‘ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଯେତେ ବି ନାଲି ଆଖି ଦେଖାଇଲେ ବିଜେପି ଜନ ସମସ୍ୟାକୁ ଉଠାଇବାରେ ବନ୍ଦ କରିବ ନାହିଁ ‘

ସମ୍ବଲପୁରରେ ବିଜେପି ବିଧାୟକ ଓ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଘଟଣାକୁ ରାଜ୍ୟ ବିଜେପି
ସଭାପତିଙ୍କ ନିନ୍ଦା
ପ୍ରଶାସନର ଉଦ୍ୟମ ନିନ୍ଦନୀୟ ଓ ଜନ ଭାବନାର ପରିପନ୍ଥୀ
:ସମୀର ମହାନ୍ତି
 ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଯେତେ ବି ନାଲି ଆଖି ଦେଖାଇଲେ ବିଜେପି ଜନ ସମସ୍ୟାକୁ ଉଠାଇବାରେ
ବନ୍ଦ କରିବ ନାହିଁ
 ବ୍ରିଟିଶ ଶାସନ ପରି ଜିଲ୍ଲାପାଳ ଦୁଇ ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ଯୋର ଜବରଦସ୍ତ ପାଟି
ବନ୍ଦ କରିବାକୁ ଅପଚେଷ୍ଟା କରିଛନ୍ତି
 ଜନ ପ୍ରତିନିଧି ଭାବରେ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ନାଉରୀ ନାଏକଙ୍କର ବଡ଼ ଦାୟିତ୍ୱ ରହିଛି ଓ
ଏହି ଦାୟିତ୍ୱକୁ ପାଳନ କରିବା ପାଇଁ ଏମାନେ ବଦ୍ଧ ପରିକର
 ବିଜେପିର ଜନପ୍ରତିନିଧି ଓ ସାଧାରଣ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଜନସମସ୍ୟାର ସମାଧାନ ପାଇଁ ସବୁପ୍ରକାର ଉଦ୍ୟମ
ଜାରୀ ରହିବ
 କୋଭିଡ଼୍ ନିୟମ ବାହାନାରେ ନିଜ ଦଳ ପାଇଁ ନିୟମ ଅଲଗା ଓ ଅନ୍ୟ ଦଳ ପାଇଁ କଣ ନିୟମ ଅଲଗା । ଏହା
ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି ନୁହେଁ କି ?
ଭୁବନେଶ୍ୱର,ତା.୨୯/୦୭: ସମ୍ବଲପୁର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିଶେଷ ଭାବରେ କୋଭିଡ୍ ଏବଂ ଅଣକୋଭିଡ୍
ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଯିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ନାଉରୀ  ନାଏକଙ୍କ ସମେତ ବିଜେପିର ପ୍ରତିନିଧି ଦଳ ମାନଙ୍କୁ ପୋଲିସ ଲଗାଇ ଦୁଃବ୍ୟବହାର କରାଯାଇ ତଡ଼ି ଦେବା ପାଇଁ ପ୍ରଶାସନର ଉଦ୍ୟମ ନିନ୍ଦନୀୟ ଓ ଜନ ଭାବନାର ପରିପନ୍ଥୀ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ସମ୍ବଲପୁର ସହର ଓ ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ମହାମାରୀ କରୋନାର ସ୍ଥିତି ସଙ୍ଗୀନ ହେଉଛି । କରୋନାର  ସୁପରିଚାଳନା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ବନ୍ଦୋବସ୍ତ ନେଇ ଜନ ପ୍ରତିନିଧି ଭାବରେ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ନାଉରୀ  ନାଏକଙ୍କର ବଡ଼ ଦାୟିତ୍ୱ ରହିଛି ଓ ଏହି ଦାୟିତ୍ୱକୁ ପାଳନ କରିବା ପାଇଁ ଏମାନେ ବଦ୍ଧ ପରିକର । ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ
ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଜଣା ବ୍ୟକ୍ତି ନୁହଁନ୍ତି । ସେମାନେ ନିର୍ବାଚିତ ଜନ ପ୍ରତିନିଧି । ଜିଲ୍ଲାପାଳ ସାମାନ୍ୟ ସୈଜନ୍ୟତା  ଦେଖାଇ ସେମାନଙ୍କୁ ସାକ୍ଷାତ୍ କରିବାକୁ ସୁଯୋଗ ଦେଇ ସମସ୍ୟା ବୁଝିପାରିନଥାନ୍ତେ ବା ନିଜେ ନିଜ କାର୍ଯ୍ୟାଳୟ ବାହାରକୁ ଆସି ସାକ୍ଷାତ୍ କରିପାରିଥାନ୍ତେ । ମାତ୍ର ଯାହା ବ୍ରିଟିଶ ଶାସନରେ ହୋଇନଥିଲା, ସେପରି ଭାବେ ଉକ୍ତ ଜିଲ୍ଲାପାଳ ଦୁଇ ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ  ସଙ୍ଗୀନ ଦଫା ଲଗାଇ ଯୋର ଜବରଦସ୍ତ ପାଟି ବନ୍ଦ କରିବାକୁ ଅପଚେଷ୍ଟା କରିଛନ୍ତି । ତାକୁ ଭାରତୀୟ ଜନତା ପାର୍ଟି କଡ଼ା ଶବ୍ଦରେ ନିନ୍ଦା  କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଯେତେ ବି ନାଲି ଆଖି ଦେଖାଇଲେ ବିଜେପି ଜନ ସମସ୍ୟାକୁ ଉଠାଇବାରେ ବନ୍ଦ କରିବ ନାହିଁ । ବିଜେପିର ଜନପ୍ରତିନିଧି ଓ ସାଧାରଣ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଜନସମସ୍ୟାର ସମାଧାନ ପାଇଁ ସବୁପ୍ରକାର ଉଦ୍ୟମ ଜାରୀ ରହିବ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ଼୍ ହସ୍ପିଟାଲରେ ପରିଣତ କରିବା, ପ୍ରତିଶ୍ରୁତି ଦିଆଯାଇଥିବା ୩୦ ଆଇସିୟୁ ବେଡ୍ ନହେବା ଓ ଅନ୍ୟାନ୍ୟ
ରୋଗର ଶୀକାର ଲୋକଙ୍କ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ନେଇ କିଛି ଦିନ ପୂର୍ବରୁ ପଶ୍ଚିମ ଓଡ଼ିଶା ଜିଲ୍ଲା ମାନଙ୍କର ବିଜେପି
ବିଧାୟକମାନେ ଆରଡ଼ିସିଙ୍କୁ ସାକ୍ଷାତ୍ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ଗୋଟିଏ ବି ବିଷୟର ସମାଧାନ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ମହାନ୍ତି ସେ କହିଛନ୍ତି କୋଭିଡ଼୍ ନିୟମ ବାହାନାରେ ନିଜ ଦଳ ପାଇଁ ନିୟମ ଅଲଗା ଓ ଅନ୍ୟ ଦଳ ପାଇଁ କଣ ନିୟମ ଅଲଗା । ଏହା ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି ନୁହେଁ କି ? ଶାସନାଧୀନ ବିଜେଡ଼ି ଦଳର ବିଧାୟକ ଓ ମନ୍ତ୍ରୀ ମାନେ କିପରି କୋଭିଡ୍ ନିୟମର ଉଲ୍ଲଂଘନ କରିଛନ୍ତି । କିଛି ଦିନ ପୂର୍ବରୁ ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ) ବାରିପଦାରେ ଜନଗହଳିପୂର୍ଣ୍ଣ ଜନ୍ମଦିନ ପାଳନ କରିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ଆଡ଼ମ୍ବରପୂର୍ଣ୍ଣ ଜନ୍ମଦିନ ସେଲିବ୍ରେସନ କରିଥିଲେ ।
ସେହିପରି ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଜେଡ଼ି ବିଧାୟକ ଗଜପତିରେ କୋଭିଡ୍ ନିୟମ ଭାଙ୍ଗି ଘର ଘର ବୁଲିବା, ଜନ ସମାଗମ କରିବା, ଏହା କେଉଁ ପ୍ରକାର ନିୟମ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଖୋଦ୍ ଆଇନ ମନ୍ତ୍ରୀ ଆଇନ ନମାନି ମାହାଙ୍ଗାରେ ଜନଗହଳିପୂର୍ଣ୍ଣ ସଭା ସମିତି କରିବା କେଉଁ ପ୍ରକାର ନିୟମ ? ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ ବିଧାୟକଙ୍କୁ ଧରି କୋଭିଡ଼୍ ନିୟମ ଭାଙ୍ଗିବା ସହିତ ହେଲିକେପ୍ଟରରେ ଆସିବା ଓ ରାଜ୍ୟ ରାଜକୋଷରୁ ଅର୍ଥ ନଷ୍ଟ କରିବା ଏଭଳି ମଧ୍ୟ ବହୁତ ଉଦାହରଣ ରହିଛି ।
ଗଣତନ୍ତ୍ରରେ ଜାଣିଶୁଣି ଜନପ୍ରତିନିଧି ମାନଙ୍କୁ ନାଲି ଆଖି ଦେଖାଇ ଜନ ସମସ୍ୟା ଉଠାଇ ନଦେବା ଏବଂ ଅପରପକ୍ଷରେ ସଙ୍ଗୀନ
ଦଫା ଲଗାଇ ଉଭୟ ଜନ ଭାବନାକୁ ଦବାଇ ଦେବା, ଏହା ଜନହିତ ବିରୋଧୀ । ଏହାକୁ ଭାରତୀୟ ଜନତା ପାର୍ଟି କଡ଼ା ଶବ୍ଦରେ ନିନ୍ଦା  କରୁଛି ଏବଂ ସରକାର ସ୍ଥାନୀୟ ପ୍ରଶାସନକୁ ଭାରତୀୟ ଜନତା ପାର୍ଟି ଚେତେଇ ଦେବା ପାଇଁ ଚାହୁଁଛି ସେମାନଙ୍କର ଏପରି ବ୍ୟବହାରକୁ  ବିଜେପି ବରଦାସ୍ତ କରିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Spread the love