ତୃତୀୟାଂଶ ଶିଶୁ କୁପୋଷଣର ଶିକାର ହେଉଛନ୍ତି । ଓଡିଶାକୁ କେନ୍ଦ୍ରୀୟ ସହାୟତା ଅଧିକ ଦିଆଯାଇଛି, କିନ୍ତୁ ଓଡିଶା କାହିଁକି ପଛରେ ପଡିଛି? ବାସ୍ତବରେ ଓଡିଶାରେ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ବିଫଳ ହୋଇଛି । ୫ବର୍ଷ ତଳେ ଯେଉଁ ସ୍ଥିତି ଓଡିଶାରେ ଥିଲା ଏବେ ମଧ୍ୟ ସମାନ ସ୍ଥିତିରେ ଅଛି । କୌଣସି ପରିବର୍ତନ ହୋଇନାହିଁ । ରାଜ୍ୟ ସରକାର କେନ୍ଦ୍ର୍ର ଯୋଜନାରେ ରାଜ୍ୟର ଷ୍ଟିକର ଲଗାଇବା ଛାଡି ଲୋକଙ୍କ ପାଖରେ ପହଁଚିବା ଦିଗରେ କାର୍ଯ୍ୟ କରନ୍ତୁ । ବିଜେଡି ସରକାରର ୨୩ ବର୍ଷ ଶାସନ ପରେ ବି ଓଡିଶାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଧୁରି ପାରିନାହିଁ । ଓଡିଶାରେ ଏଭଳି କରୁଣ ସ୍ଥିତି ଜାରୀ ରହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଦାରିଦ୍ର‌୍ୟର ତୀବ୍ରତା ଭାରତରେ ୪୪.୩୯ ପ୍ରତିଶତ ଥିଲା ବେଳେ ଓଡିଶାରେ ତାହା ୪୪.୫୦ ପ୍ରତିଶତ । ସେହିପରି ମଲ୍ଟିଡାଇମେନ୍ସନାଲ ଦାରିଦ୍ର‌୍ୟ ସୂଚ୍ୟାଙ୍କ ସର୍ବଭାରତୀୟ ସ୍ତରରେ ୦.୦୫୧ ଥିଲା ବେଳେ ଓଡିଶାରେ ତାହା ୦.୦୭୦ । ଏଥିରୁ ଓଡିଶାରେ ଦାରିଦ୍ର‌୍ୟ ଦୂରୀକରଣର ସଫଳତା ସର୍ବଭାରତୀୟ ସଫଳତା ସହିତ ସମକକ୍ଷ ହୋଇନଥିବା ସ୍ପଷ୍ଟ ବାରି ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବିଶେଷ କରି ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଦାରିଦ୍ର‌୍ୟର ଚିତ୍ର ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ପ୍ରଶାସନକୁ ଉଲଗ୍ନ କରିଦେଇଛି । ଆଦିବାସୀ ବହୁଳ ଅଂଚଳରେ ସ୍ଥିତି ଅତି ସଙ୍ଗୀନ । ଓଡିଶା ଜନସଂଖ୍ୟାର ୧୫.୬୮ ପ୍ରତିଶତ ଦାରିଦ୍ର‌୍ୟ ଭୋଗୁଥିଲା ବେଳେ ଆଦିବାସୀ ବହୁଳ ମାଲକାନଗିରିରେ ଏହି ହାର ୪୫.୦୧ ପ୍ରତିଶତ, ରାୟଗଡାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ, ଗଜପତିରେ ୨୮.୧୪ ପ୍ରତିଶତ ଓ ଖଣି ବହୁଳ କେନ୍ଦୁଝର ଜିଲ୍ଲାରେ ୨୫.୩୦ ପ୍ରତିଶତ ରହିବା ଅତ୍ୟନ୍ତ ନିନ୍ଦନୀୟ । ଏହା ଦ୍ୱାରା ରାଜ୍ୟର ପ୍ରାକୃତିକ ସମ୍ପଦ ଥିବା ଜିଲ୍ଲା ଗୁଡିକ ଅଧିକ ଅବହେଳିତ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ନୀତି ଆୟୋଗର ଏହି ତଥ୍ୟକୁ ଅଧିକ ବିଶ୍ଲେଷଣ କରି ଶ୍ରୀ ପଣ୍ଡା କହିଥିଲେ ଯେ, ବିଦ୍ୟାଳୟରେ ଅତିବାହିତ ବର୍ଷ ଦୃଷ୍ଟିକୋଣରୁ ଭାରତର ୧୧.୪୦ ପ୍ରତିଶତ ବାଳକ ବାଳିକା ବଂଚିତ ଥିଲା ବେଳେ ଓଡିଶାରେ ତାହା ୧୩.୪୪ ପ୍ରତିଶତ । ସ୍ୱଚ୍ଛ ରୋଷେଇ ଇନ୍ଧନ ଦୃଷ୍ଟିରୁ ଭାରତର ୪୩.୯୦ ପ୍ରତିଶତ ଜନତା ବଂଚିତ ଥିଲା ବେଳେ ଓଡିଶାରେ ତାହା ୬୫.୯୪ ପ୍ରତିଶତ । ଉପଯୁକ୍ତ ପରିମଳ ସେବାରୁ ଭାରତର ୩୦.୧୩ ପ୍ରତିଶତ ବଂଚିତ ଥିଲା ବେଳେ ଓଡିଶାରେ ତାହା ୩୯.୮୫ ପ୍ରତିଶତ । ଭାରତର ୭.୩୨ ପ୍ରତିଶତ ଜନସଂଖ୍ୟା ସ୍ୱଚ୍ଛ ପାନୀୟ ଜଳ ପାଉନଥିବା ବେଳେ ଓଡିଶାରେ ସେହି ଅନୁପାତ ୧୩.୫୫ ପ୍ରତିଶତ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ଓ ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love