୭୦ ବର୍ଷରେ ଯାହା ନହୋଇଛି ଆମେ ମାତ୍ର ୫୫ ମାସରେ କରିକି ଦେଖେଇଛୁ : କେନ୍ଦ୍ରମନ୍ତ୍ରୀ ମାଣ୍ଡଭିଆ

ପ୍ରଧାନମନ୍ତ୍ରୀ ଦେଶର କିଷାନ ମାନଙ୍କ ପାଇଁ କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରିଛନ୍ତି । ଦେଶର ୧୨ କୋଟି ଚାଷୀ ପ୍ରତି ବର୍ଷ ୬ ହଜାର ଟଙ୍କା ପାଇବେ । ଓଡିଶା ଏବେ ୧୨ ଲକ୍ଷ କୃଷକଙ୍କ ସୂଚୀ ଦେଇଛି ଏବଂ ଖୁବଶୀଘ୍ର ସେମାନଙ୍କ ଆକାଉଂଟକୁ ଅର୍ଥ ଆସିବ । ଆୟୁଷ୍ମାନ ଯୋଜନା ବିଶ୍ୱର ସବୁଠୁ ବଡ ଯୋଜନା । ୪ ବର୍ଷ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ
ଓବାମା କେୟାର ଯୋଜନା ଆରମ୍ଭ କରିଥିଲେ । ୧୦ କୋଟି ଲୋକଙ୍କ ପାଇଁ ଏହି ଯୋଜନା ଥିଲା । କିନ୍ତୁ ଆୟୁଷ୍ମାନ ଯୋଜନା ୫୦ କୋଟି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ଦୁର୍ଭାଗ୍ୟର ବିଷୟ ଓଡିଶା ଏହି ଯୋଜନାରୁ ବଂଚିତ ରହିଛି ।

ଗୁଜୁରାଟରେ ୭ ଲକ୍ଷ ଓଡିଆ ରହୁଛନ୍ତି । ଆୟୁଷ୍ମାନ ଭାରତ ଓଡିଶାରେ ଲାଗୁ ନହେବା କାରଣରୁ ସେମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି ।
ରାଜ୍ୟସରକାର ନିର୍ବାଚନ ପାଇଁ ଯୋଜନାକୁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଆ କହିଛନ୍ତି ।
ଶ୍ରୀ ମାଣ୍ଡଭିଆ କହିଛନ୍ତି ଯେ, ବର୍ଷକୁ୧ଲକ୍ଷ କିମି ଜାତୀୟ ରାଜପଥ ବନାଇବାର କାର୍ଯ୍ୟ ଆରମ୍ଭ କରିଛୁ । ୪୦ ହଜାର କିମି ରାସ୍ତା କାର୍ଯ୍ୟ ସରିଲାଣି । ୫୩ ହଜାର କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ପ୍ରତି ଗ୍ରାମକୁ ରାସ୍ତା ସଂଯୋଗୀ କରଣ ହେବା ଦରକାର । ପୂର୍ବରୁ ୬୮ କିମି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ତିଆରି ହେଉଥିବାବେଳେ ଏବେ ୧୩୪ କିମି ପ୍ରତିଦିନ ରାସ୍ତା ନିର୍ମାଣ ହେଉଛି । ଗତ ୭୦ ବର୍ଷରେ ଯାହା ନହୋଇଛି ଆମେ ତାହା ୫୫ ମାସରେ କରିକି ଦେଖେଇଛୁ । ଆମେ କୌଣସି ଟାକ୍ସ ବଢାଇନୁ ।

ଜିଏସଟି ପୂର୍ବରୁ ଅଧିକ ଟାକ୍ସ ଦେବାକୁ ପଡୁଥିଲା । ଜିଏସଟି ମାଧ୍ୟମରେ ଆମେ ଟ୍ୟାକ୍ସ କମାଇବା ସହ ଦୁର୍ନୀତି ଦୂର କରିଛୁ । ଓଡିଶାରେ ଜାତୀୟ ରାଜପଥ ନିର୍ମାଣ ହେଲେ ରାଜ୍ୟବାସୀ ଲାଭାନ୍ୱୀତ ହେବେ କିନ୍ତୁ ପଶ୍ଚିମବଙ୍ଗ ଓ ଓଡିଶା ସରକାର ଜମି ଯୋଗାଉ ନାହାଁନ୍ତି । ଜାତୀୟ ରାଜପଥ ହେଲେ କାଳେ ମୋଦୀ ନାଁ ନେଇଯିବେ ସେହି ଦୃଷ୍ଟିରୁ ରାଜ୍ୟସରକାର ସହଯୋଗ କରୁନାହାଁନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ମୋଦୀଙ୍କ ନାଁ ହୋଇଯିବା ଭୟରେ ରାଜ୍ୟସରକାର ହୀନ ରାଜନୀତି କରି ଯୋଜନାକୁ ଲାଗୁ କରୁନାହାଁନ୍ତି ବୋଲି ଶ୍ରୀ ମାଣ୍ଡଭିଆ ଅଭିଯୋଗ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମାଣ୍ଡଭିଆ ଭାରତ କି ମନ କି ବାତ୍ କାର୍ଯ୍ୟକ୍ରମରେ ଆଇଟି ପ୍ରଫେସନାଲଙ୍କ ସହ ମତ ବିନିମୟ କରିଛନ୍ତି ଯେ, ମୋଦି ସରକାର ଆଉ ୫ ବର୍ଷ ରହିଲେ ଡଲାର ୫୦ ଟଙ୍କାକୁ ଖସିଆସିବ । ଏହାର କାରଣ ହେଉଛି ଆଗାମୀ କିଛି ବର୍ଷ ମଧ୍ୟରେ ଦେଶକୁ ଆଉ ଆଇଟି କ୍ଷେତ୍ର ଏବଂ ବିମାନ ଇନ୍ଧନ ଆମକୁ ବିଦେଶରୁ କିଣିବାକୁ ପଡିବନି । ଯାହା ଫଳରେ ଆମର ଅର୍ଥ ବିଦେଶକୁ ଯିବନି ।
ଯେତେବେଳେ ସାରା ବିଶ୍ୱରେ ପ୍ରଯୁକ୍ତି ବିଦ୍ୟାରେ ବିକାଶ କରିଲେ ସେତେବେଳେ ଦେଶରେ ଶାସନରେ ଥିବା ସରକାର କେବଳ ଭାଷଣରେ ଆଇଟି ବିକାଶକୁ ରଖିଲା । ଯାହା ଫଳରେ ଆମ ଦେଶ ଆଜି ଆମେରିକା, ଜାପାନ ଠାରୁ ପଛରେ ପଡିଗଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଜିଙ୍କର ସରକାର ଆସିଲା ପରେ ଯେଉଁ ଭଳି ଭାବେ ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନାରେ
ପ୍ରଯୁକ୍ତି କ୍ଷେତ୍ରରେ ପ୍ରଗତି ହୋଇଛି ଏବଂ ପ୍ରଯୁକ୍ତି କ୍ଷେତ୍ର ଆଜି ସହରରୁ ଯାଇ ଗାଁରେ ପହଂଚିଲାଣି ଦିନ ଆସିବ ଭାରତ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର
ଏକ ନମ୍ବର ଦେଶ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love