ଧାମନଗରରେ ପରିବର୍ତନ ହୋଇଛି, ପଦମପୁରରେ ବି ପରିବର୍ତନ ହେବ: ବୈଜୟନ୍ତ ପଣ୍ଡା

ପଦମପୁର / ଭୁବନେଶ୍ୱର, ତା.୨୬/୧୧: ପଦମପୁର ଉପନିର୍ବାଚନରେ ଆଜି ବିଜେପି ପାଇଁ ପ୍ରଚାର କରିଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଝାରବନ୍ଧର ବିଳାଶପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଦ୍ଦିତ କରିଥିଲେ । ଏହି ଅବସରରେ ସ୍ଥାନୀୟ ସାଂସଦ ଶ୍ରୀ ସୁରେଶ ପୁଜାରୀ ଏବଂ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ ।

ନିର୍ବାଚନ ସଭାରେ ବୈଜୟନ୍ତ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି । ୨୨ ବର୍ଷ ତଳେ ପଶ୍ଚିମ ଓଡିଶାର ଜଳସେଚନର ଯାହା ସମସ୍ୟା ଥିଲା ତାହା ଆଜି ବି ସେମିତି ରହିଛି । ବରଗଡ-ନୁଆପଡା ରେଳ ପ୍ରକଳ୍ପ ଯେଉଁଥିରେ ପଦମପୁରରେ ରେଳ ଚାଲିପାରିବ ସେହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଦେଲେ ନାହିଁ । କେନ୍ଦ୍ର ସରକାର ରେଳ ପ୍ରକଳ୍ପ ପାଇଁ ଅର୍ଥ ଦେବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଜମି ନଦେବା କାରଣରୁ ସେହି ପ୍ରକଳ୍ପ ଆରମ୍ବ ହୋଇପାରିଲା ନାହିଁ । ପଦମପୁରବାସୀଙ୍କ ପ୍ରତି ଏ ରାଜ୍ୟ ସରକାର ବହୁତ ଅନ୍ୟାୟ କରିଛନ୍ତି । ଏବେ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ହୋଇଥିଲା । ବର୍ତମାନ ଚାଲିଥିବା ପଦମପୁର ଉପନିର୍ବାଚନରେ ମଧ୍ୟ ବିଜେପିର ବିଜୟ ହେବ । ଧାମନଗରରେ ଯେଉଁ ଭଳି ଭାବରେ ଲୋକମାନେ ପରିବର୍ତନ ସପକ୍ଷରେ ଭୋଟ ଦେଇଥିଲେ ପଦମପୁରରେ ବି ସମାନ ଭାବରେ ପରିବର୍ତନ ସପକ୍ଷରେ ଭୋଟ ଦେବେ ବୋଲି ବୈଜୟନ୍ତ କହିଛନ୍ତି ।
ନିର୍ବାଚନ ସଭାରେ ସମ୍ବିତ ପାତ୍ର କହିଛନ୍ତି ଯେ ପଦମପୁରରେ ପାର୍ଥୀ ହୋଇଥିବା ପ୍ରଦିପ ପୁରୋହିତ ଏହି ଅଂଚଳର ସୁରକ୍ଷା, ବିକାଶ ପାଇଁ ବହୁତ କିଛି କରିଛନ୍ତି । ଏହି ଅଂଚଳର ସମସ୍ୟାକୁ ବିଧାନସଭାରେ କେବଳ ପ୍ରଦିପ ପୁରୋହିତ ହିଁ ଉଠାନ୍ତି । ବାକି ବିଜେଡିର ଯେତେ ବିଧାୟକ ହୋଇଛନ୍ତି ସେମାନେ କେବେ ବି ପଦମପୁରର କଥା ଉଠାନ୍ତି ନାହିଁ । ପଦମପୁରର ଚାଷୀଙ୍କ ଫସଲ ବୀମା ପଇସା ଯଦି ମିଳିଛି ତାହା ପ୍ରଦିପ ପୁରୋହିତଙ୍କ ପାଇଁ ମିଳିଛି । ଓଡିଶା ସରକାର ପଦମପୁରବାସୀଙ୍କ ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି । ପଦମପୁରର ଲୋକମାନେ ଏଥର ବିଜେଡିକୁ ହରାଇବା ସହ ବିଜେପିକୁ ଜିତାଇବେ ।
ଝାରବନ୍ଧର ବିଳାସପୁର ପରେ ସମ୍ବିତ ପାତ୍ର କୁମିରା ଓ ଜଗଦଳପୁରରେ ଆଉ ଦୁଇଟି ବୈଠକ କରିଥିଲେ ।

Spread the love