ରଙ୍ଗଶାଳାରେ ଓଡିଶା ଶାସନ, କୁମ୍ଭକର୍ଣ୍ଣ ନିଦ୍ରାରେ ମୁଖିଆ: ବିଜେପି

ଭୁବନେଶ୍ୱର, ତା.୩୧/୧୦ : ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଉଭୟ ସର୍ବଦା ମା’କୁ ସମ୍ମାନର କଥା କହୁଛନ୍ତି । କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନେ ଦୁଷ୍କର୍ମ, ହତ୍ୟା, ଯୌନ କେଳେଙ୍କାରୀରେ ଲିପ୍ତ ରହୁଛନ୍ତି । ଶାସକ ଦଳର ନେତାଙ୍କ ଦୁଷ୍କର୍ମ ବଢ଼ୁଥିଲେ ମଧ୍ୟ ଶାସକ ଦଳର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଓ ଚୁପ୍ ରହିବା ଏକ ଅଭ୍ୟାସରେ ପରିଣତ ହୋଇଛି । ଓଡ଼ିଶାରେ ଜନତାଙ୍କ ସ୍ୱରକୁ ସ୍ୱାଧିନ କରିବାଲାଗି ଭାରତୀୟ ଜନତା ପାର୍ଟି ସର୍ବଦା ପ୍ରୟାସ କରୁଛି । ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ସହିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ ରହିଥିବାରୁ ଘଂଟ, ଘଂଟା ବଜାଇ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିନ୍ଦ୍ରା ଭାଙ୍ଗିବାକୁ ଆଜି ନବୀନ ନିବାସ ଘେରାଉ କରିଛି ଭାରତୀୟ ଜନତା ପାର୍ଟି ।
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରେ ବିଜେଡି ମନ୍ତ୍ରୀ, ବିଧାୟକଙ୍କ ସଂପୃକ୍ତିର ସମସ୍ତ ତଥ୍ୟ ପୋଲିସ ପାଖରେ ରହିଛି । କିନ୍ତୁ ରାଜ୍ୟ ପୋଲିସ ଓ ଓଡିଶା ସରକାର ସମସ୍ତ କଥା ଜାଣିବି କାହିଁକି ନୀରବ ବସିବା ସହ ତଦନ୍ତ କରୁନାହିଁ । ଏହି ୨ଟି ସମ୍ବେଦନଶୀଳ ଘଟଣାର ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ସରକାର ସମୟ ଗଡାଉଛନ୍ତି । ରାଜ୍ୟ ସରକାରଙ୍କୁ ଜାଗୃତ କରିବା ସହ ମୁଖିଆଙ୍କ ନିଦ ଭାଙ୍ଗିବାକୁ ଆଜିର ନବୀନ ନିବାସ ଘେରାଉ ବୋଲି ଡ. ସମ୍ବିତ ପାତ୍ର କହିଛନ୍ତି । ଅର୍ଚ୍ଚନା ନାଗ ୫ବର୍ଷ ଭିତରେ ପାଖାପାଖି ୧୦୦କୋଟି ସମ୍ପତିର ଅଧିକାରୀ କିପରି ହେଲେ ତାହାର ଜବାବ ରାଜ୍ୟ ସରକାର ରଖନ୍ତୁ । ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ଟ୍ରାନ୍ସଫର୍‌, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତି ନିଆଯାଉଥିଲା । ବାରବାଟୀ ଷ୍ଟାଡିୟମ୍‌ରେ ହୋଇଥିବା କ୍ରିକେଟ୍ ଖେଳର ୨୦୦ ପାସ୍ ଅର୍ଚ୍ଚନାଙ୍କୁ କିଏ ଦେଇଥିଲା । ସେହିପରି ଅର୍ଚ୍ଚନାଙ୍କୁ ବାରବାଟୀ ଷ୍ଟାଡିୟମକୁ କଡନ କରି କେଉଁ ବିଜେଡି ନେତା ନେଇକି ଯାଇଥିଲେ । ବିଧାନସଭାକୁ ଅର୍ଚ୍ଚନା କିପରି ମୁଖ୍ୟ ଦ୍ୱାରରେ ପ୍ରବେଶ କରୁଥିଲା । ଅର୍ଚ୍ଚନାଙ୍କ ସହ ଶାସକ ଦଳର ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ଫଟୋଗ୍ରାଫ ସହ ସ୍ପଷ୍ଟ ପ୍ରମାଣ ସାଧାରଣରେ ଘୁରି ବୁଲୁଛି । କକ୍‌ଟେଲ, ହନିଟ୍ରାପିଂ, ବ୍ଲାକମେଲିଂ ଓ କର୍ପୋରେସନ, ନେପୋଟିଜିମ୍‌ର ଭଳି ସମସ୍ତ ବିଷୟକୁ ବାରମ୍ବାର ବିଜେପି ପ୍ରେସ ମିଟ୍ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କିନ୍ତୁ ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ । ରାଜ୍ୟ ସରକାର ଜାଗୃତ ହୋଇ ଜନତାଙ୍କ ପ୍ରଶ୍ନର ଉତର ରଖନ୍ତୁ ଏବଂ ପୋଲିସର ହାତ ନବାନ୍ଧି ଉଭୟ ଘଟଣାରେ ସମ୍ପୃକ୍ତ ବିଜେଡି ନେତା, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବିଜେପି ।
ଓଡିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଧ୍ୱଂସ ହୋଇଗଲାଣି । ଭ୍ରଷ୍ଟାଚାରୀ, ଦୂରାଚାରୀ ଓ ଚରିତ୍ରହୀନ ସରକାର ଜାଗ୍ରତ ହୋଇ ଜନତାଙ୍କ ପ୍ରଶ୍ନର ଉତର ଦିଅନ୍ତୁ । ଓଡିଶାରେ ମହିଳାମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତା । ଏନେଇ ବାରମ୍ବାର ଭାରତୀୟ ଜନତା ପାର୍ଟି ବେଶରମ୍ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି କୌଣସି ସୁଫଳ ମିଳୁନାହିଁ ।
ସ୍ୱର୍ଗତଃ ସାହୁ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଥିଲେ । ଭାଇରାଲ ଅଡିଓ କ୍ଲିପରେ ମଧ୍ୟ ସ୍ୱର୍ଗତଃ ସାହୁ ନିଜ ମୃତ୍ୟୁର କାରଣ ପାଇଁ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦାଶ ଦାୟୀ ବୋଲି ସ୍ପଷ୍ଟ କରିଥିଲେ । ଶ୍ରୀ ଦାଶ ମଧ୍ୟ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଡିଓ ପୋଲିସ ପାଖରେ ଅଛି । ଶାସକ ଦଳର ମନ୍ତ୍ରୀମାନେ ରାଜ୍ୟରେ ମହିଳାଙ୍କ ଇଜ୍ଜତ ଓ ସ୍ୱାଭିମାନ ସହ ଖେଳୁଛନ୍ତି । ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ଯୌନ କେଳେଙ୍କାରୀ ଓ ଅର୍ଥନୈତିକ ଅପରାଧରେ ଲିପ୍ତ ରହିଛନ୍ତି । ଗତ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିବା ‘ଅର୍ଚ୍ଚନା ନାଗ ହନିଟ୍ରାପ୍‌’ ଓ ବ୍ଲାକମେଲିଂ ରାକେଟ୍ ସମସ୍ତ ପ୍ରମାଣ ଥିଲେ ବି ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତକୁ ପୋଲିସ କାହା ଚାପରେ ଚାପି ଦେବାର ପ୍ରୟାସ କରୁଛି ତାହାକୁ ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ. ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆର୍ଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love