କରୋନା ମହାମାରୀ ବେଳେ ୨୦୦୦ କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ ଦୁର୍ଭାଗ୍ୟଜନକ : ବିଜେପି

ଭୂବନେଶ୍ୱର,୨୭/୦୪: କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର  ରାଜସ୍ୱ ଦେଉଛନ୍ତି। ରାଜ୍ୟର ଗରୀବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳୀ ଏବଂ ଏଥି ସହ ଜଡିତ କେନ୍ଦୁପତ୍ର ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ଭବିଷ୍ୟତ ବର୍ତମାନ ଅନ୍ଧକାର ଆଡକୁ ଗତି କରୁଛି ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

ଶ୍ରୀ ପୁରୋହିତ ଅଭିଯୋଗକରି କହିଛନ୍ତି ଯେ, ୧୯୭୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀଙ୍କ
ଅମଳରେ କେନ୍ଦୁପତ୍ର ସଂସ୍ଥାକୁ ଜାତୀୟକରଣ କରାଯାଇଥିଲା । କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ଶ୍ରମିକ, ସିଜିନାଲ୍
କର୍ମଚାରୀଙ୍କୁ ଅଧିକ ଲାଭ ପହଂଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବର୍ତମାନ ଓଡିଶାରେ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥା ସହ ଜଡିତ ଅଛନ୍ତି । କରୋନା ଭୁତାଣୁ କଟକଣା ଓ ଲକ୍‌ଡାଉନ୍ କାରଣରୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଶ୍ରମିକମାନଙ୍କୁ ଛଟେଇ ନକରିବା ପାଇଁ ନିର୍ଦ୍ଦେଶ କରିଛନ୍ତି । ଏହା ସତ୍ୱେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ ଓ ଅଣଦେଖା କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ ପାଖାପାଖି ୨ ହଜାର ସିଜିନାଲ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ସେହିପରି ସାମାଜିକ ସୁରକ୍ଷା ପାଇଁ ଗଠିତ କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ତରଫରୁ କେନ୍ଦୁପତ୍ର ତୋଳାଳିମାନେ ଆର୍ଥକ ଅନୁଦାନ
ପାଉଥିଲେ । କେନ୍ଦୁପତ୍ର ତୋଳାଳୀମାନେ ୧୦ ଟା କେନ୍ଦୁପତ୍ର ତୋଳିଲେ କେନ୍ଦୁପତ୍ର ଶ୍ରମିକ ମଙ୍ଗଳ ପାଂଠିରୁ ସେମାନଙ୍କୁ  ସହାୟତା, ପିଲାମାନଙ୍କୁ ଶିକ୍ଷା ସହାୟତା, ମୃତ୍ୟୁକାଳିନ ସହାୟତା ପ୍ରଦାନ କରାଯାଉଥିଲା । ଏହି ନିୟମରେ ପରିବର୍ତନ କରାଯାଇ ଚଳିତ ବର୍ଷ ୧୦ ଚଟା ବଦଳରେ ୨୦ ଚଟା କରାଯାଇଅଛି । ବର୍ତମାନର ପରିବର୍ତିତ ନିୟମ କାରଣରୁ ୫୦ ଭାଗରୁ ଉର୍ଦ୍ଧ କେନ୍ଦୁପତ୍ର ତୋଳାଳୀମାନେ ପ୍ରଭାବିତ ହେବା ସହ ସାମାଜିକ ସୁରକ୍ଷା ପାଇବାରୁ ବଂଚିତ ହେବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ସର୍ବନିମ୍ନ ମଜୁରୀ ବୃଦ୍ଧି ହେଲେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଥାଏ ।
ମାତ୍ର ୨୦୧୯ ମସିହା ଅକ୍ଟୋବର ମାସରୁ ଏହା ଲାଗୁ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ
କରିନଥିବା କାରଣରୁ ସଂସ୍ଥାରେ କାର୍ଯ୍ୟରତ ୧୮ ହଜାର ସିଜିନାଲ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।

କେନ୍ଦୁପତ୍ର ଲାଭାଂଶରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କୁ ୧୦୦ ଭାଗ ବୋନସ ଦିଆଯାଉଥିବାବେଳେ ଗତ ବର୍ଷଠାରୁ ଏହାକୁ ୫୦ ଭାଗ କରିଦିଆଯିବା ଶ୍ରମିକମାରଣ ନୀତିକୁ ପର୍ଦ୍ଦାଫାଶ କରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ସବୁଠୁ ଦୁର୍ଭାଗ୍ୟର ବିଷୟ ଯେ, ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସଂସ୍ଥାରେ କାର୍ଯ୍ୟରତ ପାଖାପାଖି ୨୦୦୦ ଜଣ  ଚପରାସି, ମୁନସୀ ଏବଂ ଡାକ ଅନରଙ୍କୁ କେନ୍ଦୁପତ୍ର ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଡିଏଫଓମାନେ ସେମାନଙ୍କୁ ଚାକିରୀରୁ ବାହାର କରି ଦେଇଛନ୍ତି ।

ସାଂପ୍ରତିକ ଲକ୍‌ଡାଉନ୍ ଭଳି ଘଡିସନ୍ଧି ମୁହୁର୍ତରେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି କହିବା ସହ ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ବୀହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ ଦାବୀ ଜଣାଇଛନ୍ତି ।

Spread the love