ନୀତିଶ କୁମାରଙ୍କୁ ରାଜ୍ୟସଭା ପଠାଇ, ବିହାରରେ ନିଜ ମୁଖ୍ୟମନ୍ତ୍ରୀ ଦେବ ବିଜେପି ! ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ ୩୧।୦୩:  ବିହାରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟସଭା ଯିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଚ୍ଛା ପ୍ରକାଶ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଅନ୍ୟପଟେ ବିହାର ସରକାରରେ ଜେଡିୟୁର ସହଯୋଗୀ ଦଳ ବିଜେପି ନୀତିଶ କୁମାରଙ୍କୁ ରାଜ୍ୟସଭା ପଠାଇବା ସମର୍ଥନରେ ରହିଛି।

ବିହାର ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ବିଧାୟକ ହରି ଭୂଷଣ ଠାକୁର କହିଛନ୍ତି, ଯଦି ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଚାହାନ୍ତି ତେବେ ବିଜେପି ତାଙ୍କର ଏହି ଇଚ୍ଛା ପୂରଣ କରିବ। ଏବଂ ଏପରି ସ୍ଥିତିରେ ବିହାରରେ ବିଜେପିର ମୁଖ୍ୟମନ୍ତ୍ରୀ ହେବ।

ସୂତ୍ର ଅନୁସାରେ, ବିହାରରେ ଆଇନ ବ୍ୟବସ୍ଥା ଏବଂ ମଦ ବନ୍ଦ ପରି ପ୍ରସଙ୍ଗରେ ଦିନକୁ ଦିନ ନୀତିଶ କୁମାରଙ୍କ ଗ୍ରାଫ ତଳକୁ ଖସିବାରେ ଲାଗିଛି। ଯାହାର ଲାଭ ଉଠାଇବାକୁ ଚାହୁଁଛି ବିଜେପି। ନୀତିଶ କୁମାରଙ୍କୁ ଜାତୀୟ ରାଜନୀତିକୁ ପଠାଇ ନିଜର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା କରୁଛି ଦଳ।

ଯଦି ନୀତିଶ କୁମାର ବିହାର ରାଜନୀତି ଛାଡି ଦିଲ୍ଲୀ ଯିବାକୁ ରାଜି ହୁଅନ୍ତି ତେବେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଦେବ। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୭୪ ବିଧାୟକ ସହ ରାଜ୍ୟର ସବୁଠୁ ବଡ଼ ଦଳ ହୋଇଥିଲା। ନିକଟରେ ବିଆଇପିର ୩ ବିଧାୟକ ବିଜେପିରେ ସାମିଲ ହେବା ପରେ ବିଧାନସଭାରେ ଦଳରଙ୍କ ସଂଖ୍ୟା ୭୭ରେ ପହଞ୍ଚିଛି। ଯଦି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଛାଡନ୍ତି ଏବଂ ତେବେ ବିଜେପିର ମୁଖ୍ୟମନ୍ତ୍ରୀ ସହ ଜେଡିୟୁର ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ।

ବିହାରରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ଓବିସି କିମ୍ୱା ପଛୁଆ ବର୍ଗର ଚେହେରା ଖୋଜୁଛି । କେନ୍ଦ୍ର ସରକାରରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓବିସି ବର୍ଗରୁ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦୌଡରେ ତାଙ୍କ ନାଁ ସବୁଠୁ ଆଗରେ ରହିଛି ।

Spread the love