ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା: ବାବୁ ସିଂ

ଭୁବନେଶ୍ୱର,ତା.୦୭/୦୯: ବିଜୁ ଜନତା ଦଳ ନିର୍ବାଚନ ଆଗରୁ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ପଟ୍ଟା ବଂଟା ନାଟକ କରିଥାଏ । ନିର୍ବାଚନ ଆସିଲେ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡେ । ୨୩ବର୍ଷ ଧରି ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ପ୍ରତାରଣା, ଚ୍ଛଳନା କରିବା ସହ ତାଙ୍କ ଦଳର ପ୍ରଶାସନ, କୁଜି ନେତାମାନେ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରୁଛନ୍ତି । ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତିନି ତିନି ଥର ସର୍ଭେ କରି କାନ୍ଥରେ ଟିଣ ପ୍ଲେଟ ମାରି ଘର ଓ ପଟ୍ଟା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ରହିଛି । ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପଟ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଲଗାଇ ବସ୍ତିବାସିନ୍ଦାଙ୍କୁ ଦେଇଥିଲେ । ନବୀନ ବାବୁ ଯେଉଁ ପଟ୍ଟା ବାଂଟିଥିଲେ ତାହା ରଦି କାଗଜଠାରୁ ହୀନ ବୋଲି କିଛିଦିନ ପରେ ଜାଣିବାକୁ ପାଇଥିଲେ ବସ୍ତିବାସିନ୍ଦା । ପୁଣି ଏବେ ଡ୍ରୋନ ସର୍ଭେ କରି ପ୍ରମାଣ ପତ୍ର ବାଂଟିଲେ ଓ ଏହା ଠିକ୍ ପଟ୍ଟା ବୋଲି କହିଲେ । ତାହାଲେ ପୂର୍ବରୁ ହୋଇଥିବା ତିନୋଟି ସର୍ଭେ କ’ଣ ତାହାର ଉତର ଦିଅନ୍ତୁ ରାଜ୍ୟ ସରକାର ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିିଛନ୍ତି ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ଗତ ତିନିଦିନ ତଳେ ଭୁବନେଶ୍ୱର ମ୍ୟୁନିସପାଲଟି କମିଶନର ବାରମ୍ବାର କହୁଛନ୍ତି, ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଂଟନ କରୁଛୁ । ଯଦି ପଟ୍ଟା ବଂଟା ହେଉଛି ତାହାଲେ ୟୁନିଟ୍‌-୪ରେ ଜଣେ ଲୋକ ପଟ୍ଟା ପାଇଥିବା ସତ୍ୱେ ବିଏମ୍‌ସି ଗାଡି ଯାଇ ତାର ଘରକୁ ଭାଙ୍ଗି ଦେଲା । ବିଏମସିର ନିଜ ବିଭାଗ ଜାଣିପାରୁନି ପଟ୍ଟା କାଗଜର ମୂଲ୍ୟ । ସେହିପରି ବସ୍ତିରେ ରହୁଥିବା ବନିତା ବିଶୋଇ ନାମ୍ନୀ ଜଣେ ମହିଳା ବିଏମସି ଦେଇଥିବା ପଟ୍ଟାକୁ ନେଇ ବ୍ୟାଙ୍କକୁ ଯାଇଥିଲେ ଋଣ ଆଣିବା ପାଇଁ କିନ୍ତୁ ସେଠାରେ ତାଙ୍କୁ ଋଣ ଦେବା ପାଇଁ ମନା କରିଥିଲେ ବ୍ୟାଙ୍କ ମ୍ୟାନେଜର । ଏହି ପଟ୍ଟା ଗୁଡିକ ଗୋଚର ଜମିର ପଟ୍ଟା । ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ସର୍ଭେ ନାଁରେ ପ୍ରଚୁର ଟଙ୍କା ଖର୍ଚ୍ଚ କଲେ । ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା । ଜଣେ ବସ୍ତିବାସିନ୍ଦାଙ୍କୁ ୩୨୩ ବର୍ଗ ଫୁଟ୍‌ର ଜମି ଦେଇଛନ୍ତି । କିନ୍ତୁ ଘରକୁ ଯିବାକୁ ୨୦ଫୁଟର ରୋଡ ନହେଲେ ପ୍ଲାନ ଆପ୍ରୁଭାଲ ହେବ ନାହିଁ । ଏହି ପ୍ଲାନ ଆପ୍ରୁଭାଲ କେମିତି ଦେବ ବିଏମ୍‌ସି? ଖାଲି ଜମି ଦେଲେ ହେଲେ ରାସ୍ତ ପାଇଁ ଜମି ଦେଲେ ନାହିଁ । ରାଜ୍ୟ ସରକାର ମିଥ୍ୟା ପଟ୍ଟା ଦେଇ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ।
ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଘରବାଡି ପଟ୍ଟା ଦେବେ ବୋଲି କହିଥିଲେ କିନ୍ତୁ ଗୋଚର ଜମିରେ ଦେଇଛନ୍ତି । ପର୍ବୂରୁ ପ୍ରିମିୟମ ଅବଧି ତିନି ଦିନ ଥିଲା, ଏବେ ୬ମାସକୁ ବୃଦ୍ଧି କରିଛନ୍ତି । ନିର୍ବାଚନ ୬ମାସ ଥିବାରୁ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ନୂଆ ସୂତ୍ର କରିଛନ୍ତି । ଯେଉଁ ବସ୍ତିବାସିନ୍ଦା ଟଙ୍କା ଦେଉଛନ୍ତି ସେମାନଙ୍କୁ ଫେକ୍ ରିସିପ୍ଟ କାଟୁଛନ୍ତି । ଯାହାକୁ ସେମାନେ ନେଇ ପରେ ବିଏମ୍‌ସିରେ ଅଭିଯୋଗ କିମ୍ବା କେସ୍ କରିପାରିବେ ନାହିଁ । ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ ଦେଇ ରାଜ୍ୟ ସରକାର ଠକି ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଛନ୍ତି । ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ବସ୍ତିବାସିନ୍ଦା ଚିହ୍ନିସାରିଛନ୍ତି, ଆଗାମୀ ଦିନରେ ବସ୍ତିବାସିନ୍ଦା ଏହାର ଜବାବ ଦେବେ । ବସ୍ତିବାସିନ୍ଦାଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ରାଜ ରାସ୍ତାରେ ଲଢ଼ିବା ସହ କୋର୍ଟରେ ଲଢ଼ିବ ବୋଲି ଶ୍ରୀ ସିଂ କହିଛନ୍ତି ।
ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୂଷୁଡି ପଡିଛି । ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ “ଛାମୁ ଯାହା ଦେଲେ ହରଷେ ପାଉ ପାଉ ଗଲା ୨୫ବର୍ଷ” । ଜନମଙ୍ଗଳ ରାଷ୍ଟ୍ରରେ ଲୋକତାନ୍ତ୍ରିକ ସରକାର ଜନତାଙ୍କୁ ଠକିବ, ବସ୍ତିବାସିନ୍ଦାଙ୍କୁ ଭୂତାଇଛି । ରାଜ୍ୟ ସରକାର ନୈତିକତା ହରାଇଛନ୍ତି । ଭୂମି ଅଧିକାର ପ୍ରମାଣ ପତ୍ର-୨ ଦେଇ ସରକାର କମିଶନଙ୍କ ଜରିବାରେ ମିଥ୍ୟା କହିଛନ୍ତି । ଆଇପିସି ଧାରା-୪୨୦ ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରି କାଠଗଡାକୁ ଟାଣିବ ବିଜେପି । ଯେଉଁ ବିଜେଡି ନେତା ଭୋଟ ନେଇ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜାଗା, ଘର ଦେବେ ବୋଲି ସେମାନେ ଆଜି ଚୁପ୍ । ବିଏମ୍‌ସି କମିଶନ ଚିଟିଙ୍ଗ କରି ପଟ୍ଟା ବଂଟନ କରୁଛନ୍ତି ତାହା ପ୍ରତିବଦଳରେ ଟଙ୍କା ନେଉଛନ୍ତି । ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିବା ମେୟର, ଜଣେ ମନ୍ତ୍ରୀ ଓ ୨ଜଣ ବିଧାୟକ ଏହାର ଉତର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଏମସି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ଯଶୋଧାରା ପ୍ରଧାନ, ଧରିତ୍ରୀ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love