ରାଜ୍ୟସରକାର ଏସଆଇଟି ଗଠନ କରି ଦୋଷୀଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ  ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଲୋକମାନଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ଉତରଦାୟୀତ୍ୱ । କିନ୍ତୁ ଦୁଃଖର କଥା ମହିଳାମାନଙ୍କ ସହ  ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ସରକାରଙ୍କ ଅବହେଳା ଯୋଗୁଁ ଦୋଷୀ  ମାନଙ୍କୁ ଦଣ୍ଡ ମିଳିପାରୁ ନାହିଁ । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ
କରିଚାଲିଛି । ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ  ରଖି ଯୌନ ଉତ୍ପୀଡନ କରିଆସୁଥିଲେ । ଏହି ଦୁଇଟି ଘଟଣାରେ ପୋଲିସର ସଂପୃକ୍ତି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଦୁଇଟି ଘଟଣା  ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏପର୍ଯ୍ୟନ୍ତ କାହିଁକି ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଯାଇ ନାହିଁ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

 ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେପି

 ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କୁ ଗିରଫ କରାଯାଉ

 ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ରାଜ୍ୟସରକାର

 ଆଗାମୀ ଦିନରେ ବିଜେପିର ଦୁଇଟି ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବ

 ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ

 ରକ୍ଷକ ସାଜିଛି ଭକ୍ଷକ

 ଦୁଇଟି ଘଟଣା ପୋଲିସର କ୍ୟାଂପସ ଭିତରେ ହୋଇଛି ଏବଂ ପୋଲିସର ସଂପୃକ୍ତି ଥିବା ଯୋଗୁଁ ଘଟଣାକୁ ଚପେଇ ଦିଆଯାଉଛି

 ଦୁଷ୍କର୍ମ ଘଟଣାରେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ଥିବା ଯୋଗୁଁ ଘଟଣାର ତଦନ୍ତ ହେଉନାହିଁ

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା । ଏହାସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି କାହିଁକି? କୁନ୍ଦୁଲୀ ଘଟଣା
ଭଳି ଏବେ ମାଲକାନଗିରି ଘଟଣାରେ ମୃତା ପୀଡିତା ମହିଳା ଏବେ ନ୍ୟାୟ ମାଗୁଛି । ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ପରେ ବି ପୋଲିସ ମୃତା ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ବି ସାର୍ବଜନୀନ କରୁନାହିଁ । ସେହିପରି ବୀରମିତ୍ରପୁର ଘଟଣାରେ ୧୩ ବର୍ଷିୟା ନାବାଳିକା ଝିଅର ଅସହାୟତାର ସୁଯୋଗ ନେଇ ଥାନା ଅଧିକୀରୀ ଥାନାର ଉପର ମହଲାରେ ମାସ ମାସ ଧରି ଦୁଷ୍କର୍ମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଥାନାବାବୁ ପୀଡିତା
ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଛନ୍ତି । ଏହି ଘଟଣାକୁ ବି ରାଜ୍ୟସରକାର ଘଂଟ ଘୋଡାଇବା ପାଇଁ ଉଦ୍ୟମ ଚଲାଇଛନ୍ତି । ବୀରମିତ୍ରପୁର ଘଟଣାରେ ବିଜେପିର ପ୍ରତିନିଧୀ ଦଳ ପୀଡିତାକୁ ଭେଟିବା ପାଇଁ ଯିବା ସମୟରେ ମାତ୍ର ୫ ମିନିଟ ସମୟ ଦିଆଯାଇଥିଲା । ପୀଡିତା ଜଣକ ଏତେ ଭୟଭୀତ ଥିଲେ ଯେ , ସେ ତାଙ୍କ ନାଁ ବି କହିବାକୁ ଭୟ କରିଥିଲେ । ପୀଡିତାଙ୍କ ଉପରେ ପୋଲିସର ଚାପ ଥିବାରୁ ସେ ପୂରା ଭୟଭୀତ ହୋଇପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣାରେ କେବଳ ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ହେବ ନାହିଁ । ଏହି ଘଟଣାକୁ
ତଦନ୍ତ କରି ଦୋଷୀଙ୍କୁ ଜେଲ୍ ହାଜତକୁ ନପଠାଇବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବ ନାହିଁ । ଏହି ଦୁଇଟି ଘଟଣା ପୋଲିସର କ୍ୟାଂପସ ଭିତରେ ଏବଂ ପୋଲିସର ସଂପୃକ୍ତି ଥିବା ଯୋଗୁଁ ଘଟଣାକୁ ଚପେଇ ଦିଆଯାଉଛି । ମାଲକାନଗିରି ଘଟଣାରେ ପୀଡିତାର ମୃତ୍ୟୁ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ । ଏହି ଦୁଇଟି କେସରେ ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏ ଲଢେଇକୁ ବିଜେପି
ଜାରି ରଖିବ । ଗତକାଲି ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏ ଦୁଇଟି ଘଟଣା ସଂପର୍କରେ ଅବଗତ କରାଇଥିଲା । ଏସସି ଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ଅପରାଧୀଙ୍କୁ ଗିରଫ କରିବା, ପୀଡିତାଙ୍କୁ ଯଥାଯୋଗ୍ୟ ନ୍ୟାୟ ଏବଂ ତୁରନ୍ତ କ୍ଷତିପୂରଣ
ଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଥିଲେ । ରାଜ୍ୟସରକାର ଏ ଦୁଇଟି ଘଟଣାକୁ ଗୁରୁତର ସହ ନେଇ ଏସଆଇଟି ଗଠନ କରି ସ୍ଥାନୀୟ ପୋଲିସଙ୍କୁ ବାଦ ଦେଇ ତଦନ୍ତ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।  ମାଲକାନଗିରି ଘଟଣାରେ ବିଜେପି ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଆବେଦନ କରିଥିଲେ ଓ ମାନ୍ୟବର କମିଶନ ୧୦ ଦିନ ଭିତରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମାଲକାନଗିରି ଏବଂ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ବୀରମିତ୍ରପୁର ଯାଇ ଘଟଣାର ସକଜମିନ ତଦନ୍ତ କରିବେ । ଆବଶ୍ୟକ ପଡିଲେ ଏହି ଘଟଣା ସଂପର୍କରେ ଆମେ କେନ୍ଦ୍ର ମହିଳା କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଜଣାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ  ଉପସ୍ଥିତ ଥିଲେ ।

Spread the love