ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସାରା ଓଡିଶାରେ ପ୍ରତିବାଦ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା, FIR ନ ରଖିବା ଏବଂ ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ବିକ୍ଷୋଭ କରିଛି। ମହିଳାମୋର୍ଚ୍ଚାର କର୍ମୀମାନେ ଆଇନକୁ କୋକେଇରେ ଶୁଆଇ, ହାତରେ ଗୋବର ପାଣି ଛିଞ୍ଚି ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି। ଗୋଟିଏ ପରେ ପରେ ଗୋଟିଏ ବ୍ୟାରିକେଡ ଭାଙ୍ଗିବାରେ ଲାଗିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ନେତା ବାବୁ ସିଂଙ୍କ ନେତୃତ୍ବରେ ଆଗେଇ ଚାଲିଥିବା ଏହି ବିକ୍ଷୋଭ ସମାବେଶ ବେଳେ ପୁଲିସ କିଛି ବିଜେପି କର୍ମୀ ଉଠାଇ ନେଇଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ବଲାଙ୍ଗିର ଏସପି ଅଫିସ ସମ୍ମୁଖରେ ଇରାଶିଷ୍ ଆଚାର୍ଯ୍ର୍ୟଙ୍କ ନେତୃତ୍ବରେ ବିଜେପି ବିକ୍ଷୋଭ କରୁଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏସପି ଦେଖା କରିବାକୁ ଅଡି ବସିଛନ୍ତି। ପୁଲିସ ସହ ପ୍ରବଳ ଧସ୍ତାଧସ୍ତି, ଏସପି ଅଫିସକୁ ଅଣ୍ଡାମାଡ ବେଳେ କେତେକ ବିଜେପି କର୍ମୀ ଏଠାରେ ଆହତ ମଧ୍ୟ ହୋଇଛନ୍ତି।

ସେହିପରି ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ଼କୁ ବିଜେପିର ନିନ୍ଦା । ଭଦ୍ରକ ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଭବାନୀପାଟଣାରେ ବି ଶୁଣିବାକୁ ମିଳିଛି ବିଜେପିର ଗର୍ଜନ ।  ଆଜି ବିଜେପି ଯୁବ ମୋର୍ଚ୍ଚାପକ୍ଷରୁ ଭବାନିପାଟଣାସ୍ଥିତ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ସରକାରଙ୍କୁ ତିବ୍ର ଭର୍ତ୍ସନା କରିଛନ୍ତି ବିଜେପି କର୍ମୀ । ଏହାବାଦ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଘଟଣାର ଉଚିତ ତଦନ୍ତ ଦାବିରେ ବିଜେପି ଆନ୍ଦୋଳନ ତେଜିବାରେ ଲାଗିଛି  । ଏଥିରେ ବିଜେପି ରାଜ୍ୟ  ସଭାପତି ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇ ଆନ୍ଦୋଳନ ରେ ଭାଗ ନେଇଛନ୍ତି ।

Spread the love