୨୦୧୮ରୁ ୨୦୨୨ ମଧ୍ୟରେ ‘ବିଜେପି’ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ର ୫୭% ହାସଲ କରିଥିବା ବ‌େଳେ କଂଗ୍ରେସ ପାଇଛି ୧୦%

ନୂଆଦିଲ୍ଲୀ: ମାର୍ଚ ୨୦୧୮ ଏବଂ ୨୦୨୨ ମଧ୍ୟରେ ସମୁଦାୟ ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌ର ଅଧାରୁ ଅଧିକ ‘ବିଜେପି’ ହାସଲ କରିଥିବା କଥା ନିର୍ବାଚନ କମିସନ୍‌ ଡାଟାରୁ ଜଣାପଡ଼ିଛି। ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ ହେଉଛି ଏକ ବିବାଦୀୟ ଅର୍ଥନୈତିକ ମାଧ୍ୟମ ଯାହାଦ୍ବାରା କମ୍ପାନି ସବୁ ନିଜ ନିଜର ପରିଚୟ ଗୋପନ ରଖି ରାଜନୈତିକ ଦଳଗୁଡ଼ିକୁ ଅସୀମିତ ପରିମାଣର ଅର୍ଥ ଦାନ କରିପାରିବେ। ରାଜନୈତିକ ଦଳ ସବୁ ଦର୍ଶାଇଥିବା ହିସାବ ଅନୁସାରେ, ୨୦୨୨ ପର୍ଯ୍ୟନ୍ତ ବିକ୍ରୟ କରାଯାଇଥିବା ସମୁଦାୟ ‘‌ଇଲେକ୍ଟୋରାଲ୍‌ ବଣ୍ଡସ୍‌’ରୁ ଉପାର୍ଜନ କରାଯାଇଥିବା ୯,୨୦୮ କୋଟି ଟଙ୍କାରୁ ‘ବିଜେପି’ ୫,୨୭୦ କୋଟି ଟଙ୍କା ପାଇଛି। ଏହା ହେଉଛି ସମୁଦାୟ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ର ୫୭%। ଉପରୋକ୍ତ ସମୟ ସୀମାରେ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ରୁ ୯୬୪ କୋଟି ଟଙ୍କା ବା ୧୦% ପାଇଁ  ଦ୍ବିତୀୟ ସ୍ଥାନରେ ରହିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ସେହିପରି, ପଶ୍ଚିମବଙ୍ଗର ଶାସକ ଦଳ ‘ତୃଣମୂଳ କଂଗ୍ରେସ’ ୭୬୭ କୋଟି ବା ୮% ପାଇଛି। ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ରୁ ୨୦୧୮ ଆର୍ଥିକ ବର୍ଷରେ ୨୧୦ କୋଟି ଟଙ୍କା, ୨୦୧୯ରେ ୧,୪୫୦ କୋଟି ଟଙ୍କା, ୨୦୨୦ରେ ୨,୫୫୫ କୋଟି ଟଙ୍କା, ୨୦୨୧ରେ ୨୨.୩୮ କୋଟି ଟଙ୍କା ଓ ୨୦୨୨ରେ ୧,୦୩୩ କୋଟି ଟଙ୍କା ପାଇଥିବା କଥା ‘ବିଜେପି’ ଦର୍ଶାଇଛି।

ସେହିପରି, ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ରୁ ଆର୍ଥିକ ବର୍ଷ ୨୦୧୯ରେ କଂଗ୍ରେସ ୩୮୩ କୋଟି ଟଙ୍କା, ୨୦୨୦ରେ ୩୧୭ କୋଟି ଟଙ୍କା, ୨୦୨୧ରେ ୧୦ କୋଟି ଟଙ୍କା, ୨୦୨୨ରେ ୨୫୩ କୋଟି ଟଙ୍କା ପାଇଥିବା କଥା କଂଗ୍ରେସ କହିଛି। ଏହାଛଡ଼ା, ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ରୁ ଆର୍ଥିକ ବର୍ଷ ୨୦୧୯ରେ ୯୭ କୋଟି ଟଙ୍କା, ୨୦୨୦ରେ ୧୦୦ କୋଟି ଟଙ୍କା, ୨୦୨୧ରେ ୪୨ କୋଟି ଟଙ୍କା ଓ ୨୦୨୨ରେ ୫୨୮କୋଟି ଟଙ୍କା ପାଇଥିବା କଥା ‘ତୃଣମୂଳ କଂଗ୍ରେସ’ କହିଛି। ୨୦୧୭ରେ ପ୍ରଚଳିତ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ ହେଉଛି ଏକ ଆର୍ଥିକ ମାଧ୍ୟମ ଯାହାକୁ କ୍ରୟ କରି ବ୍ୟକ୍ତିବିଶେଷ ଓ କମ୍ପାନି ସବୁ ଭାରତରେ ଥିବା ରାଜନୈତିକ ଦଳଗୁଡ଼ିକୁ ଅର୍ଥ ଦାନ କରିପାରିବେ। ଅଜ୍ଞାତସୂତ୍ରରୁ ଦାନ ଗ୍ରହଣ କରାଯାଇ ପାରୁଥିବାରୁ ଏହି ବ୍ୟବସ୍ଥା କ୍ଷମତାର ଅପବ୍ୟବହାର ଓ ଦୁର୍ନୀତିର କାରଣ ହୋଇପାରେ ବୋଲି ସମାଲୋଚକମାନେ କହୁଛନ୍ତି।

Spread the love