ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ” ସମେତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର, ତା.୧୧/୦୯: ରାଜ୍ୟ ସରକାର ହୋମିଓପ୍ୟାଥି ଓ ଆୟୁର୍ବେଦ ଶିକ୍ଷା ଏବଂ ଚିକିତ୍ସାକୁ ଲୋକାଭିମୁଖ୍ୟ କରିବାରେ ବୈମାତୃକ ମନୋଭାବ ଓ ଚରମ ଉଦାସୀନତା ପ୍ରକାଶ କରିଛନ୍ତି । ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ । ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି “ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର” ଖୋଲି ନାହାନ୍ତି ସରକାର । ଏନେଇ ୩୧ ଅଗଷ୍ଟରୁ ଆଜିଯାଏ “ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ” ସମେତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ପ୍ରତିନିଧିତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଘଟଣା ସ୍ଥଳକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି ।

ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଓଡ଼ିଶାର ୪୦,୦୦୦ ଜନସାଧାରଣଙ୍କ ନିମନ୍ତେ ଜଣେ ଡାକ୍ତର ନିୟୋଜିତ । ମୋଦି ସରକାରଙ୍କ “ଆୟୁଷ୍ମାନ ଭାରତ” ଅନ୍ତର୍ଗତ “ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର” ନିୟମ ଅନୁଯାୟୀ ପ୍ରତି ୫୦୦୦ ଜନସାଧାରଣଙ୍କ ପାଇଁ ଜଣେ ଡାକ୍ତର ରଖିବା କଥା । କିନ୍ତୁ ଦୁଃଖର ବିଷୟ ଯେ, ନବୀନ ସରକାର ସେଥିରେ ବିଫଳ । ଓଡ଼ିଶାରେ ୯ଟି ଚିିକିତ୍ସାଳୟରୁ ୭ଟି ଶିକ୍ଷାନୁଷ୍ଠାନ ସହ ସଂଲଗ୍ନ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ଏକ୍ସରେ ରହିବା କଥା କିନ୍ତୁ ଗୋଟିଏ ଚିକିତ୍ସାଳୟରେ ବି ନାହିଁ, ଯାହା ରାଜ୍ୟ ସରକାରଙ୍କ ଉଦାସୀନତାର ଏକ ନଗ୍ନ ଚିତ୍ରକୁ ଦର୍ଶାଉଛି । ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି । ଯଥାଶୀଘ୍ର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯନ୍ତ୍ରପାତି, ପୁସ୍ତକ ଯୋଗାଇ ଦେବାକୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଦାବି କରିଛନ୍ତି ।
ରାଜ୍ୟ ସରକାର ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ଗୋଟିଏ ବି ଯୋଜନା “ଆୟୁଷ ଚିକିତ୍ସା”ରେ ସାମିଲ କରାଯାଇ ନାହିଁ । ଏହା କ’ଣ ରାଜ୍ୟ ସରକାରଙ୍କ “ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶାର” ଚିତ୍ର । ରାଜ୍ୟ ସରକାରଙ୍କ ବିନା ସହଯୋଗରେ ବାର୍ଷିକ ୩୦ଲକ୍ଷ ରୋଗୀ ଆୟୁଷ ଚିକିତ୍ସା ମାଧ୍ୟମରେ ନିରୋଗ ରହୁଛନ୍ତି । ଆୟୁଷ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦିଅନ୍ତୁ, ଆୟୁଷ ଡାକ୍ତରମାନେ ଆଧୁନିକ ଡାକ୍ତରଙ୍କ ସମାନ ଭତା ଦିଅନ୍ତୁ ରାଜ୍ୟ ସରକାର । ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମପଂଚାୟତରେ ଗୋଟିଏ “ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର” ଖୋଲିବା ସହ ପ୍ରତିବର୍ଷ ଅନ୍ୟୁନ ୨୦୦ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଦାବି କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ ଓ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love