କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ଏନ୍‌ଏଚ୍‌-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଦାବି: ବିଜେପି

ଭୁବନେଶ୍ୱର,ତା.୨୭/୦୭: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୫ (ପୁରୁଣା ଏନ୍‌ଏଚ୍‌-୪୨) କଟକ-ସମ୍ବଲପୁର-ଅନୁଗୋଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚ୍‌ଏଆଇ)ର ଆଂଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡାଙ୍କୁ ଭେଟି ଆଲୋଚନା କରିବା ସହ ଦାବି ପତ୍ର ଦେଇଛନ୍ତି ।
ପ୍ରତିନିଧି ମଣ୍ଡଳୀର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରତାପ ପ୍ରଧାନ ମିଳିତଭାବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନଏଚ୍‌-୫୫ ସେକ୍ସନର ବଅଁରପାଳରୁ ରନ୍ତଲେଇ ରାସ୍ତାର ମରାମତି ପାଇଁ ଏନ୍‌ଏଚ୍‌ଏଆଇ ତରଫରୁ ପଦକ୍ଷେପ ନିଆଯାଇଥିଲା । ପରବର୍ତୀ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଉକ୍ତ ରାସ୍ତାର ମରାମତି ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ) ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରଶାସନ ଏନଏଚ୍‌ଆଇକୁ ପ୍ରତିଶ୍ରୁତି ଦେଇଥିଲା । ତେବେ ଗତ ଡିସେମ୍ବର ମାସରୁ ରାସ୍ତାର ମରାମତି ଦାୟିତ୍ୱ ଜିଲ୍ଲା ପ୍ରଶାସନ ନିଜ ଆଡୁ ଡିଏମ୍‌ଏଫ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଦାୟିତ୍ୱ ନେଇଥିଲା । ମାତ୍ର ରାସ୍ତା ମରାମତି ପାଇଁ ୮କୋଟି ଅର୍ଥ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଛି । ଆଜି ଏନଏଚ୍‌ଏଆଇ ଅଧିକାରୀଙ୍କୁ ଭେଟି ଏବିଷୟରେ ଅବଗତ କରିବା ପରେ କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ଏନଏଚଏଆଇ ଆଂଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।
ଜାତୀୟ ରାଜପଥ-୫୫ ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଛି । ଅନୁଗୋଳ ଓ ଢେଙ୍କାନାଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧିନ ଏନଏଚ୍‌-୫୫ ଅନେକ ଶିଳ୍ପଭିତିକ ସହର, କୃଷିକେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଦେଇ ଯିବ । ଏନଏଚ-୫୫ ସମ୍ବଲପୁର-କଟକ ସେକ୍ସନ ୩ଟି ପ୍ୟାକେଜରେ ବିଭକ୍ତ ରହିଛି । ଅନୁଗୋଳ ଜିଲ୍ଲାବାସୀଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ବାରମ୍ବାର ଦାବି କରାଯାଉଛି । ମାତ୍ର ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା କାରଣରୁ ନିକଟରେ ଅନେକ ସଡକ ଦୁର୍ଘଟଣା ଘଟୁଛି । ବର୍ଷା ଋତୁରେ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଯାତାୟତରେ ବହୁତ ଅସୁବିଧା ହେଉଛି ।
ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୬ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀଠାରେ ବ୍ୟକ୍ତିଗତଭାବେ ଭେଟି ଏସମ୍ପର୍କିତ ଏକ ପତ୍ର ଦେବା ସହ ଆଲୋଚନା କରିଥିଲେ । ଗତ ବର୍ଷ ଅକ୍ଟୋବର ୫ତାରିଖରେ ମଧ୍ୟ ପତ୍ର ଲେଖି ଓଡ଼ିଶାର ସାମାଜିକ ଆର୍ôଥକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଏନ୍‌ଏଚ-୫୫ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ।
୨୦୧୮ ଡିସେମ୍ବରରେ ଏନ୍‌ଏଚ-୫୫ର ଶିଳାନ୍ୟାସ ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ରାଜ୍ୟରେ ଭିତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ କଟକ ଓ ଅନୁଗୋଳ ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ପାଇଁ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା । ମାତ୍ର ଏପର୍ଯ୍ୟନ୍ତ ଏହି ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇନାହିଁ । ତେଣୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କ ସୁବିଧା ଦୃଷ୍ଟିରୁ ଜାତୀୟ ରାଜପଥ-୫୫ କାମକୁ ତ୍ୱରାନ୍ୱିତ ହେଲେ ଲୋକମାନଙ୍କ ଯାତାୟତରେ ଆଉ ଅସୁବିଧା ହେବ ନାହିଁ ବୋଲି ପ୍ରତିନିଧି ମଣ୍ଡଳୀ ପକ୍ଷରୁ କୁହାଯାଇଛି ।
ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ବିଭୂତି ପ୍ରଧାନ, ଅଶୋକ ମହାନ୍ତି, ଶତ୍ରୁଘ୍ନ ଜେନା, ଦୀପକ ଗୋଚ୍ଛାୟତ, ଅନୁପମା ସାହୁ, ସୁଦୀପ ଗଡନାୟକ, ଦିଲ୍ଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃତ୍ୱମାନେ ସାମିଲ ଥିଲେ ।

Spread the love