ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ ପ୍ରତିବାଦରେ ରାଜ୍ୟର ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, ତା.୦୪/୦୩: କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଂଟ ଘୋଡାଇବାରେ ଲାଗିଛନ୍ତି । ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡରେ ପୋଲିସ ଓ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ ଥିବାବେଳେ ରାଜ୍ୟସରକାର ଘଟଣାକୁ ଚପାଇ ଦେବା ପାଇଁ ଭିନ୍ନ ନାଟକ କରୁଛନ୍ତି । ଏହା ବିରୁଦ୍ଧରେ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ ଶାସକ ବିଜେଡିର ଗୁଣ୍ଡାମାନେ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ପୋଲିସ ମଧ୍ୟ ଅମାନୁଷିକ ଭାବେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଲାଠି ମାଡ କରିବା ଏବଂ ମିଥ୍ୟା ଦଫା ଲଗାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ବିଜେପି କର୍ମୀମାନଙ୍କୁ ମାଡ ମାରିଥିଲା । ଏହା ବିରୁଦ୍ଧରେ ପୋଲିସ ଅଧିକାରୀଙ୍କ ନାଁ ରେ ଏତଲା ଦିଆଯିବା ପରେ ବି ପୋଲିସ ଥାନାରେ ଏତଲା ନରଖି ଓଲଟା ବିଜେପି କର୍ମୀଙ୍କୁ ଭୟଭୀତ କରାଉଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଓଡ଼ିଶା ପୋଲିସର ପକ୍ଷପାତିତା, ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ ଏବଂ ଅରାଜକତା ବିରୁଦ୍ଧରେ ଆଜି ରାଜ୍ୟର ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ କରିଛି । ଯଦି ପୋଲିସ ଏତଲା ନରଖେ ତାହାଲେ ଆଗାମୀ ଦିନରେ ବିଜେପି ନ୍ୟାୟପାଳିକାର ଦ୍ୱାରସ୍ଥ ହେବ ।
ଏହି ବିକ୍ଷୋଭ ସମାବେଶ ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ, ବ୍ରହ୍ମପୁର, ରାଉରକେଲା, କୋରାପୁଟ, ସୁନ୍ଦରଗଡ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, କେନ୍ଦୁଝର, ଦେବଗଡ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ମାଲକାନଗିରି, ଗଜପତି, ନୟାଗଡ, ଭଦ୍ରକ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ବଲାଙ୍ଗିର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ କାର୍ଯ୍ୟକର୍ତା ବିକ୍ଷୋଭ ଓ ଗଣଧାରଣାରେ ସାମିଲ ହୋଇଥିଲେ ।

Spread the love