ଦୀର୍ଘଦିନ ଧରି ଗୋଟିଏ ପଦବିରେ ଥିବା ଅଧିକାରୀଙ୍କ ବଦଳି ଦାବି କଲା ବିଜେପି

ଭୁବନେଶ୍ବର: ଓଡ଼ିଶା ବିଜେପି ଶାଖାର କର୍ମକର୍ତ୍ତାମାନେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ବିଜେପି ଦୀର୍ଘଦିନ ଧରି ଗୋଟିଏ ପଦବିରେ ଥିବା ଅଧିକାରୀଙ୍କ ବଦଳି ଦାବି କରିଛି। ଏନେଇ ଡିସେମ୍ବର ୧ ତାରିଖରେ ରାଜ୍ୟ ସରକାରଙ୍କୁ କମିସନ ଚିଠି କରିଥିଲେ। ଜାନୁଆରି ୩୧ ଶେଷ ତାରିଖ ଥିବା ସତ୍ୱେ ରାଜ୍ୟ ସରକାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ହୋଇଛି। ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟରେ ୧୦ ଜିଲ୍ଲାର ଜିଲ୍ଲାପାଳ ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜିଲ୍ଲାରେ ରହିଛନ୍ତି। ସରକାରୀ ନିୟମ ଅନୁସାରେ ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପଦବିରେ ଥିଲେ, ସେମାନଙ୍କୁ ବଦଳି କରାଯିବା କଥା। କିନ୍ତୁ ସରକାର ତାହା କରୁ ନାହାନ୍ତି। ସେହିପରି ଏକାଧିକ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ ମଧ୍ୟ ଦୀର୍ଘଦିନ ଧରି ଗୋଟିଏ ପଦବିରେ ରହିଛନ୍ତି। ତେଣୁ ରାଜ୍ୟ ସରକାର କମିସନଙ୍କ ସୁପାରିସକୁ କାର୍ଯ୍ୟକାରୀ ନକଲେ, ଦଳ ଖୁବଶୀଘ୍ର ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବ ବୋଲି ବିଜେପି କହିଛି।

Spread the love